ନୂଆ ବର୍ଷ ଆଣିଦିଏ ଡବଲ୍ ଖୁସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 31, 2019

ନୂଆ ବର୍ଷ ଆଣିଦିଏ ଡବଲ୍ ଖୁସି

ମୁମ୍ବାଇ: ସରିଯାଇଛି ବର୍ଷ ୨୦୧୯। ଆରମ୍ଭ ହୋଇଛି ନୂଆ ବର୍ଷ ୨୦୨୦। ସମସ୍ତେ ଧୂମ୍‌ଧାମ୍‌ରେ ନୂଆ ଇଂରାଜୀ ବର୍ଷକୁ ସ୍ୱାଗତ କରିଛନ୍ତି ଓ ପରସ୍ପରକୁ ଶୁଭକାମନା ଜଣାଇଛନ୍ତି। ନୂଆ ବର୍ଷଟି ସବୁବେଳେ ଖୁସି ହେବାର ଏକ ସୁଯୋଗ ଆଣି ଦେଉଥିବା ବେଳେ ଅନେକଙ୍କ ପାଇଁ ଏହା ଡବଲ୍ ଖୁସି ମଧ୍ୟ ଆଣି ଦେଇଥାଏ। କାରଣ ସେହିଦିନ ସେମାନଙ୍କର ଜନ୍ମଦିନ ବି ପଡ଼େ। ଆଉ ସେହିମାନଙ୍କ ମଧ୍ୟରେ କିଛି ବଲିଉଡ୍‌ କଳାକାର ବି ଅଛନ୍ତି। ତା’ହେଲେ ଆସନ୍ତୁ ଜାଣିବା ସେହି ସବୁ କଳାକାରମାନଙ୍କ ସଂପର୍କରେ।

‘ଶୋଲେ’ରେ ଅସରାନୀ

ଅସରାନୀ: ଅଭିନେତା, କମେଡିଆନ୍‌ ଓ ନିର୍ଦ୍ଦେଶକ ଅସରାନୀଙ୍କ ପ୍ରକୃତ ନାଁ ଗୋବର୍ଦ୍ଧନ ଅସରାନୀ। କିନ୍ତୁ ସେ ଅସରାନୀ ନାଁରେ ଅଧିକ ପରିଚିତ। ୧୯୪୧ ମସିହା ଜାନୁଆରୀ ୧ ତାରିଖରେ ରାଜସ୍ଥାନର ଜୟପୁରରେ ସେ ଜନ୍ମ ହୋଇଥିଲେ। ୫୦ ବର୍ଷର ଫିଲ୍ମ କ୍ୟାରିୟରରେ ସେ ୩୫୦ରୁ ଅଧିକ ଫିଲ୍ମ କରିଛନ୍ତି। କମେଡିଆନ୍ ସହିତ ଅନେକ ଫିଲ୍ମରେ ସେ ମୁଖ୍ୟ ଅଭିନେତାଙ୍କ ବନ୍ଧୁ ବା ଜଣେ ସହ-ଅଭିନେତା ଭାବେ ବହୁ ଫିଲ୍ମରେ ସେ କାମ କରିଛନ୍ତି। ୬ଟି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ଅସରାନୀ ଅନେକ ଗୁଜରାଟୀ ଫିଲ୍ମରେ ବି ଅଭିନୟ କରିଛନ୍ତି। ଗୁଜରାଟୀ ଚଳଚ୍ଚିତ୍ରରେ ସେ ମୁଖ୍ୟ ଚରିତ୍ରରେ ଅଭିନୟ କରିଛନ୍ତି। ଶ୍ରେଷ୍ଠ କମେଡିଆନ୍ ଭାବେ ସେ ଦୁଇ ଥର ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି।

‘କ୍ରାନ୍ତିବୀର’ ଫିଲ୍ମରେ ନାନା

ନାନା ପାଟେକର: ତାଙ୍କ ପ୍ରକୃତ ନାଁ ବିଶ୍ୱନାଥ ପାଟେକର। ସେ ମହାରାଷ୍ଟ୍ରର ରାଇଗଡ଼ ଜିଲ୍ଲାର ମୁରୁଦ-ଜଞ୍ଜିରା ଗାଁରେ ୧୯୫୧ ମସିହା ଜାନୁଆରୀ ୧ ତାରିଖରେ ଜନ୍ମ ହୋଇଥିଲେ। ସେ ହେଉଛନ୍ତି ଏକମାତ୍ର ଅଭିନେତା ଯିଏ ଶ୍ରେଷ୍ଠ ଅଭିନେତା, ଶ୍ରେଷ୍ଠ ସହ-ଅଭିନେତା ଓ ଶ୍ରେଷ୍ଠ ଭିଲିଆନ୍ ଭାବେ ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି। ମୁମ୍ବାଇର ଜେ.ଜେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଆପ୍ଲାଏଡ୍ ଆର୍ଟରୁ ପାଠ ପଢ଼ିଥିବା ନାନା ପାଟେକର ଫିଲ୍ମ ‘ପରିନ୍ଦା’ ପାଇଁ ଶ୍ରେଷ୍ଠ ସହ-ଅଭିନେତା ଭାବେ ଫିଲ୍ମଫେୟାର ପୁରସ୍କାର ପାଇଥିବା ବେଳେ ‘ଅଙ୍ଗାର’ ପାଇଁ ଶ୍ରେଷ୍ଠ ଭିଲିଆନ୍‌ ଓ ‘କ୍ରାନ୍ତିବୀର’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରସ୍କାର ପାଇଥିଲେ। ସେହିପରି ‘ପରିନ୍ଦା’ ଓ ‘ଅଗ୍ନିସାକ୍ଷୀ’ ଫିଲ୍ମ ପାଇଁ ସେ ଶ୍ରେଷ୍ଠ ସହ-ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ‘କ୍ରାନ୍ତିବୀର’ ପାଇଁ ଶ୍ରେଷ୍ଠ ଅଭିନେତା ଭାବେ ଏହି ପୁରସ୍କାର ପାଇଥିଲେ। ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ମଧ୍ୟ ସମ୍ମାନିତ କରିଛନ୍ତି। ୧୯୭୮ରେ ‘ଗମନ୍’ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ନାନା ଉଭୟ ହିନ୍ଦୀ ଓ ମରାଠୀରେ ୭୫ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି। ନିଜର ନିଆରା ଅଭିନୟ ପାଇଁ ଖୁବ୍ ଜଣାଶୁଣା ନାନା ମହାରାଷ୍ଟ୍ରର ଚାଷୀମାନଙ୍କୁ ସାହାଯ୍ୟ କରି ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି।

‘ସରଫୋରଶ୍‌’ରେ ଆମୀରଙ୍କ ସହ ସୋନାଲୀ

ସୋନାଲୀ ବେନ୍ଦ୍ରେ: ସେ ଉଭୟ ଅଭିନେତ୍ରୀ ଓ ମଡେଲ। ୧୯୭୫ ମସିହା ଜାନୁଆରୀ ୧ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିଲେ ସୋନାଲୀ। ସେ ହିନ୍ଦୀ ଫିଲ୍ମ ସହିତ ତେଲଗୁ, ତାମିଲ, ମରାଠି ଓ କନ୍ନଡ଼ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଏହି ସବୁ ଭାଷାରେ ସେ ପାଖାପାଖି ୫୦ ଫିଲ୍ମରେ ଅଭିନୟ କରିଛନ୍ତି। ୧୯୯୪ ମସିହାରେ ଫିଲ୍ମ ‘ଆଗ୍‌’ ଜରିଆରେ ବଲିଉଡ୍‌ରେ ପାଦ ଥାପି ଥିବା ସୋନାଲୀ ‘ବମ୍ବେ’, ‘ଦିଲ୍‌ଜଲେ’, ‘ତରାଜୁ’, ‘ଜଖମ’, ‘ହମ୍ ସାଥ୍ ସାଥ୍ ହେଁ’ ଓ ‘ସରଫୋରସ୍’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ‘ଆଗ୍‌’ ପାଇଁ ସେ ବେଷ୍ଟ୍ ଡେବ୍ୟୁ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ପାଇଥିଲେ। ‘ହାମାରା ଦିଲ୍ ଆପ୍‌କେ ପାସ୍ ହେ’ ପାଇଁ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ସେ ସ୍କ୍ରିନ୍ ପୁରସ୍କାର ଜିତିଥିଲେ। ସୋନାଲୀଙ୍କୁ ବିଭିନ୍ନ ରିଆଲିଟି ଶୋ’ରେ ବିଚାରପତି ଭାବେ ଦେଖିବାକୁ ମିଳିଛି। ୨୦୧୮ର ଜୁଲାଇ ମାସରେ ସେ କର୍କଟ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ଏହା ପରେ ପ୍ରାୟ ୫ ମାସ ଧରି ସେ ଆମେରିକାରେ ଚିକିତ୍ସିତ ହୋଇ ଫେରିଥିଲେ।

‘ଡାର୍ଟି ପିକ୍ଚର’ରେ ବିଦ୍ୟା

ବିଦ୍ୟା ବାଲନ୍‌: ଅନେକ୍ ହିଟ୍ ଫିଲ୍ମ ଦେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିବା ବିଦ୍ୟା ୧୯୭୯ ମସିହା ଜାନୁଆରୀ ୧ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିଲେ। ସେ ଗୋଟିଏ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିବା ବେଳେ ୬ଟି ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି। ସେ ୬ଟି ସ୍କ୍ରିନ୍ ଆୱାର୍ଡ ମଧ୍ୟ ଜିତିଛନ୍ତି। ‘ଦ ଡାର୍ଟି ପିକ୍‌ଚର’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ୨୦୧୪ରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଥିଲେ। ସେ ’କାହାନୀ’, ‘ଦ ଡାର୍ଟି ପିକ୍‌ଚର୍‌’, ‘ନୋ ୱାନ୍ କିଲ୍‌ଡ ଜେସିକା’ ଓ ‘ଇଶ୍‌କିୟା’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି। ସେ ସିଦ୍ଧାର୍ଥ ରୟ କପୁରଙ୍କୁ ବିବାହ କରିଛନ୍ତି। ଫିଲ୍ମକୁ ଆସିବା ପୂର୍ବରୁ ସେ ବହୁ ଚର୍ଚ୍ଚିତ ଟିଭି ଶୋ’ ‘ହମ୍ ପାଞ୍ଚ୍‌’ରେ ଅଭିନୟ କରିଥିଲେ। ‘ପରିନୀତା’ ହେଉଛି ତାଙ୍କ ପ୍ରଥମ ହିନ୍ଦୀ ଫିଲ୍ମ। ଏଥିପାଇଁ ସେ ଶ୍ରେଷ୍ଠ ଡେବ୍ୟୁ ଅଭିନେତ୍ରୀ ଭାବେ ଫିଲ୍ମ ଫେୟାର ପୁରସ୍କାର ପାଇଥିଲେ।

‘ଲଗାନ୍‌’ରେ ଆମୀରଙ୍କ ସହ ୟଶପାଲ୍‌

ୟଶପାଲ୍ ଶର୍ମା: ‘ହଜାରୋଁ ଖ୍ୱାଇଶେଁ ଐସି’, ‘ଲଗାନ୍‌’, ‘ଗଙ୍ଗାଜଲ୍‌’, ‘ଅବ୍ ତକ୍ ଛପନ୍’, ‘ଅପ୍‌ହରଣ’, ‘ସିଂହ ଇଜ୍ କିଙ୍ଗ୍‌’ ଓ ‘ଆରକ୍ଷଣ’ ଭଳି ଫିଲ୍ମରେ ଅଭିନୟ କରିଥିବା ୟଶପାଲ୍‌ ୧୯୬୭ ମସିହା ଜାନୁଆରୀ ୧ରେ ହରିଆଣାର ହିସାରରେ ଜନ୍ମ ହୋଇଥିଲେ। ହିନ୍ଦୀ ସହିତ ମରାଠୀ, ପଞ୍ଜାବୀ, ତେଲୁଗୁ ଓ ଗୁଜରାଟୀ ଭାଷାରେ ସେ ୭୫ରୁ ଅଧିକ ଫିଲ୍ମରେ କାମ କରିସାରିଛନ୍ତି।



from Odisha Reporter https://ift.tt/2MKvRno

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages