ନୂଆଦିଲ୍ଲୀ: ପୁଣି ଥରେ କଳାଧନ ଉପରେ ମୋଦି ସରକାର ସର୍ଜିକାଲ ଷ୍ଟ୍ରାଇକ୍ କରିପାରନ୍ତି। ଏଥିପାଇଁ କେନ୍ଦ୍ର ସରକାର ଭିତିରିଆ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ୨୦୧୬ରେ ବିମୁଦ୍ରିକରଣ ପରେ ସମ୍ପତ୍ତି ସହିତ ଆଧାର କାର୍ଡ ଲିଙ୍କ୍ ହେବ ବୋଲି ଚର୍ଚ୍ଚା ଚାଲିଥିଲା। ଏବେ ୩ ବର୍ଷ ପରେ ପୁଣିଥରେ ଆଧାର କାର୍ଡକୁ ସମ୍ପତ୍ତି ସହ ଯୋଡ଼ା ଯିବ ବୋଲି କେନ୍ଦ୍ର ସରକାର ଚିନ୍ତା କରୁଥିବା ଚର୍ଚ୍ଚା ଚାଲିଛି। ଯଦି କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନିଅନ୍ତି, ତା’ହେଲେ ଏହା କଳାଧନ ଉପରେ ସରକାରଙ୍କର ବଡ଼ ସର୍ଜିକାଲ ଷ୍ଟ୍ରାଇକ୍ ହେବ। କାରଣ ସମ୍ପତ୍ତି ସହିତ ଆଧାର କାର୍ଡ ଲିଙ୍କ୍ ହେଲେ ଅନେକ ମନି ଲଣ୍ଡରିଂ ମାମଲା, କଳାଧନର ମୁଖା ଖୋଲିଯିବ।
୨୦୧୪ରେ ଦୁର୍ନୀତି ହଟାଓ ନାରା ଦେଇ ମୋଦି ସରକାର କ୍ଷମତାକୁ ଆସିଥିଲେ। ସରକାର ଗଠନ କରିବା ପରେ ରିୟଲ ଇଷ୍ଟେଟ ଶିଳ୍ପରେ ପ୍ରବେଶ କରୁଥିବା କଳା ଧନର ରାସ୍ତା ବନ୍ଦ କରିଥିଲେ। ପରିଣାମ ସ୍ୱରୂପ ଅନେକ ରିୟଲ ଇଷ୍ଟେଟ୍ ବ୍ୟବସାୟ ମାନ୍ଦା ଅବସ୍ଥାକୁ ଆସିଥିଲା। ଏମିତିକି ଅନେକ ଘର, ଫ୍ଲାଟ ଆଦିର ଦାମ କମିଯାଇଥିଲା। ଦେଶର ଅର୍ଥନୀତି ଦୁର୍ବଳ ହେବା ପଛରେ ଏହି ନିୟମ ଆଉ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି।
କଳାଧନ ଜମା ରଖିଥିବା ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହେବା ପରେ ଅନେକ ଲୋକ ଫ୍ଲାଟ ଆଦି କିଣି ପାରୁଥିବା ଦେଖିବାକୁ ମିଳିଛି। ସେହିପରି ୨୦୨୨ରେ କେନ୍ଦ୍ର ସରକାର ‘ସମସ୍ତଙ୍କୁ ଘର’ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏହା ପୂର୍ବରୁ ପୁଣିଥରେ କଳାଧନ ଉପରେ ପ୍ରହାର କରିବାକୁ ଯାଇ ମୋଦି ସରକାର ସମ୍ପତ୍ତି ସହିତ ଆଧାର କାର୍ଡ ଯୋଡିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସମ୍ପତ୍ତି ସହିତ ଆଧାର କାର୍ଡ ଲିଙ୍କ୍ ପ୍ରକ୍ରିୟା ଏବେ ଅନ୍ତିମ ପର୍ଯ୍ୟାୟରେ ରହିଛି।
ଧାରା ୩୭୦, ନୋଟବନ୍ଦୀ, ଜିଏସଟି ଭଳି ବଡ଼ ବଡ଼ ଦୁଃସାହାସିକ ପଦକ୍ଷେପ ନେଇସାରିଛନ୍ତି ମୋଦି ସରକାର। ତେଣୁ ଆଧାର କାର୍ଡ ସହ ସମ୍ପତ୍ତିକୁ ଯୋଡ଼ିବା ସମ୍ଭାବନାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ। ଯଦି ସରକାର ଆଧାର କାର୍ଡକୁ ସମ୍ପତ୍ତି ସହିତ ଯୋଡ଼ିବ ତାହେଲେ ଦେଶର ଅର୍ଥନୀତିରେ ସ୍ୱଚ୍ଛତା ବୃଦ୍ଧି ପାଇବ। ରିୟଲ ଇଷ୍ଟେଟ ବ୍ୟବସାୟ ଜରିଆରେ ଯେଉଁଭଳି ଭାବରେ କଳାଧନ ସକ୍ରିୟ ରହିଛି ସେଥିରେ ଏକ ପ୍ରକାର ତାଲା ପଡ଼ିବ ବୋଲି କୁହାଯାଇପାରିବ। ଏହି ପଦକ୍ଷେପ ଫଳରେ ଦେଶରେ ଟିକସ ରାଜସ୍ୱ ବଢ଼ିପାରିବ ବୋଲି କୁହାଯାଉଛି।
from Odisha Reporter https://ift.tt/2qZC4Uw
No comments:
Post a Comment