ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଯେଉଁ ଅସ୍ପଷ୍ଟ ଚିତ୍ର ଥିଲା ତାହା ଧୀରେ ଧୀରେ ସ୍ପଷ୍ଟ ହେବାକୁ ଯାଉଛି। ଆଜି ରାଜ୍ୟପାଳ ଭଗତ ସିଂହ କୋଶିଆରଙ୍କୁ ଅପରାହ୍ନରେ ଭେଟି ଶିବସେନା ସରକାର ଗଢ଼ିବା ପାଇଁ ଦାବି କରିବ ବୋଲି ଜଣାପଡ଼ିଛି। ତେବେ ମୁଖ୍ୟମନ୍ତ୍ରୀ ଆଦିତ୍ୟ ଠାକରେ ନୁହେଁ ବରଂ ଉଦ୍ଧବ ଠାକରେ ହେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା ସୁଦ୍ଧା ସରକାର ଗଢ଼ିବା ପ୍ରସ୍ତାବ ଉପରେ ମତାମତ ରଖିବାକୁ ଶିବସେନାକୁ ସମୟ ଦେଇଛନ୍ତି ରାଜ୍ୟପାଳ।
ଏନସିପି ଶିବସେନା ନେତୃତ୍ୱାଧୀନ ସରକାରକୁ ସମର୍ଥନ କରିବା ପାଇଁ ଭିତିରିଆ ରାଜି ହୋଇଥିବା ବେଳେ ଏଯାଏ ଖୋଲି କରି କୌଣସି ପ୍ରତିକ୍ରିୟା ରଖିନାହିଁ। ରାଜ୍ୟରେ ଦଳର ସହଯୋଗୀ କଂଗ୍ରେସର ନିଷ୍ପତ୍ତି ଅନୁସାରେ ଏନସିପି ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।
୧୧ଟା ବେଳେ ଦିଲ୍ଲୀରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ଘରେ ଦଳର ସିଡବ୍ଲ୍ୟୁସି ବୈଠକ ବସିଥିଲା। ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ସହ ଆଲୋଚନା ପରେ ଶିବସେନାକୁ ଦଳ ସମର୍ଥନ କରିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି ସିଡବ୍ଲୁସି ସଦସ୍ୟ ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି। ଅପରାହ୍ନ ୪ଟାରେ ମହାରାଷ୍ଟ୍ର କଂଗ୍ରେସ ନେତାଙ୍କ ସହ ସୋନିଆଙ୍କର ବୈଠକ ରହିଥିବା ସୂଚନା ରହିଛି। ଶିବସେନାକୁ ସମର୍ଥନ କରିବା ପାଇଁ କଂଗ୍ରେସର ନିର୍ବାଚିତ ୩୯ ବିଧାୟକ ରାଜି ହୋଇଛନ୍ତି। ହେଲେ ରାଜ୍ୟର ବରିଷ୍ଠ ନେତା ମାନେ ସମର୍ଥନ ପ୍ରସଙ୍ଗରେ ଭିନ୍ନ ଭିନ୍ନ ମତ ରଖୁଥିବାରୁ ସୋନିଆ ନିଷ୍ପତ୍ତିରେ ବିଳମ୍ୱ କରୁଥିବା ସୂଚନା ରହିଛି। ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ସଞ୍ଜୟ ନିରୂପମ ଶିବସେନାକୁ ସମର୍ଥନ ଦେଲେ ଦଳ ବିପର୍ଯ୍ୟୟର ସାମ୍ନା କରିବ ବୋଲି ଆଜି କହିଛନ୍ତି। ସେହିଭଳି କେରଳ କଂଗ୍ରେସ (ମଣି) ମଧ୍ୟ ଶିବସେନା ସହ ମେଣ୍ଟ କଲେ କେରଳ ଓ ପଶ୍ଚିମବଙ୍ଗରେ ବାମ ଦଳ ସହ ମେଣ୍ଟ ପ୍ରଭାବିତ ହେବ ବୋଲି କହିଛି।
ଆଜି ସକାଳେ ସୋନିଆଙ୍କ ସହିତ ହୋଇଥିବା ବୈଠକରେ ଯଶୋମତି ଠାକୁର ବାଚସ୍ପତି ପଦବୀ ମାଗିବାକୁ ଦାବି କରିଛନ୍ତି। ସେହିଭଳି ଶିବସେନା ସହ ମେଣ୍ଟ ନକରି ବାହାରୁ ସମର୍ଥନ ଦେବା ପାଇଁ ବୈଠକରେ ପ୍ରସ୍ତାବ ଆସିଥିବା ସୂଚନା ରହିଛି।
from Odisha Reporter https://ift.tt/36QmECA
No comments:
Post a Comment