ନୂଆପଡ଼ା (ମାୟାଧର ସରାଫ୍): ସାରା ବିଶ୍ୱରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଆଷାଢ଼ ମାସ ଶୁକ୍ଲପକ୍ଷ ଦ୍ୱିତୀୟା ତିଥିରେ ଅନୁଷ୍ଠିତ ହୋଇଥାଏ। ହେଲେ ନୂଆପଡ଼ା ଜିଲ୍ଲା କୋନାବିରା ଗାଁରେ କାର୍ତ୍ତିକ ମାସ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ତିଥିରେ ରଥଯାତ୍ରା ହୁଏ। ଏହି କ୍ରମରେ ଗତକାଲି ରୀତିନୀତି ଅନୁସାରେ ଏଠାରେ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ତିନି ଠାକୁରଙ୍କୁ ଛେରାପହଁରା ଓ ପହଣ୍ଡି ବିଜେ କରି ରଥାରୂଢ଼ କରାଯାଇଥିଲା। ଏହାପରେ ଲୋକେ ରଥକୁ ଟାଣି କୋନାବିରା ଗାଁରୁ କୋନାବିରା ବସ୍ତିକୁ ଆଣିଥିଲେ। ଆଉ ପରମ୍ପରା ଅନୁଯାୟୀ ଆଜି କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏହି ଅଦିନିଆ ରଥଯାତ୍ରା ଦେଖିବାକୁ ଗତକାଲି ଗାଁରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଆଜି ବି ଲୋକଙ୍କ ଜମିବ। ଏହି ରଥଯାତ୍ରା ପାଇଁ ପୂରା ଗାଁ ଚଳଚଞ୍ଚଳ ହୋଇପଡ଼ିଛି। ଗାଁରେ ଦୋକାନ ବଜାର ମଧ୍ୟ ଲାଗିଛି।
କୋନାବିରା ଗାଁ ଲୋକେ ଏହି ରଥଯାତ୍ରାକୁ ବାଲିଯାତ୍ରା କହିଥା’ନ୍ତି। ଗାଁ ଲୋକଙ୍କ ବିଶ୍ୱାସ ଅଛି, ଅନେକ ବର୍ଷ ତଳେ କୋନାବିରାର ଜଗନ୍ନାଥ ମନ୍ଦିରର ପୂଜକ ଦିଗଜନ ମାଝୀଙ୍କ ସ୍ୱପ୍ନରେ ନିଜେ ମହାପ୍ରଭୁ ଆସିଥିଲେ। ପ୍ରତି ବର୍ଷ କାର୍ତ୍ତିକ ଶୁକ୍ଲ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ମହାପ୍ରଭୁ ତାଙ୍କ ଭାଇଭଉଣୀଙ୍କ ସହିତ କୋନାବିରା ବସ୍ତିକୁ ଯିବେ ବୋଲି କହିଥିଲେ। ରାତି ସାରା ସେଠାରେ କୀର୍ତ୍ତନ ଓ ବାଲିଯାତ୍ରା ଦେଖିବେ। ପୁଣି କାର୍ତ୍ତିକ ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ ମନ୍ଦିରକୁ ଫେରି ଆସିବେ। ପୂଜକ ଦିଗଜନ ମାଝୀ ସକାଳେ ଗାଁଲୋକଙ୍କୁ ସମସ୍ତ କଥା କହିଥିଲେ। ଏହାପରେ ୧୯୯୭ ମସିହାରୁ ଏହି ଗାଁରେ ଏହି ଯାତ୍ରା ଆୟୋଜିତ ହୋଇ ଆସୁଛି।
ଲୋକଙ୍କ ବିଶ୍ୱାସ ଅଛି ଯେ, କାର୍ତ୍ତିକ ଭଳି ଧର୍ମ ମାସରେ ରଥାରୂଢ଼ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ। ତେଣୁ ଏଠାରେ ଲୋକଙ୍କ ଭିଡ଼ ଜମିଥାଏ।
from Odisha Reporter https://ift.tt/2K7ifS7
No comments:
Post a Comment