ଜୀବନଧାରା ଏବେ ମରଣଯନ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, November 1, 2019

ଜୀବନଧାରା ଏବେ ମରଣଯନ୍ତା

ଚାନ୍ଦବାଲି (ବାସୁଦେବ ଦାସ): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ୍‌ କୁବେରା ପଞ୍ଚାୟତର ଗୋବିନ୍ଦପୁର ରାସ୍ତା ଉପରେ ୫ଟି ଗାଁର ଲୋକେ ନିର୍ଭର କରନ୍ତି। ହେଲେ ଛଅ ବର୍ଷ ତଳେ ତିଆରି ହୋଇଥିବା ଏହି କଂକ୍ରିଟ୍‌ ରାସ୍ତାର ଅବସ୍ଥା ଏବେ ଶୋଚନୀୟ ହୋଇଯାଇଛି। ଅନେକ ସ୍ଥାନରେ କଂକ୍ରିଟ୍ ରାସ୍ତାଟି ଧସି ଯାଇଥିବା ବେଳେ ଆଉ କିଛି କିଛି ସ୍ଥାନରେ ମେଟାଲ୍ ଉଠିଯାଇ ବଡ଼ ବଡ଼ ଗାତ ସୃଷ୍ଟି ହୋଇଛି। ଫଳରେ ରାସ୍ତାଟି ଆଉ ଯାତାୟାତ ଉପଯୋଗୀ ହୋଇ ରହିନାହିଁ। ରାସ୍ତା ମରାମତି କରିବାକୁ ବାରମ୍ବାର ଦାବି କରାଯାଇଥିଲେ ସୁଦ୍ଧା କେହି କର୍ଣ୍ଣପାତ କରୁ ନଥିବା ଯୋଗୁ ସ୍ଥାନୀୟ ଲୋକେ ଏବେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।

ଏହି ରାସ୍ତାଟି ଇଶାଣପୁର ଠାରୁ ତଳଗୋବିନ୍ଦପୁର ଯାଏ ଲମ୍ବିଛି। ଏହାର ଲମ୍ବ ୪ କିଲୋମିଟର। ୨୦୦୮ ମସିହାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଏହି ରାସ୍ତାଟି ନିର୍ମାଣ କାର୍ଯ୍ୟ କରାଯାଇଥିଲା। ୪ କିଲୋମିଟରର ଏହି ରାସ୍ତା ତିଆରି କରିବାକୁ ୫ ବର୍ଷ ଲାଗିଥିଲା। ଅର୍ଥାତ୍ ୨୦୧୩ରେ ରାସ୍ତାକାମ ଶେଷ ହୋଇଥିଲା।

ଏହି ରାସ୍ତା ଦେଇ ତିନୋଟି ପଞ୍ଚାୟତର ୫ ଖଣ୍ଡ ଗାଁ- ଜୟପୁର, ଦେଉଳା, ଭଗବାନପୁର, ମାଙ୍କଡ କୋଲା ଓ କଷଟିର ଲୋକେ ଯା’ଆସ କରନ୍ତି। ହେଲେ କେଉଁଠି ରାସ୍ତା ଫାଟି ଆଁ କରିଛି ତ କେଉଁଠି ମେଟାଲ ବାହାରି ରାସ୍ତାରେ ବଡ଼ ବଡ଼ ଗାତ ହୋଇଛି। କିଛି ସ୍ଥାନରେ ରାସ୍ତାଟି ଅଧାରୁ ଅଧିକ ଧସି ଯାଇଛି। ଫଳରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ସ୍କୁଲ୍ ପିଲାମାନେ ଭାରି ହଇରାଣ ହେଉଛନ୍ତି। ସେହିଭଳି ରୋଗୀମାନଙ୍କୁ ଡାକ୍ତରଖାନା ନେବାରେ ଅସୁବିଧା ହେଉଛି। ଏମିତିକି ରୋଗୀଙ୍କୁ ଏ ରାସ୍ତାରେ ଡାକ୍ତରଖାନା ନେବାକୁ ଭୟ ଲାଗୁଛି ବୋଲି ଲୋକେ କହିଛନ୍ତି।

ଅନ୍ୟ କୌଣସି ଉପାୟ ନଥିବାରୁ ଏହି ରାସ୍ତାରେ ଏବେବି ମୋଟର ସାଇକେଲ ଠାରୁ ଆରମ୍ଭ କରି ଚାରି ଚକିଆ ଯାନ ବହୁତ ବିପଦପୂର୍ଣ୍ଣ ଅବସ୍ଥାରେ ଯିବା ଆସିବା କରୁଛି। ଏଥିପାଇଁ ଅନେକ ସମୟରେ ଦୁର୍ଘଟଣା ବି ଘଟୁଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।  

ରାସ୍ତାଟିର ମରାମତି ପାଇଁ ସ୍ଥାନୀୟ ଲୋକେ ବାରମ୍ୱାର ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ହେଲେ କିଛି ସୁଫଳ ମିଳିନାହିଁ। ଆଗାମୀ ଦିନରେ ରାସ୍ତା ମରାମତି କରା ନଗଲେ ଭଦ୍ରକ-ଚାନ୍ଦବାଲି ରାସ୍ତାର ଦୋଳସାହି ଠାରେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

କୁବେରା ଗ୍ରାମବାସୀ କୁଳମଣି ବେହେରା କହିଛନ୍ତି, “ଏହି ରାସ୍ତାଟି କୁବେରା ଗ୍ରାମବାସୀଙ୍କ ପାଇଁ ଜୀବନଧାରା। କିନ୍ତୁ ଏବେ ଏହା ମରଣଯନ୍ତା ପାଲଟିଛି। ରାସ୍ତାର ମରାମତି ପାଇଁ ଆମେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇଛୁ। କିନ୍ତୁ କେହି ଏ ଦିଗରେ ପଦକ୍ଷେପ ନେଇ ନାହାନ୍ତି।”

ସେହିପରି କଷଟି ଗ୍ରାମବାସୀ ଧୀରେନ୍ଦ୍ର ସ୍ୱାଇଁ କହିଛନ୍ତି, “ଆମ ଗାଁରେ ଅନେକ ଲୋକେ ଚାଷ କରି ପରିବାର ପୋଷନ୍ତି। ତେବେ ରାସ୍ତା ଖରାପ ହୋଇଥିବା ଯୋଗୁ ଚାଷୀମାନେ ସେମାନଙ୍କ ଜିନିଷ ବାହାରକୁ ବିକ୍ରି କରିବାକୁ ନେବାରେ ଅସୁବିଧା ହେଉଛି। ସେହିଭଳି ରାସ୍ତା ଖରାପ ହୋଇଥିବା ଯୋଗୁ ପ୍ରତିଦିନ ଏଠାରେ ଦୁର୍ଘଟଣା ଘଟୁଛି। ଏନେଇ ଆମେ ଅଭିଯୋଗ କଲେ ମଧ୍ୟ ସରକାରଙ୍କ ନିଦ ଭାଙ୍ଗୁନାହିଁ।”

ତିହିଡ଼ି ବ୍ଲକ୍‌ ବିଡିଓ ଦିବ୍ୟଜ୍ୟୋତି ଦେଓ କହିଛନ୍ତି, “ପୂର୍ତ୍ତ ବିଭାଗ ଏହି ରାସ୍ତାଟି ନିର୍ମାଣ କରିଥିଲା। ରାସ୍ତାର ରକ୍ଷଣାବେକ୍ଷଣ଼ ଦାୟିତ୍ୱ ମଧ୍ୟ ପୂର୍ତ୍ତ ବିଭାଗକୁ  ଦିଆଯାଇଛି। ରାସ୍ତାର ମରାମତି ପାଇଁ ଆମେ ପୂର୍ତ୍ତ ବିଭାଗକୁ ଚିଠି କରିବା ସହ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରିଛୁ।”

ପ୍ରାୟ ତିନି ବର୍ଷ ତଳେ ରାସ୍ତାଟି ଖରାପ ହେବା ଆରମ୍ଭ କରିଥିଲା। ତେବେ ମରାମତି ଦିଗରେ ଧ୍ୟାନ ଦିଆ ନଯିବାରୁ ଏହାର ଅବସ୍ଥା ଏବେ ଶୋଚନୀୟ ହୋଇପଡ଼ିଛି। ପ୍ରଶାସନ କେବେ ଏ ରାସ୍ତାର ମରାମତି କରୁଛି, ତାହା ଦେଖିବା ବାକି ରହିଲା।



from Odisha Reporter https://ift.tt/2C1Mbur

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages