ନୂଆଦିଲ୍ଲୀ: ଆସନ୍ତାକାଲି ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୀତିକ ‘ନାଟକ’ର ଶୁଣାଣି ୧୦ଟା ୩୦ରେ ହେବ। ବିରୋଧୀଙ୍କ ଦ୍ୱାରା ଆବେଦନ ହୋଇଥିବା ରିଟ୍ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟ ଏହା କହିଛନ୍ତି। ଗତକାଲି ଶୁଣାଣି ପୂର୍ବରୁ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶିଆରୀ ବିଜେପିକୁ ସରକାର ଗଢ଼ିବା ପାଇଁ ଦେଇଥିବା ଆମନ୍ତ୍ରଣ ବାବଦରେ ତଥ୍ୟ ଦେବାକୁ ସଲିଟର ଜେନେରାଲ ତୁଷାର ମେହେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।
ଗତକାଲି ସକାଳେ ରାଜଭବନ ଯାଇ ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ବିଜେପି ସରକାର ଗଢ଼ିଥିଲା। ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଭାବରେ ଏନସିପି ବିଧାୟକ ଅଜିତ ପାଓ୍ୱାର ଶପଥ ନେଇଥିଲେ। ତରବରିଆ ଭାବରେ ଏହି ଶପଥ ଗ୍ରହଣ ଉତ୍ସବ ଆୟୋଜନା କରାଯାଇଛି। ଏହା ଅସାମ୍ୱିଧାନିକ ଦର୍ଶାଇ ଗତକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଶିବସେନା-ଏନସିପି-କଂଗ୍ରେସ। ମାମଲା ଗୁରୁତ୍ୱପୂର୍ଣ୍ଣ ଥିବାରୁ ରବିବାର ଆଜି ଛୁଟି ଦିନ ଥିଲେ ମଧ୍ୟ ଜଷ୍ଚିସ ଏନଭି ରମନ, ଜଷ୍ଟିସ ସଞ୍ଜୀବ ଖାନ୍ନା, ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ।
ଶିବସେନାରୁ ପକ୍ଷରୁ ଆଇନଜୀବୀ କପିଲ ଶିବଲ ପକ୍ଷ ରଖି କହିଥିଲେ, ଆଜି ବିଜେପିକୁ ଆସ୍ଥାଭୋଟର ସମ୍ମୁଖୀନ ହେବାକୁ ନିର୍ଦ୍ଦେଶ ଦିଆଯାଉ। ନଚେତ ଆସନ୍ତାକାଲି ଶିବସେନା-ଏନସିପି-କଂଗ୍ରେସକୁ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଉ। ରାଜ୍ୟପାଳ ଭଗତ ସିଂହ କୋଶିଆରୀ ନିଜ ପଦର ଦୁରୂପଯୋଗ କରିଛନ୍ତି। ଆସ୍ଥା ଭୋଟ ନେଇ ରାଜ୍ୟପାଳ ଚିଠି ଦେଇଥିବାର ପ୍ରମାଣ ନାହିଁ। ଆସ୍ଥା ଭୋଟ୍ ବିଳମ୍ୱ ହେଲେ ଘୋଡ଼ା ବେପାର ହେବାର ଆଶଙ୍କା ରହିଛି ବୋଲି ବିରୋଧୀ ପକ୍ଷ ରଖି କହିଥିଲେ। ବିରୋଧୀଙ୍କ ପାଖରେ ୧୪୪ରୁ ଅଧିକ ବିଧାୟକଙ୍କ ସମର୍ଥନ ରହିଛି ବୋଲି ତିନି ଦଳ କୋର୍ଟରେ ପକ୍ଷ ରଖି କହିଥିଲେ।
ସେହିପରି ବିଜେପିରୁ ପକ୍ଷ ରଖୁଥିବା ମୁକୁଲ ରୋହତଗୀ କହିଥିଲେ, ଆଜି ରବିବାର ଥିବା ବେଳେ କାହିଁକି ଏହି ଶୁଣାଣି ହେଉଛି। ରାଷ୍ଟ୍ରପତିଙ୍କର କିଛି କ୍ଷମତା ରହିଛି। ଯାହାକୁ ରାଜ୍ୟପାଳ ପାଳନ କରନ୍ତି। ଆସ୍ଥା ଭୋଟ କରିବା ପାଇଁ ରାଜ୍ୟପାଳଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସୁପ୍ରିମକୋର୍ଟଙ୍କର କୌଣସି କ୍ଷମତା ନାହିଁ ବୋଲି ମୁକୁଲ ରୋହତଗୀ କହିଥିଲେ। ଏହାପରେ ସୁପ୍ରିମକୋର୍ଟ ଆସନ୍ତାକାଲି ସୁଦ୍ଧା ଆବଶ୍ୟକ ତଥ୍ୟ ଦାଖଲ କରିବାକୁ ସଲିଟର ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
from Odisha Reporter https://ift.tt/37Hwnf4
No comments:
Post a Comment