ମୁମ୍ୱାଇ: ଆଧାର କାର୍ଡ଼ ଦେଶର ନାଗରିକତାର ପ୍ରମାଣ ନୁହେଁ। ମୁମ୍ୱାଇର ଏକ କୋର୍ଟ ନାଗରିକତାକୁ ନେଇ ଏକ ମାମଲାର ଶୁଣାଣି କରିବା ବେଳେ ଏଭଳି କହିଛନ୍ତି। ଫଳରେ ଜଣେ ୩୫ ବର୍ଷୀୟ ମହିଳାଙ୍କୁ ବର୍ଷେ ପାଇଁ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ଏହି ମହିଳା ଜଣଙ୍କ ବେଆଇନ ଭାବରେ ଦେଶରେ ପ୍ରବେଶ କରିଥିବା କୋର୍ଟ କହିଛନ୍ତି। ଜଣେ ବ୍ୟକ୍ତି ଦେଶର ନାଗରିକ ବୋଲି ଆଧାର କାର୍ଡ, ପାନ କାର୍ଡ ଆଦି ଆବଶ୍ୟକ ତଥ୍ୟ ନୁହେଁ। ଏଥିପାଇଁ ବ୍ୟକ୍ତିର ଜନ୍ମସ୍ଥାନ, ତାରିଖ, ସମୟ, ବାପା, ମାଆଙ୍କର ନାମ ଏବଂ ଜନ୍ମସ୍ଥାନର ତଥ୍ୟ ଆବଶ୍ୟକ ରହିଛି ବୋଲି କୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ, ମୁମ୍ୱାଇର ପୂର୍ବାଞ୍ଚଳରେ ରୁହନ୍ତି ଜ୍ୟୋତି ଗାଜି(ତସଲିମା ରବିଉଲ)। ୨୦୦୪ରେ ସେ ଓ ଅନ୍ୟ ୧୫ ଜଣ ବାଂଲାଦେଶରୁ ବିନା ପାସପୋର୍ଟରେ ଆସି ବେଆଇନ ଭାବରେ ମୁମ୍ୱାଇରେ ରହୁଥିଲେ। ଏହାପରେ ଆଧାର କାର୍ଡ ତିଆରି କରିବାରେ ସଫଳ ହୋଇଥିଲେ। ଏ ନେଇ ୨୦୦୯ରେ ଏକ ମାମଲା ଦାୟର ହୋଇଥିଲା। ଅନ୍ୟ ୧୫ ଜଣ ଫେରାର ରହିଥିବାରୁ କେବଳ ତସଲିମାଙ୍କ ଉପରେ ଶୁଣାଣି ହୋଇଛି।
ଅଦାଲତ ପାସପୋର୍ଟ ନିୟମ (ଭାରତରେ ପ୍ରବେଶ) ଏବଂ ବିଦେଶୀ ନୀତି ନିୟମ ଅନୁଯାୟୀ ତସଲିମାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ମହିଳା ହୋଇଥିବାରୁ ତାଙ୍କୁ କଠୋର ଦଣ୍ଡରୁ ଛାଡ଼ କରିଛନ୍ତି। ସେଥିପାଇଁ ମାତ୍ର ବର୍ଷେ ପାଇଁ ଜେଲ ଦଣ୍ଡାଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଏଭଳି ବେଆଇନ ଅନୁପ୍ରବେଶ ଦେଶ ପାଇଁ ଚିନ୍ତାଜନକ। ଅନ୍ୟ ଦେଶର ନାଗରିକ ଯଦି ତାଙ୍କ ଦେଶ ଛାଡ଼ି ଭାରତରେ ବସବାସ କରିବେ ତାହେଲେ ଆମ ଦେଶରେ ଆର୍ଥିକ ବୋଝ ବଡ଼ ସମସ୍ୟା ପାଲଟିବ।
ତେବେ ବର୍ଷେ ଜେଲଦଣ୍ଡ ଭୋଗିବା ପରେ ତସଲିମାଙ୍କୁ ଦେଶ ବାହାରକୁ ପଠାଇ ଦିଆଯିବ ବୋଲି କୋର୍ଟ କହିଛନ୍ତି।
from Odisha Reporter https://ift.tt/35jOm9D
No comments:
Post a Comment