ବାଲେଶ୍ୱର(ଓଡ଼ିଶା ରିପୋର୍ଟର) : ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲ୍କନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କ୍ଲୋରିନ୍ ଗ୍ୟାସ୍ ଲିକ୍ ଯୋଗୁ ଗତକାଲି ୮୮ ମହିଳା କର୍ମଚାରୀ ଅଣନିଃଶ୍ୱାସୀ ହୋଇ ଅସୁସ୍ଥ ହୋଇପଡ଼ିଥିଲେ। ଏହି ଘଟଣାରେ କମ୍ପାନୀ ବିରୋଧରେ ମାମଲା ରୁଜୁ ହୋଇଛି। ପୁଲିସ୍ ଫ୍ୟାକ୍ଟ୍ରି ସିଲ୍ କରିବା ସହ ୭ ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ଫ୍ୟାକ୍ଟ୍ରିର ସମସ୍ତ କର୍ମଚାରୀଙ୍କୁ ବାହାର କରି ଦିଆଯାଇଛି। ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିବା ନେଇ ମଧ୍ୟ ଟ୍ୱିଟ୍ ଯୋଗେ ଡିଜିପି ସୂଚନା ଦେଇଛନ୍ତି।
ଗତକାଲି ରାତିରେ ଏହି ଅଘଟଣ ଘଟିଥିବା ବେଳେ ଅସୁସ୍ଥମାନଙ୍କୁ ପ୍ରଥମେ ଖନ୍ତାପଡ଼ା ମେଡିକାଲ୍ ଓ ପରେ ବାଲେଶ୍ୱର ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଛି। ତେବେ କ୍ଲୋରିନ୍ ଗ୍ୟାସ୍ ଲିକ୍ରୁ ଏହି ଅଘଟଣ ହୋଇଥିବା ବାଲେଶ୍ୱର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ସ୍ପଷ୍ଟ କରିଛନ୍ତି। ତେବେ ସମସ୍ତଙ୍କ ଅବସ୍ଥା ଭଲ ଥିବା ସେ ସୂଚନା ଦେଇଛନ୍ତି। ଅସୁସ୍ଥଙ୍କ ଚିକିତ୍ସା ପାଇଁ ମୟୂରଭଞ୍ଜ ଓ କଟକରୁ ଅଧିକ ଡାକ୍ତରଙ୍କୁ ଡକାଯାଇଛି। ତେବେ ପ୍ଲାଣ୍ଟରେ ୧୮ ବର୍ଷରୁ କମ୍ ବୟସର ଶ୍ରମିକଙ୍କୁ କାମରେ ଲଗାଯାଉଥିବା ଅଭିଯୋଗର ତଦନ୍ତ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।
ଏ ସମ୍ପର୍କରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସିଡିଏମ୍ଓ କହିଛନ୍ତି, “ସମସ୍ତ ୮୮ ଜଣ ଅସୁସ୍ଥଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ଅବସ୍ଥାରେ ସୁଧାର ଆସିଲାଣି। କୌଣସୀ ରୋଗୀଙ୍କ ଅବସ୍ଥା ଗୁରୁତର ନାହିଁ ।”
ଗ୍ୟାସ ଲିକ୍ ଖବର ଜାଣିବା ପରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ବାଲେଶ୍ୱର ମେଡିକାଲ୍ରେ ପହଞ୍ଚି ଅସୁସ୍ଥଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି। ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅନ୍ୟପକ୍ଷେ ଏହି ଅଘଟଣ ଦୁଃଖଦାୟକ ବୋଲି ଫାଲକନ୍ ମୁଖ୍ୟ ତାରା ପଟ୍ଟନାୟକ କହିଛନ୍ତି। ଗ୍ୟାସ୍ ଲିକ୍ କଥାକୁ ସେ ଖଣ୍ଡନ କରିଛନ୍ତି। ପ୍ଲାଣ୍ଟ୍ରେ ଗ୍ୟାସ ଲିକ୍ ହୋଇନାହିଁ। ବରଂ ଏହା ବ୍ଲିଚିଂ ପାଇଁ ଘଟିଛି ବୋଲି ସେ କହିଛନ୍ତି। କର୍ମଚାରୀଙ୍କ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ସବୁ ପ୍ରକାର ପଦକ୍ଷେପ ନେଉଛନ୍ତି ଓ ଯାହା ଘଟିଛି ଦୁଃଖଦାୟକ ବୋଲି କହିବା ସହ ଆମେ ଏହାର ଅନୁସନ୍ଧାନ କରୁଛୁ ବୋଲି ଫାଲକନ୍ ମୁଖ୍ୟ କହିଛନ୍ତି।
ସୂଚନାଯୋଗ୍ୟ , ଗତକାଲି ସନ୍ଧ୍ୟାରେ ଏହି ଅଘଟଣ ଘଟିଥିଲା। ଫାଲ୍କନ୍ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ୍ ଲିକ୍ ଯୋଗୁ ଏଥିରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଏହା ଦେଖି ବହୁ ଶ୍ରମିକ ବାହାରକୁ ପଳାଇ ଆସିଥିଲେ। ଯେଉଁମାନେ ଫ୍ୟାକ୍ଟ୍ରି ଭିତରୁ ବାହାରି ପାରିନଥିଲେ, ସେମାନେ ସଜ୍ଞା ହରାଇ ପଡ଼ିଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଖନ୍ତାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଏହାପରେ ଗୁରୁତରମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତରିତ କରାଯାଇଥିଲା। ସମସ୍ତ ଅସୁସ୍ଥ ମହିଳା ଓ ଯୁବତୀ ହୋଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁଥିବା ଜଣାଯାଇଛି।
from Odisha Reporter https://ift.tt/2CJ7pxo
No comments:
Post a Comment