ଐତିହାସିକ ଗୁଜା ପାହାଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 12, 2019

ଐତିହାସିକ ଗୁଜା ପାହାଡ଼

  • ଜ୍ଞାନବ୍ରତ ଭୋଇ

ଚାରିଆଡ଼େ ହୀରାକୁଦ ଜଳଭଣ୍ଡାରର ନୀଳ ଜଳରାଶି ସାଙ୍ଗକୁ ଘଞ୍ଚ ବନାନୀ। ଭଳିକି ଭଳି ବିଦେଶାଗତ ପକ୍ଷୀଙ୍କ କଳରବ। ଦୂର ଦିଗବଳୟ ସହ ମିଶିଥିବା ଅକାତ ପାଣିରୁ ଶୁଭୁଛି ନାଉରିଆର ମନଖୋଲା ଗୀତ। ତାରି ଭିତରେ ଇତିହାସର ମୁକସାକ୍ଷୀ ସାଜି ଛିଡା ହୋଇଛି ଐତିହାସିକ ଗୁଜା ପାହାଡ଼। ସ୍ୱାଧୀନ ଭାରତ ବର୍ଷର ପ୍ରଥମ ସର୍ବ ବୃହତ୍ତ ବିସ୍ଥାପନର ମୁକସାକ୍ଷୀ ସାଜିଛି ଏହି ଐତିହାସିକ ଗୁଜା ପାହାଡ଼। ଏହାର ମନୋରମ ଦୃଶ୍ୟ ପ୍ରତିଟି ଆଗନ୍ତୁକଙ୍କୁ ଦଶନ୍ଧି ଦଶନ୍ଧି ଧରି କରିଆସିଛି ଆନମନା। ପର୍ଯ୍ୟଟନର ଭରପୂର ସୁଯୋଗ ବହନ କରିଥିଲେ ହେଁ ସରକାରୀ ଦୃଷ୍ଟି ଆଢୁଆଳରେ ରହି ଆସିଥିବା ଏହି ଐତିହାସିକ ପର୍ବତ ସ୍ଥାନୀୟ ଅଧିବାସୀଙ୍କ ପାଇଁ କୈଳାସ, ଅମରନାଥ ପରି ପବିତ୍ର ପୀଠର ମାନ୍ୟତା ପାଇଆସିଛି।

ଲଖନପୁର ବ୍ଲକ୍‌ର ଗୁଜା ପାହାଡ଼ ଝାରସୁଗୁଡ଼ା ଜିଲ୍ଲାର ଅନ୍ୟତମ ଜଣାଶୁଣା ପର୍ଯ୍ୟଟନ ସ୍ଥଳୀ। ହୀରାକୁଦ ଜଳଭଣ୍ଡାର ପରିବେଷ୍ଟିତ ଏହି ପାହାଡ଼ ଏକ ଶୈବ ପୀଠ ଭାବେ ମଧ୍ୟ ପରିଚିତ। ପ୍ରାୟ ୯ବର୍ଗ କିଲୋମିଟର ଓ ୬ ଶହ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ପାହାଡ଼ ଅନେକ ଇତିହାସର ମୁକସାକ୍ଷୀ ସାଜିଛି। ୫୮ ବର୍ଷ ତଳେ ବିଶ୍ୱ ପ୍ରସିଦ୍ଧ ହୀରାକୁଦ ବନ୍ଧ ଦ୍ୱାରା ହୋଇଥିବା ଦେଶର ସର୍ବବୃହତ୍ତ ବିସ୍ଥାପନର କରୁଣ କାହାଣୀର ନିରବଦ୍ରଷ୍ଟା ସାଜିଛି ଏହି ପାହାଡ଼। ଆଖି ଆଗରେ ଶହ ଶହ ଗାଁ ଗଣ୍ଡା ବିଲୀନ ହେବାର ଦୃଶ୍ୟକୁ ଏହି ପାହାଡ଼ ଅଙ୍ଗେ ନିଭେଇଛି। ଆଜି ଚାରିପଟରୁ ଜଳଭଣ୍ଡାର ପାଣି ଭିତରେ ରହି ବିସ୍ଥାପିତଙ୍କ ସ୍ମୃତି ବହନ କରିବା ସହ ଆଗନ୍ତୁକ ପାଇଁ ପର୍ଯ୍ୟଟନ ସ୍ଥଳୀ ପାଲଟିଛି।

ଲଖନପୁର ବ୍ଲକ୍‌ର ତିଲିଆ ଗାଁରୁ ଏହି ସ୍ଥାନକୁ ପ୍ରାୟ ୭ କିଲୋମିଟର ରାସ୍ତା ଯିବାକୁ ପଡ଼ିଥାଏ। ଝାରସୁଗୁଡ଼ା ସଦର ମହକୁମାରୁ ପ୍ରାୟ ୪୦କିଲୋମିଟର ରାସ୍ତା ଗଲେ ପଡ଼ିବ ଏହି ପବିତ୍ର ପୀଠ। ତିଲିଆରୁ ଏହି ସ୍ଥାନରୁ ଯିବା ପାଇଁ ବର୍ତ୍ତମାନ କେବେଳ ଏକ ଅଣଓସାରିଆ ରାସ୍ତା ହିଁ ରହିଛି। ପାହାଡ଼ ତଳେ ପୂଜା ପାଉଛନ୍ତି ସିଦ୍ଧ ବାବା। ପ୍ରତ୍ୟେକ ବର୍ଷ ମାଘ ପୂର୍ଣ୍ଣମୀରେ ଏଠାରେ ପାଳନ ହୋଇଥାଏ ମାଘ ମେଳା। ବହୁ ଦୂରଦୂରାନ୍ତରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ଏହି ପବିତ୍ର ପୀଠରେ।

କିମ୍ବଦନ୍ତୀ କହେ, ପ୍ରାୟ ୪ହଜାର ବର୍ଷ ପୂର୍ବରୁ ଏଠାରେ ମଣିଷ ସଭ୍ୟତା ଗଢ଼ି ଉଠିଥିଲା। ସେତେବେଳଠାରୁ ଏଠାର ମାଘ ମେଳା ତିନି ଦିନ ଧରି ଅନୁଷ୍ଠିତ ହୋଇଆସୁଛି। କିଛି ବର୍ଷ ହେବ ଏଥିରେ ବିପୁଳ ଜନସମାଗମ ହେବା ସହ ଅଞ୍ଚଳବାସୀ ତଥା ପ୍ରଶାସନିକ ସହଯୋଗର ଏହା ମହୋତ୍ସବର ରୂପ ନେଇଛି। ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ରହିବା ଏବଂ ଖାଇବା ବ୍ୟବସ୍ଥା କରାଯାଉଛି। ହୀରାକୁଦ ବନ୍ଧ ଯୋଜନା ଯୋଗୁଁ ଏ ଅଞ୍ଚଳବାସୀ ବିସ୍ଥାପିତ ହେବା ପୂର୍ବରୁ ୧୯୫୩ ମସିହାରେ ଗୁଜା ପାହାଡ଼ ପାଦଦେଶରେ ୧୦ ଦିନ ବ୍ୟାପୀ ଏହି ମେଳା ଆୟୋଜିତ ହେଉଥିଲା। ଜନଶ୍ରୁତି ଆଧାରରେ, ଅନେକ ବର୍ଷ ପୂର୍ବରୁ ଏ ଅଞ୍ଚଳରେ ବର୍ଷା ନ ହେବାରୁ ଘୋର ଜଳାଭାବ ଦେଖା ଦେଇଥିଲା। ଲୋକେ ଜଳକଷ୍ଟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଲେ। ଜଳାଭାବରେ ଚାଷ ଉଜୁଡ଼ି ଯିବା ସାଙ୍ଗକୁ ସମସ୍ତ ଜଳାଶୟ ଶୁଖିଗଲା। ସେତେବେଳେ ଗୁଜା ପାହାଡ଼ ତଳେ ଥିବା ସିଦ୍ଧ ବାବା (ବୃନ୍ଦାବନ ଦାସ)ଙ୍କ ଶରଣାପନ୍ନ ହେଲେ ସ୍ଥାନୀୟ ଲୋକେ। ଲୋକଙ୍କ ଜଳକଷ୍ଟ ଦୂର କରିବା ପାଇଁ ବାବା ହରିହାଟର ଆୟୋଜନ କଲେ। ଆରମ୍ଭ ହେଲା ହୋମ ଯଜ୍ଞ। ବାବା ଧ୍ୟାନରେ ରହିବା ପରେ ତାଙ୍କୁ ଶୂନ୍ୟବାଣୀ ହେଲା। ଶୂନ୍ୟବାଣୀର ନିର୍ଦ୍ଦେଶ ଅନୁଯାୟୀ, ପାହାଡ ତଳେ ଥିବା ବଟବୃକ୍ଷ ତଳେ ବାବା ତାଙ୍କ ଚିମୁଟାରେ ୩ଥର ଆଘାତ କଲେ। ସେଠାରୁ ତିନିଧାର ଜଳ ବାହାରି ପାହାଡ଼ ତଳେ ଥିବା ପୋଖରୀ ଗୁଡ଼ିକ ପୂର୍ଣ୍ଣ ହୋଇଗଲା। ବାବାଙ୍କ ମହିମାରେ ପ୍ରବଳ ବର୍ଷା ହେଲା। ତାଙ୍କ ମହିମା ଚାରିଆଡ଼େ ପ୍ରଚାରିତ ହୋଇଗଲା। ସେହିଦିନରୁ ପ୍ରତ୍ୟେକ ବର୍ଷ ମାଘ ମେଳା ପାଳିତ ହୋଇଆସୁଛି। ବାବା ଅନ୍ତର୍ଦ୍ଧାନ ହେବାର ବହୁ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କ ଅଲୌକିତ ଶକ୍ତି ପ୍ରତି ଲୋକଙ୍କ ଅତୁଟ ବିଶ୍ୱାସ ରହିଛି। ଫଳରେ ଏବେ ବି ବହୂ ଦୂରଦୂରାନ୍ତର ମାନସିକଧାରୀ ବଟବୃକ୍ଷକୁ ଦର୍ଶନ କରିବାକୁ ଆସୁଛନ୍ତି।

ଗୁଜା ପାହାଡ଼ ଶୀର୍ଷରୁ ହୀରାକୁଦ ଜଳଭଣ୍ଡାରର ପ୍ରାକୃତିକ ଶୋଭାରାଜି ପର୍ଯ୍ୟଟକଙ୍କୁ ବିମୋହିତ କରିଥାଏ। ଏହାର ମନୋରମ ଦୃଶ୍ୟ ବର୍ଷ ବର୍ଷ ଧରି କବି, ଭାବୁକ ଓ ଗବେଷକଙ୍କୁ ସୃଜନର ଖୋରାକ ଯୋଗାଇଆସିଛି। ଗୁଜା ପାହାଡ଼ ସବୁ ପର୍ଯ୍ୟଟକଙ୍କୁ ପର୍ବତାରୋହଣରେ ନିଆରା ଅନୁଭୂତି ଦେଇଥାଏ। ପାହାଡ଼ଟି ଔଷଧୀୟ ଗୁଳ୍ମର ଭର୍ତ୍ତି ହୋଇ ରହିଛି। ଏହାର ପାଦ ଦେଶରୁ ଜଳମଗ୍ନ ହୋଇଥିବା ହଜାରେ ବର୍ଷର ପୁରୁଣା ଅନେକ ଭଗ୍ନ ମନ୍ଦିର ଦୃଶ୍ୟମାନ ହୋଇଥାଏ। ଏହାଛଡ଼ା ଏହି ପାହାଡ଼ର ଅନ୍ୟ ଏକ ବିଶେଷତ୍ୱ ହେଲା ଯେ, ଏହାର ବକ୍ଷରେ ପ୍ରାୟ ଦେଢ଼ ଶହ ମିଟର ଲମ୍ବର ଏକ ସୁଡ଼ଙ୍ଗ ରହିଛି। ସୁଡ଼ଙ୍ଗର ଉତ୍ତର ପଟରୁ ପ୍ରବେଶ କରି ଦକ୍ଷିଣ ପଟରେ ପ୍ରସ୍ଥାନ କରିବାର ସୁବିଧା ରହିଛି। କେହି କେହି ଦକ୍ଷିଣ ବାଟେ ପ୍ରବେଶ କରି ଉତ୍ତର ପଟରେ ମଧ୍ୟ ବାହାରିଥା’ନ୍ତି। ଏହି ସୁଡ଼ଙ୍ଗରେ ମଧ୍ୟପ୍ରଦେଶର ୬୪ ଯୋଗିନୀଙ୍କ ଅର୍ଦ୍ଧଖୋଦିତ ପଥର ମୂର୍ତ୍ତି ଏବେ ବି ସ୍ପଷ୍ଟ ଭାବେ ଦୃଶ୍ୟମାନ ହେଉଛି। ସରକାରଙ୍କ ତରଫରୁ ଏହାକୁ ବିକଶିତ କରାଗଲେ ଝାରସୁଗୁଡ଼ା ଜିଲ୍ଲାରେ ଏହା ଏକ ପ୍ରମୁଖ ପର୍ଯ୍ୟଟନ ପୀଠର ମାନ୍ୟତା ପାଇପାରନ୍ତା।

(ସୌଜନ୍ୟ- ‘ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା’;  ସଂପାଦନା- ଡକ୍ଟର ସୁଶୀଳ କୁମାର ବାଗ୍‌)

    

 



from Odisha Reporter https://ift.tt/2Pzm6Jm

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages