ରାୟଗଡ଼ା(ମନୋଜ ପାତ୍ର): ଗୋଟିଏ ଦିନରେ ପ୍ରଥମେ ପଦ ଗଲା, ପରେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ବି ଚାଲିଗଲା। ସଡ଼କ ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲା ପରିଷଦର ପୂର୍ବତନ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ ଘଟିଛି।
୨୦୧୭ ମସିହା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ଗତକାଲି କୋର୍ଟ ରଦ୍ଦ କରିବା ପରେ ତାଙ୍କର ପଦ ଚାଲି ଯାଇଥିଲା। ଏହା ପରେ କୋର୍ଟରୁ ଘରକୁ ଫେରିବା ବେଳେ ରାମନାଗୁଡ଼ା-ଗୁଣୁପୁର ରାସ୍ତାରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଶ୍ରୀକାକୁଲମ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
୨୦୧୭ ମାର୍ଚ୍ଚ ୧୨ ତାରିଖରେ ହୋଇଥିବା ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ଗତକାଲି ଅସିଦ୍ଧ କରିଥିଲେ ରାୟଗଡ଼ା ଜିଲ୍ଲା ଜଜ୍। ଉକ୍ତ ନିର୍ବାଚନରେ ପରିଷଦର ଅଧ୍ୟକ୍ଷ ଭାବେ କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗ ନିର୍ବାଚିତ ହୋଇଥିଲେ। କିନ୍ତୁ ବିଜେଡିର ଗଦାଧର ପୁଆଲା ଅଭିଯୋଗ କରିଥିଲେ, ବିଜେପିର ରାମଚନ୍ଦ୍ର ବେହେରା ତାଙ୍କ ଭୋଟ୍କୁ କଂଗ୍ରେସର ନିର୍ବାଚନ ଏଜେଣ୍ଟ ଦୁର୍ଗାପ୍ରସାଦ ପଣ୍ଡାଙ୍କୁ ଦେଖାଇ ଦେଇଥିଲେ। ଏହାପରେ ରାମଚନ୍ଦ୍ର ବେହେରାଙ୍କ ଭୋଟ୍କୁ ନାକଚ କରିବାକୁ ଦାବି କରି ସେ ଜିଲ୍ଲା ଜଜ୍ଙ୍କ କୋର୍ଟରେ ଆବେଦନ କରିଥିଲେ। ଏହାର ଶୁଣାଣି କରି କୋର୍ଟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଥିଲେ। ଏହି ରାୟ ବିରୋଧରେ ପୁରୁଷୋତ୍ତମ ଗମାଙ୍ଗ ହାଇକୋର୍ଟକୁ ଯାଇଥିଲେ।
ପୁରୁଷୋତ୍ତମଙ୍କୁ ପକ୍ଷ ରଖିବାର ସୁଯୋଗ ଦେବା ସହିତ ୩ ମାସ ଭିତରେ ରାୟ ପ୍ରକାଶ କରିବାକୁ ଜିଲ୍ଲା ଜଜ୍ଙ୍କୁ ୨୦୧୯ ସେପ୍ଟେମ୍ବରରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଜଜ୍ ପୁଣି ଥରେ ମାମଲାର ଶୁଣାଣି କରିଥିଲେ। ସାକ୍ଷ୍ୟ ଗ୍ରହଣ ପରେ ଗତକାଲି ଏହାର ରାୟ ପ୍ରକାଶ ପାଇଥିଲା। ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ କୋର୍ଟ ଅସିଦ୍ଧ ଘୋଷଣା କରିବା ସହିତ ପୁଣି ଥରେ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟଙ୍କ ଏଭଳି ନିର୍ଦ୍ଦେଶ ପରେ ପୁରୁଷୋତ୍ତମଙ୍କୁ ଏକ ପ୍ରକାର ଝଟ୍କା ଲାଗିଥିଲା। କୋର୍ଟରୁ ଘରକୁ ଫେରିବା ବାଟରେ ସେ ଦୁର୍ଘଟଣାର ଶିକାର ହୋଇଥିଲେ। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା।
from Odisha Reporter https://ift.tt/34Q8csd
No comments:
Post a Comment