କଲ୍ୟାଣସିଂହପୁର( ମାଉଡ଼ି ବାରିକ): ରାୟଗଡ଼ା ଜିଲ୍ଲା ଟିକିରି ଉତ୍କଳ ଆଲୁମିନା ପ୍ଲାଣ୍ଟ ପରିସର ଗତକାଲି ଋଣକ୍ଷେତ୍ରରେ ପରିଣତ ହୋଇଥିଲା। ମୁହାଁମୁହିଁ ହୋଇଥିଲେ ଡିମୁଣ୍ଡି ଗ୍ରାମବାସୀ-ପୁଲିସ୍। ଅନ୍ୟତ୍ର ଥଇଥାନ ଦାବି କରି ଶତାଧୀକ ସଂଖ୍ୟାରେ ଗାଁ ଲୋକେ କମ୍ପାନୀ ପରିସରକୁ ପଶି ଆସିଥିବା ବେଳେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା।
ସେମାନଙ୍କୁ ଘଉଡ଼ାଇବାକୁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ୍କୁ ବି ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଭିଡ଼କୁ ନିୟନ୍ତ୍ରଣ କରିବା ଲାଗି ପୁଲିସ୍ ଲାଠି ଚାଳନା କରିବା ସହ ୧୪ ଗ୍ରାମବାସୀଙ୍କୁ ଗିରଫ କରିଛି। ସୁରକ୍ଷା ଦୃଷ୍ଟିକୋଣରୁ କମ୍ପାନୀ ପରିସରରେ ୧୪୪ ଧାରା ଜାରି ସହ ଫୋର୍ସ ମୁତୟନ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଉତ୍କଳ ଆଲୁମିନା ପ୍ଲାଣ୍ଟଠୁ ୫୦ ମିଟର ଦୂରତାରେ ରହିଛି ଡିମୁଣ୍ଡି ଗାଁ। କମ୍ପାନୀ ଯୋଗ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ଅନ୍ୟତ୍ର ସ୍ଥାନାନ୍ତର ଲାଗି ଦୀର୍ଘ ବର୍ଷ ହେବ ଗ୍ରାମବାସୀ ଦାବି କରି ଆସୁଛନ୍ତି । ମାତ୍ର ଏ ଦିଗରେ ପ୍ରଶାସନ କିମ୍ବା କମ୍ପାନୀ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଗତ ୩୧ ତାରିଖରେ ଏ ସଂକ୍ରାନ୍ତରେ ଗ୍ରାମବାସୀ ଉପଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇ ପାରି ନ ଥିଲେ।
ଏଥିରେ ଉତ୍ତ୍ୟକ୍ତ ହୋଇ ଗତକାଲି ସନ୍ଧ୍ୟାରେ ଶତାଧିକ ସଂଖ୍ୟାରେ ଗ୍ରାମବାସୀ କମ୍ପାନୀ ପରିସରକୁ ପଶି ଆସି ଏକ ୟୁନିଟ୍ ବନ୍ଦ କରି ଦେବା ସହ ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ। ଏହାପରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରୁଥିବା ବେଳେ ପ୍ରଥମେ ଯୁକ୍ତିତର୍କ ଓ ପରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଉତ୍ତ୍ୟକ୍ତ ଲୋକଙ୍କ ଢେଲା ମାଡ଼ରେ କମ୍ପାନୀ ଗାଡ଼ି ଭାଙ୍ଗି ଯାଇଥିବା ଜଣାଯାଇଛି।
ଖବର ପାଇ ରାୟଗଡ଼ା ଏସ୍ପି ଶ୍ରବଣା ବିବେକ ଏମ୍, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ଉତ୍ତ୍ୟକ୍ତ ଲୋକେ ସେମାନଙ୍କୁ ବି ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଏଥିରେ ଜଣେ ମହିଳା କନଷ୍ଟେବଳ ଆହତ ହୋଇଥିବା ଏସ୍ପି କହିଛନ୍ତି। ଏହାପରେ ପୁଲିସ୍ ଲାଠି ଚାଳନା କରିବା ସହ ୧୪ ଆନ୍ଦୋଳନକାରୀଙ୍କୁ ଗିରଫ କରିଛି।
ଏ ସମ୍ପର୍କରେ କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶ ମୁତାବକ ଆମେ କାମ କରୁଛୁ। ଗ୍ରାମବାସୀଙ୍କୁ ଥଇଥାନ କରିବା ଦାୟିତ୍ୱ ସରକାରଙ୍କର। ଏଥିରେ କମ୍ପାନୀ କର୍ତ୍ତୃପକ୍ଷ କିଛି କରି ପାରିବେ ନାହିଁ।
from Odisha Reporter https://ift.tt/2qXZvO3
No comments:
Post a Comment