ମୁମ୍ବାଇ: ବଲିଉଡ୍ର ‘କିଙ୍ଗ୍ ଖାନ୍’ ତଥା ‘କିଙ୍ଗ୍ ଅଫ୍ ରୋମାନ୍ସ’ ଶାହାରୁଖ୍ ଖାନ୍ଙ୍କୁ ଦଶ ମାସ ହେଲାଣି ବଡ଼ ପରଦାରେ ଦେଖିବାକୁ ମିଳିନି। ଗତବର୍ଷ ଡିସେମ୍ବର ମାସରେ ଶେଷ ଥର ପାଇଁ ତାଙ୍କୁ ‘ଜିରୋ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ତେବେ ପରଦାରୁ ଏତେ ଦିନ ହେବ ଦୂରେଇ ରହିଥିବା ସତ୍ତ୍ୱେ ତାଙ୍କ ଫ୍ୟାନ୍ଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ିନାହିଁ। ଓଲଟି ୟା ଭିତରେ ତାଙ୍କ ଫ୍ୟାନ୍ଙ୍କ ସଂଖ୍ୟା ବଢ଼ିଛି। ମାଇକ୍ରୋ ବ୍ଲୋଗିଙ୍ଗ୍ ସାଇଟ୍ ‘ଟ୍ୱିଟର୍’ ଦେଖିଲେ ଏହା ପ୍ରମାଣିତ ହୋଇଯାଉଛି। କାରଣ ଟ୍ୱିଟରରେ ତାଙ୍କ ଫଲୋଅର୍ଙ୍କ ସଂଖ୍ୟା ୩୯ ମିଲିୟନ୍ ଅର୍ଥାତ୍ ୩୯୦ ଲକ୍ଷ ବା ୩.୯ କୋଟି ଟପିଗଲାଣି। ଏହା ସହିତ ଟ୍ୱିଟର୍ରେ ସବୁଠୁ ଅଧିକ ଫଲୋ କରାଯାଉଥିବା ଭାରତୀୟ ଅଭିନେତାଙ୍କ ତାଲିକାରେ ସେ ଶୀର୍ଷରେ ଅର୍ଥାତ୍ ୧ ନମ୍ବର ସ୍ଥାନରେ ପହଞ୍ଚି ଯାଇଛନ୍ତି।
ଏ ମାମଲାରେ ସେ ଅମିତାଭ ବଚ୍ଚନଙ୍କୁ ପଛରେ ପକାଇ ଦେଇଛନ୍ତି। ଟ୍ୱିଟର୍ରେ ଅମିତାଭଙ୍କର ୩୮.୮ ମିଲିୟନ୍ ଫଲୋଅର୍ସ ଅଛନ୍ତି। ଏହି ତାଲିକାର ତୃତୀୟ ସ୍ଥାନରେ ସଲ୍ମାନ୍ ଖାନ୍ (୩୮.୩ ମିଲିୟନ୍) ଓ ଚତୁର୍ଥରେ ଅକ୍ଷୟ କୁମାର (୩୨.୩ ମିଲିୟନ୍) ଅଛନ୍ତି। ଏ ଖବର ଜଣାପଡ଼ିବା ପରେ ଶାହାରୁଖଙ୍କୁ ତାଙ୍କ ଫ୍ୟାନ୍ମାନେ ବିଭିନ୍ନ ପ୍ରକାର କଥା ପୋଷ୍ଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ସେହିଭଳି ଇନ୍ଷ୍ଟାଗ୍ରାମ୍ରେ ମଧ୍ୟ ଶାହାରୁଖଙ୍କର ୧୮.୫ ମିଲିଅନ୍ ଫଲୋଅର୍ସ ଅଛନ୍ତି।
ନିକଟରେ ଟ୍ୱିଟର୍ରେ ହୋଇଥିବା ଏକ ପ୍ରଶ୍ନୋତ୍ତର ସେସନ୍ #AskSRKରେ ଅଧିକାଂଶ ଫ୍ୟାନ୍ ଶାହାରୁଖଙ୍କୁ ଏକ ନିର୍ଦ୍ଦିଷ୍ଟ ପ୍ରଶ୍ନ କରିଥିଲେ। ଆଉ ସେ ପ୍ରଶ୍ନଟି ହେଉଛି, ସେ କାହିଁକି ଏତେ ଦିନ ହେଲା ପରଦାରୁ ଦୂରେଇ ରହିଛନ୍ତି। ଆଉ ଶାହାରୁଖ ବଡ଼ ମଜାଳିଆ ଢଙ୍ଗରେ ଏହାର ଉତ୍ତର ଦେଇଥିଲେ। ସେ କହିଥିଲେ, ‘ହା ହା… ମୁଁ ନିଜେ ହିଁ ବଲିଉଡ୍’। ଆଉ ଦେଖୁ ଦେଖୁ ତାଙ୍କର ଏହି ଉତ୍ତରଟି ଇଣ୍ଟରନେଟ୍ରେ ଭାଇରାଲ୍ ହୋଇଯାଇଥିଲା।
ସୂଚନାଯୋଗ୍ୟ, ଶାହାରୁଖଙ୍କୁ ଖୁବ୍ଶୀଘ୍ର ହଲିଉଡ୍ ସେଲେବ୍ରିଟି ଡେଭିଡ୍ ଲେଟର୍ମ୍ୟାନ୍ଙ୍କ ଶୋ’ ‘My Next Guest Needs No Introduction’ରେ ଦେଖିବାକୁ ମିଳିବ। ନିକଟରେ ଡେଭିଡ୍ ଭାରତ ଆସି ଶାହାରୁଖଙ୍କ ଘରେ ଏହାର ଶୁଟିଂ କରିଥିଲେ। ଏହି ଏପିସୋଡ୍ର ଟ୍ରେଲର୍ ମଧ୍ୟ ରିଲିଜ୍ ହୋଇଯାଇଛି।
from Odisha Reporter https://ift.tt/2OLqgiw
No comments:
Post a Comment