ମାଲକାନଗିରି (ଜିତେନ୍ଦ୍ର ବେଉରା): “ଫସଲ କାଟିବା ସମୟରେ ଧୋଇ ହୋଇଗଲା। ଧାନ, ମାଣ୍ଡିଆ ସବୁ ବୁଡ଼ିଗଲା। ଏବେ କିପରି ବଞ୍ଚିବୁ। ଏଠି କୁଲି, ମଜୁରି ବି କରି ପାରୁନୁ। ବର୍ଷ ବର୍ଷ ଧରି ଏମିତି ଫସଲ ବୁଡ଼ିଲେ ଆମେ କିପରି ବଞ୍ଚିବୁ। ଛୁଆଙ୍କୁ କ’ଣ ଦେଇ ବଞ୍ଚାଇବୁ। ସରକାର ଆମକୁ ବାଟ ଦେଖାଅ। ନଚେତ୍ ସରକାର କହିଲେ ଆମେ ମରିଯିବୁ।” ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଜଣେ ଆଦିବାସୀ ମହିଳା କ୍ଷୋଭର ସହ ଏହି କଥା କହିଛନ୍ତି।
ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ୱାଭିମାନ ଅଞ୍ଚଳବାସୀ ଧାନ,ମାଣ୍ଡିଆ ଓ ସୁଆଁ ପରି ଫସଲ କରିଥିଲେ। ଫସଲ ଫଳନ୍ତି ଅବସ୍ଥାରେ ପହଞ୍ଚିଥିବା ସମୟରେ ଲଗାଣ ବର୍ଷା ସେମାନଙ୍କ ପାଇଁ କାଳ ହେଲା । ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବା ଯୋଗୁ ଏହା ନିକଟରେ ଥିବା ଫସଲ ନଷ୍ଟ ହୋଇଗଲା। ଜଙ୍ଗଲ ରାସ୍ତା ଦେଇ ଢିପ ଜମିକୁ ଯାଇ ଚାଷ କରିଥିବା ଫସଲରେ କଷ୍ଟେମଷ୍ଟେ ବର୍ଷେ ଚଳିବା ପାଇଁ ସେମାନେ ଚିନ୍ତା କରୁଥିବା ବେଳେ ବନ୍ୟାରେ ସେତକ ବି ଧୋଇ ହୋଇଗଲା। ତେଣୁ ଏବେ ଏଠାକାର ଲୋକେ ବେଶ୍ ଚିନ୍ତିତ ହୋଇଯାଇଛନ୍ତି।
ବିଶାଳ ଜଳରାଶି ଡେଇଁ ପ୍ରଶାସନିକ ଅଧିକାରୀଙ୍କ ନିକଟରେ ପହଞ୍ଚି ସମସ୍ୟା ଜଣାଇବା ବି ସେମାନଙ୍କ ପକ୍ଷରେ ଏତେ ସହଜ ନୁହେଁ। ତେଣୁ ଜଳଭଣ୍ଡାରରେ ପାଣି ଭିତରେ ବୁଡ଼ି ୨ ଦିନ ପୂର୍ବେ ସେମାନେ ଅଭିନବ ପ୍ରତିବାଦ କରିଥିଲେ।
କିଛି ଦିନ ତଳେ ଆଦିବାସୀ ବିପ୍ଳବୀ ସଂଗଠନ ପକ୍ଷରୁ ନିରୀହ ଆଦିବାସୀଙ୍କୁ କ୍ଷତିପୂରଣ ଦେବା ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟର ମାରି ଦାବି ଜଣାଯାଇଥିଲା। କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ ସେମାନଙ୍କ ସମସ୍ୟା ଶୁଣିବାକୁ ବି ପହଞ୍ଚି ନଥିଲେ। ତେଣୁ ବାଧ୍ୟ ହୋଇ ସେମାନେ ଜଳଭଣ୍ଡାରରେ ବୁଡ଼ି ପ୍ରତିବାଦ କରିଥିଲେ। ଜଳଭଣ୍ଡାର ନିର୍ମାଣ ପରଠୁ ଜଳବନ୍ଦୀ ଜୀବନ କାଟୁଥିବା ଲୋକଙ୍କ ମୁହଁରୁ ପୁଣି ଜଳ ହିଁ ଛଡାଇ ନେଇଛି ବର୍ଷଯାକର ଦାନା। ଋଣ କରି ଚାଷ କରିଥିବା ଚାଷୀମାନେ କିଭଳି ଋଣ ସୁଝିବ ଓ ବର୍ଷଯାକ ପରିବାର ପୋଷିବ ସେ ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।
ଜିଲ୍ଲା କୃଷି ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ସ୍ୱାଇଁ କହିଛନ୍ତି, ଗଣମାଧ୍ୟମରୁ ଆମେ ଫସଲ ନଷ୍ଟ ହେବା କଥା ଜାଣିବାକୁ ପାଇଛୁ। ଏନେଇ ସର୍ଭେ କରି ରିପୋର୍ଟ ଦିଆଯିବ। ତେବେ ଜଳଭଣ୍ଡାର ନିକଟରେ ବୁଡ଼ିଯାଇଥିବା ଫସଲ ପାଇଁ କ୍ଷତିପୂରଣ ଦେବାର କୌଣସି ସରକାରୀ ନିୟମ ନାହିଁ। ତେଣୁ ସରକାରଙ୍କୁ ଏ ସଂପର୍କରେ ଅବଗତ କରାଯିବା। ସରକାର ଯାହା ନିର୍ଦ୍ଦେଶ ଦେବେ ସେହି ଅନୁସାରେ ପଦକ୍ଷେପ ନିଆଯିବ।
ସୂଚନାଯୋଗ୍ୟ, ଏ ଅଞ୍ଚଳରେ ଏପରି ଫସଲ ନଷ୍ଟ ହେବା ପ୍ରଥମ କଥା ନୁହେଁ। ଗତବର୍ଷ ମଧ୍ୟ ଏଭଳି ଫସଲ ନଷ୍ଟ ହୋଇଥିଲା। ପ୍ରଶାସନିକ ଅଧିକାରୀ ମଧ୍ୟ ସେହି ଅଞ୍ଚଳ ପରିଦର୍ଶନ କରି କ୍ଷୟକ୍ଷତିର ଆକଳନ କଲେ। କିନ୍ତୁ ସହାୟତା ଦିଆଯାଇ ନଥିଲା।
from Odisha Reporter https://ift.tt/34EY2uB
No comments:
Post a Comment