ଅନୁଗୁଳ(ବିରଜା ଦାସ): ବାପାଠୁ ଟଙ୍କା ହାତେଇବା ପାଇଁ ନିଜର ଅପହରଣ ନାଟକ ରଚିଲା ପୁଅ । ହେଲେ ଯୋଜନା ସବୁ ପଣ୍ଡ ହୋଇଗଲା। ଖୋଦ୍ ବାପା ଏ ନେଇ ପୁଅ ନାଁରେ ଥାନାରେ ଅଭିଯୋଗ କଲା। ଆଉ ପୁଲିସ୍ ଖୋଳତାଡ଼ କରି ଅଭିଯୁକ୍ତ ପୁଅ ସହ ତା’ର ୩ ସହଯୋଗୀଙ୍କୁ ବି ଗିରଫ କରିବାରେ ସକ୍ଷମ ହେଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାରେ । ଏହି ଘଟଣା ସମଗ୍ର ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଅନୁଗୋଳ ପୁଲିସ୍ଠୁ ମିଳିଥିବା ସୂଚନା ଅନୁଯାୟୀ, ଗତ କାଲି ଅନୁଗୋଳର ଶିମିଳିପଡାଠାରେ ରହୁଥିବା ପଞ୍ଚାନନ ଘୋଷ ନାମକ ବ୍ୟକ୍ତି ଅନୁଗୋଳ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ତାଙ୍କ ପୁଅ ଗୌରବ ଘୋଷ(୨୦)ଙ୍କୁ ତାଳଚେର ନିବାସୀ ପୋପୁଠାରୁ ୪୦ହଜାର ବାକିଆ ଟଙ୍କା ଦେବାକୁ ଫୋନ ଆସିଥିଲା । ଏହି ଫୋନ ଆସିବା ପରେ ଗୌରବ ଘରୁ ଚାଳିଶ ହଜାର ଟଙ୍କା ନେଇ ବାହାରି ଯାଇଥିଲେ । ଏହାପରେ ସେ ଆଉ ଘରକୁ ଫେରି ନ ଥିଲେ ।
ଉକ୍ତ ଦିନ ସନ୍ଧ୍ୟାରେ ପଞ୍ଚାନନ ଶକ୍ତି ନାମକ ବ୍ୟକ୍ତିଙ୍କଠାରୁ ଆଉ ଏକ ଫୋନ କଲ୍ ପାଇଥିଲେ। ୨୫ ହଜାର ଟଙ୍କା ନଦେଲେ ପୁଅକୁ ଫେରି ପାଇବନି ବୋଲି ଉକ୍ତ ବ୍ୟକ୍ତିଜଣକ ତାଙ୍କୁ ଚେତାବନୀ ଦେଇଥିଲେ। ନିଜ ପୁଅ ଜୀବନ ପ୍ରତି ବିପଦ ଥିବା ଭାବି ପଞ୍ଚାନନ ପିଟିସି ହାଇସ୍କୁଲ ଛକରେ ରାତି ପ୍ରାୟ ଆଠଟା ବେଳେ ଟଙ୍କା ନେଇ ପହଞ୍ଚିଥିଲେ । ସେଠାରେ ସେ ପହଞ୍ଚିବା କ୍ଷଣି ୪ ଜଣ ଯୁବକ ହଠାତ ତାଙ୍କୁ ମାଡ଼ ମାରି ୨୫ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ । ଏହି ଘଟଣା ପରେ ପଞ୍ଚାନନଙ୍କର ତାଙ୍କ ପୁଅ ଗୌରବ ଉପରେ ସନ୍ଦେହ ହୋଇଥିଲା । ଏସବୁ ତାଙ୍କ ପୁଅ ଦ୍ୱାରା କରାଯାଇଥିବା ସେ ଜାଣିବାକୁ ପାଇବା ସହ ଏ ନେଇ ଅନୁଗୋଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ପୁଲିସ୍ ଘଟଣାର ତଦନ୍ତ କରି ଏହି ଅପହରଣ ନାଟକ ରଚିଥିବା ପଞ୍ଚାନନଙ୍କ ପୁଅ ଗୌରବ ଏବଂ ତାର ଅନ୍ୟ ତିନି ସହଯୋଗୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୋଳ ଅମଲାପଡାର ବିନୋଦ ବେହେରା ,ଲିଙ୍ଗରାଯୋଡି ଗାଁର ଶକ୍ତି ପ୍ରସାଦ ମହାନ୍ତି , ସମଲ ଥାନା ଗହମ ଗ୍ରାମର ପପୁନ କୁମାର ସାହୁ । ସେମାନଙ୍କ ନିକଟରୁ ସମସ୍ତ ଟଙ୍କା ଜବତ କରିବାରେ ମଧ୍ୟ ପୁଲିସ୍ ସକ୍ଷମ ହୋଇଛି । ଗିରଫ ୪ଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ପୁଲିସ୍ ସୂଚନା ଦେଇଛି ।
ପଞ୍ଚାନନଙ୍କ ଘର ପଶ୍ଚିମ ବଙ୍ଗ ଅଞ୍ଚଳରେ ହୋଇଥିବା ବେଳେ ସେ ଅନୁଗୋଳ ଥାନା ଅନ୍ତର୍ଗତ ଶିମିଳିପଡ଼ାରେ ପରିବାର ସହ ରହୁଛନ୍ତି ।
from Odisha Reporter https://ift.tt/30TJZiw
No comments:
Post a Comment