ରାଇରଙ୍ଗପୁର (ରାଜେଶ ଶର୍ମା): ପୁଲିସ୍ର ନିଷ୍କ୍ରିୟତା ଯୋଗୁ ଦୁଷ୍କର୍ମର ଶିକାର ହୋଇଥିବା ଜଣେ ଅଧ୍ୟାପିକା ଶେଷରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଆଉ ଏହା ଜଣାପଡ଼ିବା ପରେ ପ୍ରଶାସନ ଚେଇଁ ଉଠିଛି ଓ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି। ସେହିଭଳି ତଦନ୍ତରେ ଅବହେଳା ଅଭିଯୋଗରେ ଜଣେ ଥାନା ବାବୁଙ୍କୁ ବଦଳି କରାଯାଇଛି। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଘଟିଛି ଏହି ଘଟଣା।
ରାଇରଙ୍ଗପୁରର ଏକ କଲେଜ୍ରେ ପଦାର୍ଥ ବିଜ୍ଞାନର ଅଧ୍ୟାପିକା ଥିବା ଏହି ମହିଳା ଜଣଙ୍କ ଲେଜିଡ୍ ହଷ୍ଟେଲ୍ରେ ରହୁଥିଲେ। ଗତକାଲି ରାତି ପ୍ରାୟ ସାଢ଼େ ଆଠଟାରେ ହଷ୍ଟେଲର ୱାର୍ଡେନ୍ ତାଙ୍କୁ ଡାକିବାରୁ ସେ କୌଣସି ଉତ୍ତର ଦେଇ ନଥିଲେ। ଏମିତିକି ଫୋନ୍ ମଧ୍ୟ ଉଠାଇ ନଥିଲେ। ଏହାପରେ କଲେଜ କର୍ତ୍ତୃପକ୍ଷ ତାଙ୍କ ରୁମ୍ କବାଟ ଭାଙ୍ଗି ଦେଇଥିଲେ ଓ ତାଙ୍କୁ ଫ୍ୟାନ୍ରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ଏହାପରେ ପୁଲିସ୍କୁ ଖବର ଦିଆଯାଇଥିଲା। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲା। ଏଥିସହ ତାଙ୍କ ପରିବାର ଲୋକେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ୍ ପ୍ରଥମେ ଅଧ୍ୟାପିକାଙ୍କ ମୃତଦେହ ନିକଟରେ ଏକ ସୁଇସାଇଡ୍ ନୋଟ୍ ଥିବା କହିଥିଲା। ହେଲେ ପରେ ମୃତଦେହ ନିକଟରେ କୌଣସି ସୁଇସାଇଡ୍ ନୋଟ୍ ନଥିବା କହିଥିଲା। ଏହାକୁ ନେଇ ଅଧ୍ୟାପିକାଙ୍କ ପରିବାର ଲୋକେ ବ୍ୟବଚ୍ଛେଦ ପାଇଁ ହଷ୍ଟେଲରୁ ମୃତଦେହ ଛାଡୁନାହାନ୍ତି। ଫଳରେ ଗତକାଲି ରାତିରୁ ଆଜି ପର୍ଯ୍ୟନ୍ତ ମୃତଦେହ ହଷ୍ଟେଲ୍ରେ ପଡ଼ି ରହିଛି।
ମୃତ ଅଧ୍ୟାପିକାଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଗତ ଅକ୍ଟୋବର ମାସରେ କେନ୍ଦୁଝରର ଜଣେ ଯୁବକ ତାଙ୍କୁ ଦୁଷ୍କର୍ମ କରିଥିଲା। ଏନେଇ ସେ ଝାରପୋଖରୀଆ ଥାନାରେ ଏତଲା ଦେଇଥିଲେ। ହେଲେ ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ସେ ମାନସିକ ଚାପରେ ଥିଲେ। କାରଣ ପୁଲିସ୍ର ନିଷ୍କ୍ରିୟତା ଯୋଗୁ ଅଭିଯୁକ୍ତର ଉପଦ୍ରବ ବଢ଼ିଯାଇଥିଲା ଓ ସେ ଦୁଷ୍କର୍ମ ବେଳର ଫଟୋ ଭାଇରାଲ୍ କରିବା ସହିତ ହତ୍ୟା ଧମକ ବି ଦେଇଥିଲା। ଏହା ସହିତ ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଅଧ୍ୟାପିକାଙ୍କ ମୃତ୍ୟୁ ଖବର ଜଣାପଡ଼ିବା ପରେ ପ୍ରଶାସନ ଚେଇଁ ଉଠିଛି। କଟକରୁ ଦୁଷ୍କର୍ମ ଅଭିଯୁକ୍ତକୁ ଅଟକ ରଖି ପୁଲିସ୍ ପଚରାଉଚରା କରୁଛି। ତା’ସହିତ ଏହି ଘଟଣାରେ ତଦନ୍ତରେ ଅବହେଳା ଅଭିଯୋଗରେ ଝାରପୋଖରିଆ ଥାନା ଅଧିକାରୀଙ୍କ ବଦଳି କରାଯାଇଛି।
from Odisha Reporter https://ift.tt/2L7pvh5
No comments:
Post a Comment