ପ୍ରାଚୀନ ସଭ୍ୟତାର ସ୍ମାରକୀ: ବିକ୍ରମଖୋଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 9, 2019

ପ୍ରାଚୀନ ସଭ୍ୟତାର ସ୍ମାରକୀ: ବିକ୍ରମଖୋଲ

  • ମେହବୁବ ମହତାବ

ରାଜ୍ୟର ପର୍ଯ୍ୟଟନ ଇତିହାସରେ ଏକ ପରିଚିତ ନାମ ‘ବିକ୍ରମଖୋଲ’। ଏଠାରୁ ଆବିଷ୍କୃତ ଶିଳାଲିପି ଐତିହାସିକ, ଗବେଷକଙ୍କୁ ଆକର୍ଷିତ କରୁଥିବା ବେଳେ ବିକ୍ରମ ପାହାଡ଼ ଓ ଗୁମ୍ଫାର ପ୍ରାକୃତିକ ମନୋରମ ଦୃଶ୍ୟ ପର୍ଯ୍ୟଟନ କେନ୍ଦ୍ରର ବିଶେଷତ୍ୱକୁ ବୃଦ୍ଧି କରୁଛି। ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ସହରଠାରୁ ମାତ୍ର ୧୨ କିଲୋମିଟର ଦୂରେ ଅବସ୍ଥିତ ବିକ୍ରମ ପାହାଡ଼। ପାହାଡ଼ର ଏକ ଗୁମ୍ଫାରେ ଖୋଦିତ ପ୍ରାଚୀନ ଶିଳାଲିପି ସର୍ବପ୍ରଥମେ ୧୯୨୪ ମସିହାରେ ଆବିଷ୍କୃତ ହୋଇଥିଲା। ପରେ ୧୯୭୨ମସିହାରେ ପ୍ରଖ୍ୟାତ ଭାରତୀୟ ଲିପିତତ୍ତ୍ୱବିତ୍‌ ଗବେଷକ କେ.ପି ଜୟଶ୍ୱାଲ ଏହାକୁ ଲୋକଲୋଚନକୁ ଆଣିବାରେ ପ୍ରୟାସ କରିଥିଲେ।

image credit- internet

ପ୍ରସ୍ତର ଦେହରେ ଖୋଦିତ ଏହି ଲିପି କେଉଁ କାଳରୁ, ତାହା ଏଯାଏଁ ସ୍ପଷ୍ଟ ହୋଇନଥିଲେ ହେଁ ଏହା ସିନ୍ଧୁ ସଭ୍ୟତାକାଳୀନ ଲିପି ଏବଂ ପରିବର୍ତ୍ତୀ କାଳରେ ବିକଶିତ ବ୍ରାହ୍ମୀଲିପିର ମଧ୍ୟବର୍ତ୍ତୀ ଯୁଗର ବୋଲି ବିଶ୍ୱାସ କରାଯାଏ। ବେଲପାହାଡ଼ଠାରୁ ଲଖନପୁର ପର୍ଯ୍ୟନ୍ତ ଲମ୍ବିଥିବା ବିକ୍ରମ ପାହାଡ଼ର ମଧ୍ୟବତ୍ତୀ ସ୍ଥଳରୁ ସୃଷ୍ଟି ହୋଇଥିବା ଶାଖା ପାହାଡ଼ରୁ ବହିଯାଉଛି ଆମ୍ବଝରଣା ନାମକ ଏକ ସୌନ୍ଦର୍ଯ୍ୟଭରା ଝରଣା। ବିକ୍ରମଖୋଲ ଗୁମ୍ଫାର ଦୌର୍ଘ୍ୟ ପ୍ରାୟ ୧୧୫ ମିଟର ଓ ପ୍ରସ୍ଥ ୨୮ ଫୁଟ୍‌। ଗୁମ୍ଫା ଦେହରେ ଖୋଦିତ ଶିଳାଲିପି ବ୍ୟତୀତ ରହିଛି ବନ୍ୟଜନ୍ତୁଙ୍କ ଅସ୍ପଷ୍ଟ ଚିତ୍ର।

image credit- internet

ଗୁମ୍ଫାର ଶୀର୍ଷରେ ପ୍ରାୟ ୮ଫୁଟ ଓସାର ଓ ୩୫ଫୁଟ ଲମ୍ବର ବିସ୍ତୃତ ପ୍ରସ୍ତର ଖଣ୍ଡେ ରହିଛି। ଏହା ଗୁମ୍ଫାର ଛାତ ସଦୃଶ ଦୃଶ୍ୟମାନ ହୋଇଥାଏ। ଗୁମ୍ଫାର ଏହି ପ୍ରାକୃତିକ ଛାତ ତଳେ ସେ ସମୟରେ ଲୋକମାନେ ବାସପୋଯୋଗୀ ସୁରକ୍ଷା ପାଉଥିବା ଅନୁମାନ କରାଯାଏ। ଗୁମ୍ଫାର ପ୍ରସ୍ତର ଚଟାଣ ଶଯ୍ୟାରେ ରହିଥିବା କେତେକ ବର୍ଗାକାର ଗର୍ତ୍ତ ଖାଦ୍ୟଶସ୍ୟ ରଖିବା, କୁଟିବା ଆଦିରେ ବ୍ୟବହୃତ ହେଉଥିବା ବିଶ୍ୱାସ କରାଯାଏ।

ବିକ୍ରମଖୋଲ ଗୁମ୍ଫାର ଅନିତ ଦୂରରେ ମହେଶ୍ୱର ପାହାଡ଼ରେ ‘ଉଷାକୁଟୀ’ ନାମକ ପର୍ବତ୍ୟ ଗୁମ୍ଫା ରହିଛି। ଯେଉଁଥିରେ କେତେକ ପ୍ରାଚୀନ ଶିଳାଲିପି ଓ ଅସ୍ପଷ୍ଟ ଚିତ୍ର ଦୃଶ୍ୟମାନ। ଏହାକୁ ଲାଗି ଉଲାପଗଡ଼ ପ୍ରାଚୀନ ଦୁର୍ଗର ଭଗ୍ନାବଶେଷ ରହିଛି। ମାଲିକଗୁଣ୍ଡା, ଚିତରାଖୋଲ ପ୍ରଭୃତ ଗୁମ୍ଫା ଗୁଡିକରେ ବନ୍ୟଜନ୍ତୁଙ୍କ ଚିତ୍ର ଦେଖିବାକୁ ମିଳେ।

ଝାରସୁଗୁଡ଼ା ଜିଲ୍ଲାର ଏହି ବଣପର୍ବତ ଘେରା ଦୁର୍ଗମ ଅଞ୍ଚଳରେ ଅତୀତର କୃଷି କର୍ମ, ପଶୁ ଶିକାର ସହ ଯୁଦ୍ଧ ବିଦ୍ୟାରେ ପାରଙ୍ଗମ ଏକ ସମୃଦ୍ଧ ମଣିଷ ସମାଜ ବସବାସ କରି ରହିଥିବା ଏଠାରୁ ଆବିଷ୍କୃତ ଶିଳାଲିପି ଓ ଚିତ୍ରରୁ ସୁସ୍ପଷ୍ଟ। ଏକ ସ୍ୱତନ୍ତ୍ର ଭାଷା ଓ ଲିପି ସେ ସମୟରେ ବ୍ୟବହୃତ ହେଉଥିଲା, ଯାହାକି ବର୍ତ୍ତମାନ ସୁଦ୍ଧା ଐତିହାସିକ ଓ ଗବେଷକମାନେ କେଉଁ କାଳର ତାହା ସ୍ପଷ୍ଟ କରି ନାହାନ୍ତି।

ଐତିହାସିକ ସ୍ୱାକ୍ଷର ବହନ କରି ଆସୁଥିବା ଏହି ବିକ୍ରମଖୋଲ ଗୁମ୍ଫା ୧୯୫୮ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାତୀୟସ୍ତରରେ ପର୍ଯ୍ୟଟନ କେନ୍ଦ୍ରର ମାନ୍ୟତା ଲାଭ କରିଛି। ତେବେ ଏହାର ରକ୍ଷଣାବେକ୍ଷଣ, ସୁରକ୍ଷା ଦିଗରେ ପ୍ରଶାସନିକ ଦୃଷ୍ଟି ଦେବା ଆବଶ୍ୟକତା ରହିଛି।

(ଡକ୍ଟର ସୁଶୀଳ କୁମାର ବାଗ୍‌ଙ୍କ ଅନୁମତିକ୍ରମେ ଏହି ଲେଖାଟିକୁ ତାଙ୍କ ସଂପାଦିତ ପୁସ୍ତକ ‘ପର୍ଯ୍ୟଟନରେ ପଶ୍ଚିମ ଓଡ଼ିଶା’ରୁ ଅଣାଯାଇଛି।)

 



from Odisha Reporter https://ift.tt/2PslS73

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages