ରାଉରକେଲା(ପବନ ତିୱାରୀ): ଶିକ୍ଷାଦାନ ଏକ ମହତ କର୍ମ। ଯେଉଁଥିପାଇଁ ନିଜେ ପଢ଼ିବା ସହ ଅନ୍ୟମାନଙ୍କୁ ବାଣ୍ଟୁଛନ୍ତି ଜ୍ଞାନର ଆଲୋକ । ଏହାର ମର୍ମକୁ ବୁଝିଛନ୍ତି ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀ। ଯେଉଁ ବୟସରେ ମଜା ମସ୍ତି କରିବା କଥା ସେହି ବୟସରେ ସେମାନେ ବିଭିନ୍ନ ବସ୍ତି ଓ ଅନାଥ ଆଶ୍ରମକୁ ଯାଇ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି।
୧୫ ବର୍ଷ ତଳୁ ଏନ୍ଆଇଟି ଛାତ୍ରଛାତ୍ରୀମାନେ ବସ୍ତି ଓ ଅନାଥ ଆଶ୍ରମରେ ମାଗଣାରେ ଶିକ୍ଷାଦାନ ଆରମ୍ଭ କରିଥିଲେ । ଯେଉଁ ପରମ୍ପରା ଆଜି ବି ଚାଲିଛି। ପ୍ରାୟ ୨୦୦ ପିଲା ଏହା ଦ୍ୱାରା ଲାଭବାନ ହେଉଛନ୍ତି। ପିଲାଙ୍କୁ ଶିକ୍ଷାଦାନ ପାଇଁ ଛାତ୍ରଛାତ୍ରୀମାନେ ‘ଆଶ୍ରା’ ନାମକ ଏକ ସଂସ୍ଥା ଗଠନ କରିଛନ୍ତି। ଏନଆଇଟିରେ ଅଧ୍ୟୟନରତ ପ୍ରାୟ ୨୩୦ ଜଣ ଛାତ୍ରଛାତ୍ରୀ ଏହି ସଂସ୍ଥାର ସଦସ୍ୟ ରହିଛନ୍ତି।
ଏହି ଛାତ୍ରଛାତ୍ରୀମାନେ ବସ୍ତି ଓ ଅନାଥ ଆଶ୍ରମରେ ପିଲାମାନଙ୍କୁ ପାଠ ପଢ଼ାନ୍ତି। କେବଳ ସେତିକି ନୁହେଁ, ସେମାନେ ଏହି ପିଲାମାନଙ୍କୁ ନିଜର ପରିବାରର ଜଣେ ଜଣେ ସଦସ୍ୟ ଭଳି ମନେ କରନ୍ତି। ସେମାନେ ତାଙ୍କ ସହ ଖେଳକୁଦ ଓ ମଜାମସ୍ତି ବି କରିଥାନ୍ତି। ଏହାସହ ନିଜ ପଇସାରେ ସେମାନଙ୍କ ପାଇଁ କିଛି କିଛି ପାଠପଢ଼ା ସାମଗ୍ରୀ ବି କିଣି ଦିଅନ୍ତି। ବସ୍ତି ଓ ଅନାଥାଶ୍ରମ ଯିବା ପାଇଁ ଯେଉଁ ପଇସା ଖର୍ଚ୍ଚ ହୁଏ, ସେମାନେ ନିଜ ପକେଟରୁ ବହନ କରିଥାନ୍ତି।
ଜଗଦାସ୍ଥିତ ମାନବସେବାଶ୍ରମର ଗୁଡ଼ି ନାୟକ କହିଛନ୍ତି,“ ଏନ୍ଆଇଟିର ଭାଇମାନେ ମୋତେ ପାଠ ପଢ଼ାଇବା ସହ ଭଲ ବି ପାଆନ୍ତି। ମୋ ପାଇଁ ସେମାନେ ଚକଲେଟ୍ ଆଣିଥାନ୍ତି।”
ଏନଆଇଟି ଛାତ୍ରୀ କାଜଲ କିଶୋରୀ କହିଛନ୍ତି,“ ଏହି ପିଲାମାନଙ୍କୁ ପଢ଼ାଇବାକୁ ଆମକୁ ଭଲ ଲାଗୁଛି। ଆମ ପାଖରେ ଯେଉଁ ଜ୍ଞାନ ଅଛି, ଆମେ ସେମାନଙ୍କୁ ବାଣ୍ଟିଥାଉ। ଏହି ପିଲାମାନଙ୍କ ପାଖରେ ପରିବାର ନାହିଁ। ଆମେମାନେ ମଧ୍ୟ ଆମ ପରିବାରଠାରୁ ବହୁତ ଦୂରରେ ରହିଛୁ। ବସ୍ତି ଓ ଅନାଥ ଆଶ୍ରମକୁ ଆସି ପିଲାମାନଙ୍କୁ ପାଠ ପଢ଼ାଇବା ଦ୍ୱାରା ଆମକୁ ନିଜ ପରିବାର ପାଖରେ ଥିବା ପରି ଲାଗିଥାଏ।”
ସେମାନେ ଆମକୁ ପାଢ଼ାଇବା ସହ ଆମ ସହ ମଜା ମସ୍ତି କରନ୍ତି। ଏହା ଆମକୁ ବହୁତ ଖୁସି ଦିଏ ବୋଲି ମାନବ ସେବାଶ୍ରମ ଛାତ୍ରୀ ବୈଶାଳୀ ତାଣ୍ଡିଆ କହିଛନ୍ତି।
ଏନଆଇଟି ଛାତ୍ର ପୁରୁଷୋତ୍ତମ ସେଠୀ କହିଛନ୍ତି,“ଅନାଥ ଆଶ୍ରମ ଓ ବସ୍ତି ଯାଇ ପିଲାମାନଙ୍କୁ ପାଠ ପଢ଼ାଇଥାଉ। ସେମାନଙ୍କ ସହ ମସ୍ତି କରୁ। ସେମାନଙ୍କୁ ପାଠ ପଢ଼ାଇବା ସହ ନାଚ,ଗୀତ ଡ୍ରାମା ମଧ୍ୟ ଶିଖାଇଥାଉ।”
ଏନ୍ଆଇଟି ଛାତ୍ରଛାତ୍ରମାନେ ଜଗଦା ସ୍ଥିତ ମାନବ ସେବା ଅନୁଷ୍ଠାନ, ସେକ୍ଟର ୨ ବସ୍ତି, ସେକ୍ଟର ୨୧ ଲେପ୍ରସି କଲୋନି, ସେକ୍ଟର ୬ ବସ୍ତି, ଓଏସଏପି ଲେପ୍ରସି କଲୋନି, ଖାଲସା ବସ୍ତି ଓ ଛେଣ୍ଡ ଆଦି ସ୍ଥାନରେ ପାଠ ପଢ଼ାଇଥାନ୍ତି। ଗରିବ ପିଲାଙ୍କୁ ପାଠ ପଢ଼ାଇବା ଏବେ ଏମାନଙ୍କ ଏକ ବଡ ସ୍ୱପ୍ନ ପାଲଟି ଯାଇଛି। ଛାତ୍ରଛାତ୍ରୀମାନଙ୍କ ସ୍ନେହ ଯୋଗୁ ଏହି ଛୁଆମାନେ ପାଠ ପଢିବା ଲାଗି ମନ ବଳାଇଥାନ୍ତି।
from Odisha Reporter https://ift.tt/2X6W57F
No comments:
Post a Comment