ଦୈତାରୀଙ୍କ ମୁଣ୍ଡରେ କଳଙ୍କ ଟିକା,ଡ୍ୟାନ୍ସକୁ ନେଇ ଲାଗିଥିଲା ନିଆଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 25, 2019

ଦୈତାରୀଙ୍କ ମୁଣ୍ଡରେ କଳଙ୍କ ଟିକା,ଡ୍ୟାନ୍ସକୁ ନେଇ ଲାଗିଥିଲା ନିଆଁ

ବିଦାୟ ନେଉଛି ୨୦୧୯। ଆସୁଛି ନୂଆବର୍ଷ। ତେବେ ବିଦାୟର ଏହି ବେଳାରେ ସ୍ମୃତିପଟରେ ଝଲସି ଉଠୁଛି ୧୯ର କିଛି ଚର୍ଚ୍ଚିତ ଘଟଣା, ଯାହା ପାଲଟିଥିଲା ଖବରର ଶିରୋନାମା। ସେଥିରୁ କିଛି ଖବରକୁ ନେଇ ହୋଇଥିଲା ଅନେକ ତମ୍ୱିତୋଫାନ୍‌। କାହାବ୍ୟକ୍ତିତ୍ୱରେ ଲାଗିଥିଲା କଳଙ୍କର ଛିଟା ତ ଆଉ କାହା ନାଁରେ ଯୋଡ଼ା ହୋଇଥିଲା ଗୋପନ ପ୍ରଣୟର ଗୋଲାପୀ ଛିଟା। ଆଉ କିଏ ଯନ୍ତ୍ରଣାରେ ଜର୍ଜରିତ ହୋଇ ବିତାଇଥିଲା ଅବଶିଷ୍ଟ ଜୀବନ। ଅପେକ୍ଷା କରିଥିଲା କେବେ ଫେରିବ, ତା’ର ସ୍ୱପ୍ନଭରା ସୁନେଲି ଦିନ? କିନ୍ତୁ ସମୟ ଖେଳିଥିଲା ତା’ର ଖେଳ। କୁହାଯାଏ ବହିଗଲା ନଈ ଓ ଚାଲିଗଲା ସମୟ କେବେ ଫେରି ନଥାଏ। ନଫେରିଲେ ବି ଏହି ସବୁ ଚର୍ଚ୍ଚିତ ଘଟଣା କାହା ପାଇଁ ପାଲଟିଛି ଅପାସୋରା ସ୍ମୃତି ତ ଆଉ କାହା ପାଇଁ ନୂଆ ସ୍ୱପ୍ନ ଗଢ଼ିବାର ଅସରାଏ ପୁଲକ। ଆସନ୍ତୁ ତା’ହେଲେ ଟିକେ ପଛକୁ ଫେରି ଯାତ୍ରା ଓ ଓଲିଉଡ୍ ଦୁନିଆରେଘଟିଥିବା କିଛି ଘଟଣାକୁ ମନେ ପକାଇବା।

ଉପସ୍ଥାପନା: ମନୋରଞ୍ଜନ ସିଅଳ, ବିଶ୍ୱବନ୍ଦିତା ସ୍ୱାଇଁ

ଦୈତାରୀଙ୍କ ମୁଣ୍ଡରେ କଳଙ୍କ ଟିକା

ଯାତ୍ରା ଟାଇଗର ଦୈତାରୀ ପଣ୍ଡା ପରକୀୟା ପ୍ରୀତି ପାଇଁ ଚଳିତବର୍ଷ ବିବାଦକୁ ଆସିଥିଲେ। ‘ଜିଅନ୍ତା ଭୂତ’ର ସହ କଳାକାର ଲତା ମଣ୍ଡଳ ମୁହଁ ଖୋଲିବା ପରେ ଆରମ୍ଭ ହୋଇଥିଲା ଏହି ବିବାଦ। ଦୈତାରୀ ତାଙ୍କୁ ପତ୍ନୀର ଅଧିକାର ଦେଉ ନଥିବାରୁ କଥା ଯାଇ ପହଞ୍ଚିଥିଲା ଥାନାରେ। ଏହା ସତ୍ତ୍ୱେ ସେ ନ୍ୟାୟ ପାଇନଥିଲେ। ଅନ୍ୟପକ୍ଷରେ ଦୈତାରୀ ପଣ୍ଡା ଅଭିଯୋଗକୁ ଖଣ୍ଡନ କରି ଲତା କିଏ ସେ ଜାଣନ୍ତି ନାହିଁ ବୋଲି କହିଥିଲେ। ଏହି ଘଟଣା କିଛିଦିନ ଯଲିଉଡ୍‌ରେ ଆଲୋଡନ ଖଳାଇଦେଇଥିଲା। ଏବେ ଅସୁସ୍ଥତା କାରଣରୁ ଲତା ମଞ୍ଚଠାରୁ ଦୂରେଇ ଯାଇଛନ୍ତି। ଆଉ ଦୁଃଖ କଷ୍ଟରେ ଘରେ ଜୀବନ ଅତିବାହିତ କରୁଛନ୍ତି।

ପାରିବାରିକ ଝଡ଼

ଯାତ୍ରା ଦୁନିଆରେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲା ନୀରାକାର ଧଳ ଓ ଭାରତୀଙ୍କ ପାରିବାରିକ ଝଡ଼। ‘ଯାତ୍ରା ରଙ୍ଗମହଲ’ରେ ଅଭିନୟ କରୁଥିବା ଏହି ପ୍ରେମପକ୍ଷୀଙ୍କ ପ୍ରେମରେ ଲାଗିଥିଲା କଳଙ୍କର ନିଆଁ। ଏଥିପାଇଁ ଖଳନାୟକ ପିୟୁଷ ତ୍ରୀପାଠିଙ୍କୁ ଦାୟୀ କରାଯାଇଥିଲା। ଯେଉଁଥିପାଇଁ ଭାରତୀ ଓ ପିୟୁଷଙ୍କୁ ବାହାର କରି ଦିଆଯାଇଥିଲା। ପାର୍ଟିରୁ ବାହାରି ପରେ ଉଭୟ ଯୋଗ ଦେଇଥିଲେ ‘ପାର୍ବତୀ ଗଣନାଟ୍ୟ’ରେ। ଏନେଇ ଭାରତୀ ମୁହଁ ଖୋଲି ନଥିଲେ ମଧ୍ୟ ପିୟୁଷ ସବୁ ଦୋଷ ‘ରଙ୍ଗମହଲ’ ଯାତ୍ରା ପାର୍ଟି ପ୍ରଯୋଜକଙ୍କୁ ଦେଇଥିଲେ।

ଡ୍ୟାନ୍ସକୁ ନେଇ ଲାଗିଥିଲା ନିଆଁ

ଯାତ୍ରା ମହାକୁମ୍ଭ ଖଣ୍ଡଗିରିରେ ଆଇଟମ୍‌ ଡ୍ୟାନ୍ସକୁ ନେଇ ଲାଗିଥିଲା ନିଆଁ। ଆଉ ଏହି ନିଆଁ ଲଗାଇଥିଲେ ରାନୀ ପଣ୍ଡା। ଷ୍ଟେଜ୍ ଉପରେ ଉଲଗ୍ନ ହୋଇ ନାଚିଥିଲେ। ଏହାକୁ ନେଇ ଦେଖା ଦେଇଥିଲା ବିବାଦ। ଯାତ୍ରା ପ୍ରେମୀ ଓ ବୁଦ୍ଧିଜୀବୀ ଉଠାଇଥିଲେ ପ୍ରଶ୍ନ। କଥା ଥାନା ପର୍ଯ୍ୟନ୍ତ ବି ଯାଇଥିଲା।

ରାନୀଙ୍କ ପରି ଆଉ ଜଣେ ବିବାଦୀୟ ଡ୍ୟାନ୍ସର ହେଉଛନ୍ତି ସୋନାଲୀ। ପାରିବାରିକ ଦୁଃଖ ଓ ଯନ୍ତ୍ରଣା ସହି ନପାରି ମାୟାନଗରୀକୁ ଚାଲି ଆସିଥିଲେ। ନିଜର ଭାଗ୍ୟ ପରୀକ୍ଷା କରିବା ପାଇଁ ଷ୍ଟେଜ୍‌ ଉପରେ କରିଥିଲେ ଡ୍ୟାନ୍ସ। ଆଉ ସେହି ଡ୍ୟାନ୍ସ ଦର୍ଶକଙ୍କ ଛାତିରେ ଲଗାଇଥିଲା ନିଆଁ। ଯାହାକୁ ନେଇ ଉଠିଥିଲା ବିବାଦ। ଶେଷରେ ସୋନାଲୀଙ୍କୁ ସ୍ପଷ୍ଟୀକରଣ ଦେବାକୁ ପଡ଼ିଥିଲା। ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବା ପାଇଁ ସେ ଏମିତି କରୁଥିବା କହିଥିଲେ।

ଦୂରେଇଗଲା ପ୍ରିୟ ମଞ୍ଚ

ଯାତ୍ରା ଦୁନିଆ ଚର୍ଚ୍ଚିତ ଖଳନାୟକ ଦାମ ପଣ୍ଡା ଓ ହ୍ୟାଣ୍ଡସମ୍‌ ହିରୋ ଦେବଦତ୍ତ ମହାନ୍ତି ଓରଫ ଶଙ୍ଖାଳି ଚଳିତବର୍ଷ ଦର୍ଶକଙ୍କୁ ନିରାଶ କରିଥିଲେ। କ୍ୟାନସ ପରି ରୋଗରେ ଆକ୍ରାନ୍ତ ହୋଇଥିବାରୁ ଦାମ ପଣ୍ଡା ଷ୍ଟେଜ୍ ଚଢ଼ି ପାରି ନଥିଲେ। ଆଉ ଷ୍ଟେଜରେ ଅଭିନୟ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ ଶଙ୍ଖାଳି। ତାଙ୍କୁ ସଙ୍ଗେ ସଙ୍ଗେ ସୁନ୍ଦରଗଡ଼ ପରେ ଭୁବନେଶ୍ୱରରେ ଏକ ଘରୋଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ଏବେ ଏହି ଦୁଇ କଳାକାର ମଞ୍ଚରୁ ଦୂରେଇ ରହିଛନ୍ତି।

ବାଜିଲା ସାହାନାଈ

ଓଲିଉଡ୍‌ରେ ବାଜିଛି ସାହାନାଈ। ହାତକୁ ଦୁଇ ହାତ ହୋଇଛନ୍ତି ବହୁ ଷ୍ଟାର। ଓଲିଉଡ୍‌ର ଚକୋଲେଟ୍‌ ବୟ ସମ୍ୱିତ ଆଚାର୍ଯ୍ୟ ବାହା ହୋଇଛନ୍ତି ସୟୋନାଙ୍କୁ। ସେ ଓଲିଉଡ୍‌ ଅଭିନେତା ଦୀପକଙ୍କ ସମ୍ପର୍କୀୟ। ଏହି ବିବାହରେ ବହୁ ପ୍ରତିଷ୍ଠିତ କଳାକାର ସାମିଲ ହୋଇଥିଲେ। ସବୁଠାରୁ ମଜାଦାର କଥା ହେଉଛି ବିବାହ ପୂର୍ବରୁ ସମ୍ବିତ ଓ ସୟୋନାଙ୍କର ଏକ ମ୍ୟୁଜିକ୍ ଭିଡିଓ ରିଲିଜ ହୋଇଥିଲା। ଯାହାର ନାଁ ଥିଲା ‘ସମ୍ବିତ୍‌ସ ଭାଲେନ୍‌ଟାଇନ୍‌’। ଏଥିରେ ଉଭୟଙ୍କୁ ରୋମାଣ୍ଟିକ୍‌ ଲୁକରେ ଦେଖିବାକୁ ମିଳିଥିଲା।

ସମ୍ୱିତଙ୍କ ପରି ଅଭିନେତ୍ରୀ ଏଲି ପାଢ଼ୀ ମଧ୍ୟ ଏ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ ନିଜ ପିଲା ଦିନର ବନ୍ଧୁ ଶ୍ରୀମୟ କୁମାର ପଣ୍ଡାଙ୍କୁ ପ୍ରେମ ବିବାହ କରିଛନ୍ତି। ଶ୍ରୀମୟ ଜଣେ ବ୍ୟବସାୟୀ। ‘ତାଜା ଖବର’ ଓ ‘ଷୋହଳ ପୂରି ସତର ହେବ’ ଆଦି ଆଲବମ୍‌ରେ ଅଭିନୟ କରି ଚର୍ଚ୍ଚାକୁ ଆସିଥିବା ଏଲି ‘ଫିଅର ଅଫ୍‌ ଦ ଇୟର’ ସିନେମାରେ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ।

ଅନ୍ୟପକ୍ଷରେ ଅଭିନେତା ଅମ୍ଳାନ ଦାସଙ୍କର ଚଳିତ ବର୍ଷ ନିର୍ବନ୍ଧ ହୋଇଯାଇଛି। ନୂଆ ବର୍ଷରେ ତାଙ୍କର ବାହାଘର ହେବ। ତାରିଖ ଜଣାପଡ଼ି ନାହିଁ। ତାଙ୍କ ଭାବିପତ୍ନୀଙ୍କ ନାଁ ଭୂମିକା।

ଫସିଲେ ବାବୁସାନ

ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇ ଫସିଛନ୍ତି ଓଲିଉଡ୍‌ର ଚକୋଲେଟ୍‌ ହିରୋ ବାବୁସାନ। ପତ୍ନୀଙ୍କ ନିର୍ଦ୍ଦେଶ ମାନି ସଉଦା ଆଣିବାକୁ ଯାଇଥିଲେ। ହେଲେ ବିନା ହେଲ୍‌ମେଟ୍‌ରେ ଗାଡ଼ି ଚଳାଇ ଯାଇଥିବାରୁ ଧରାପଡ଼ିଥିଲେ। ଏଥିପାଇଁ ତାଙ୍କ ପାଖକୁ ୧୦୦୦ ଟଙ୍କାର ଚାଲାଣ ପଠାଯାଇଥିଲା।

ବିବାଦରେ ପପୁ  

ପପୁ (ଅଗ୍ନାଶୟ) ପାନ୍‌କ୍ରିୟାସ ଜନିତ ରୋଗରୁ ପୂରା ସୁସ୍ଥ ହେବା ପରେ ଚଳିତ ବର୍ଷ ପୁଣି ପରଦାକୁ ଆସିଥିଲେ କମେଡି କିଙ୍ଗ୍ ପପୁ ପମ୍ ପମ୍। ତେବେ ସେ ଫିଟ୍ ହୋଇ ଫେରିବା ସହିତ ତାଙ୍କ ପଛେ ପଛେ ପୁଣି ବିବାଦ ଦେଖାଯାଇଥିଲା।  ରେଳ ଷ୍ଟେସନ୍‌ରେ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ଗୀତ ଗାଇ ରାତାରାତି ସେଲେବ୍ରିଟି ପାଲଟି ଯାଇଥିବା ରାନୁ ମଣ୍ଡଳଙ୍କୁ ନକଲ କରି ସେ ବିବାଦ ଘେରକୁ ଚାଲି ଆସିଥିଲେ। ତାଙ୍କର ଏହି କାର୍ଯ୍ୟକୁ ବହୁ ଲୋକ ନାପସନ୍ଦ କରିଥିଲେ।  ସେହିପରି ଓଡ଼ିଆ ଫିଲ୍ମ ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ବି ସେ ଭାରି ନିନ୍ଦିତ ହୋଇଥିଲେ। ଏଥିରେ ମହିଳାଙ୍କୁ ଅପମାନିତ କରାଯାଇଥିବାରୁ ପପୁ ଓ ପ୍ରଯୋଜକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି ହୋଇଥିଲା। ଏପରିକି ଥାନାରେ ଏଫ୍‌ଆଇଆର୍‌ ବି ଦିଆଯାଇଥିଲା।

ହସାଉଥିଲେ, କନ୍ଦାଇଲେ

ଚଳିତ ବର୍ଷ ଅନେକ ଭଲ ଭଲ ମୁହୂର୍ତ୍ତ ଦେଖିଥିବା ଓଲିଉଡ୍‌ କିଛି ଦୁଃଖର ବି ସାମ୍ନା କରିଥିଲା। ‘ସୁନା ଚଢ଼େଇ’, ‘ସୁନା ହରିଣୀ’, ‘ସନ୍ତାନ’ ଓ ‘ଭୀଷ୍ମପ୍ରତିଜ୍ଞା’ ପରି ହିଟ୍‌ ଫିଲ୍ମ ଦେଇଥିବା ପ୍ରଯୋଜନ କେଶର ଚନ୍ଦ୍ର ରାଉତ, ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥ, ଚର୍ଚ୍ଚିତ ହାସ୍ୟ ଅଭିନେତା ସଲିଲ୍‌ ମିତ୍ର ଓ ଚକ୍ରଧର ସାହୁ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲେ। କଟକ ଶଙ୍କରପୁରସ୍ଥିତ ବାସଭବନରେ କେଶବଙ୍କର ହୃଦ୍‌ଘାତରେ ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ସଲିଲ୍‌ ମିତ୍ର ସୁଟିଂ ସାରି କେନ୍ଦୁଝରରୁ ଭୁବନେଶ୍ୱର ଫେରୁଥିବା ବେଳେ ରାସ୍ତାରେ ହୋଇଥିଲା ଦୁର୍ଘଟଣା। ଏଥିରେ ଗୁରୁତର ଆହତ ହୋଇଥିଲେ ସଲିଲ୍‌। ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସେହିପରି ବର୍ଷୀୟାନ ସଂଗୀତ ନିର୍ଦ୍ଦେଶକ ବାସୁଦେବ ରଥଙ୍କ ମଧ୍ୟ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଚକ୍ରଧର ସାହୁଙ୍କର ମୃତ୍ୟୁ ଘଟିଥିଲା। ଏମାନଙ୍କୁ ଓଲିଉଡ୍ ଓ ଦର୍ଶକ ଝୁରି ହେଉଛନ୍ତି।

ନିଷିଦ୍ଧାଞ୍ଚଳରେ ଡ୍ୟାନ୍ସ କରି ନିନ୍ଦିତ

ଏଇ ନିକଟରେ ବର୍ଷ ଶେଷ ଆଡ଼କୁ  ହୀରାକୁଦ ଡ୍ୟାମ୍‌ର ନିଷିଦ୍ଧାଞ୍ଚଳରେ ଡ୍ୟାନ୍ସ କରି ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି ୩ ଓଡ଼ିଆ ଅଭିନେତ୍ରୀ। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅଙ୍କ ସହିତ ଯାଇଥିବା ଅଭିନେତ୍ରୀ ପ୍ରକୃତି ମିଶ୍ର, ଏଲିନା ସାମନ୍ତରାୟ ଓ ଲୋଭିନା ନାୟକଙ୍କ ଭିଡିଓ ଭାଇରାଲ୍‌ ହେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନିଷିଦ୍ଧାଞ୍ଚଳକୁ ଏମାନେ କେମିତି ଗଲେ? ତାକୁ ନେଇ ବିବାଦ ମୁଣ୍ଡ ଟେକିବା ପରେ ପ୍ରକୃତି ଓ ଏଲିନା ଭୁଲ୍‌ ମାଗିଥିଲେ। ମାତ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଝିଅ ମୁହଁ ଖୋଲି ନଥିଲେ।

ଜାତୀୟ ଟିଭିରେ ଚମକିଲେ

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଓଲିଉଡ୍‌ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ସଫଳତାରେ ଚଳିତ ବର୍ଷ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଯାଇଥିଲା। ‘ଏମ୍‌ ଟିଭି’ରେ ପ୍ରସାରିତ ହେଉଥିବା ରିଆଲିଟି ଶୋ’ ‘ଏସ୍‌ ଅଫ୍‌ ସ୍ପେସ୍‌-୨’ରେ ସେ ସାମିଲ ହୋଇଥିଲେ। ଯଦିଓ ଏହି ଶୋରେ ସେ ଜିତି ପାରି ନଥିଲେ ତଥାପି ଏଥିରେ ତାଙ୍କର ଯାତ୍ରା ବେଶ୍ ଭଲ ରହିଥିଲା। ଦର୍ଶକେ ପ୍ରକୃତିଙ୍କୁ ଏହି ଶୋରେ ବେଶ୍‌ ପସନ୍ଦ କରିଥିଲେ। ଜାତୀୟ ଟେଲିଭିଜନରେ ଚମକିଲେ ଓଲିଉଡ୍‌ର ପ୍ରତିଷ୍ଠିତ ଅଭିନେତ୍ରୀ ସମ୍ଭାବନା ମହାନ୍ତି। ଜୀ ଟିଭିର ସିରିଏଲ୍ ‘ରାଜା ବେଟା’ରେ ସେ ଅଭିନୟ କରିଥିଲେ।

ଆମେରିକା ହଲ୍‌ରେ ଓଡ଼ିଆ ସିନେମା

ପ୍ରଥମ ଥର ପାଇଁ ଓଲିଉଡ୍‌ ଫିଲ୍ମ ‘ଛବିରାଣୀ’ ଆମେରିକାର ହଲ୍‌ରେ ମୁକ୍ତିଲାଭ କରିଥିଲା। ବହୁଚର୍ଚ୍ଚିତ ଛବିରାଣୀ ହତ୍ୟାକାଣ୍ଡ ଉପରେ ନିର୍ମିତ ଏହି ଚଳଚ୍ଚିତ୍ର  ଆମେରିକାର ବୋଷ୍ଟନ ସହରର ବେଲ୍‌ମସ୍‌ ଫୋର୍ଡ ହଲ୍‌ରେ ମୁକ୍ତିଲାଭ କରିଥିଲା। ଓଡ଼ିଆ ସୋସାଇଟି ଅଫ୍ ନ୍ୟୁ ଇଂଲଣ୍ଡ ପକ୍ଷରୁ ଏହିଭଳି ପଦକ୍ଷେପ ନିଆଯାଇଥିଲା। ଆମେରିକାରେ ରହୁଥିବା ପ୍ରବାସୀ ଓଡ଼ିଆ ଅକ୍ଷୟ ମହାନ୍ତି, ଦେବଦତ୍ତ ବେହେରା ଓ ସୂର୍ଯ୍ୟ ମହାପାତ୍ର ପ୍ରମୁଖ ଓଡ଼ିଆ ସିନେ ଜଗତକୁ ଆଉ ପାଦେ ଆଗକୁ ନେବା ନିମନ୍ତେ ଏହି ପଦକ୍ଷେପ ନେଇଥିଲେ। ଏହି ଫିଲ୍ମର ଲିଡ୍‌ ରୋଲ୍‌ରେ ଅଭିନେତା ଅମନ୍‌ ଏବଂ ବଙ୍ଗୀୟ ଅଭିନେତ୍ରୀ ଚନ୍ଦ୍ରାଣୀ ଙ୍କ ସହିତ ସିନ୍ଧାନ୍ତ ଏବଂ ଅନୁ ଚୌଧୁରୀଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

ଚର୍ଚ୍ଚାରେ ଦୁଇ ଅଭିନେତ୍ରୀଙ୍କ ମୃତ୍ୟୁ

ଅଭିନେତ୍ରୀ ନିକିତା ଓରଫ ଲକ୍ଷ୍ମୀପ୍ରିୟା ବେହେରାଙ୍କ ମୃତ୍ୟୁ ଘଟଣାକୁ ନେଇ ଚଳିତ ବର୍ଷ ବେଶ୍‌ ଚର୍ଚ୍ଚା ହୋଇଥିଲା। ଚଳିତ ବର୍ଷ ପ୍ରାରମ୍ଭରେ ଏହି ଖବର ଆସିଥିଲା, ଯାହାକୁ କେହି ବିଶ୍ୱାସ କରି ପାରି ନଥିଲେ। ଅତ୍ୟନ୍ତ ସନ୍ଦେହଜନକ ସ୍ଥିତିରେ ଘର ଛାତରୁ ପଡ଼ି ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି ସମ୍ବଲପୁରୀ ଆଲବମ୍ ଅଭିନେତ୍ରୀ ସିମରନ୍ ସିଂଙ୍କ ମୃତଦେହ ସନ୍ଦେହଜନକ ସ୍ଥିତିରେ ମହାନଦୀ ପଠାରୁ ମିଳିଥିଲା। ଏହାକୁ ନେଇ ବେଶ୍ କିଛି ଦିନ ଚର୍ଚ୍ଚା ଚାଲିଥିଲା। ସେ ‘ସେଲ୍‌ଫି ବେବୋ’ ନାଁରେ ବେଶ୍ ଜଣାଶୁଣା ଥିଲେ।

ଟିକ୍‌ଟକ୍‌ରୁ ଓଲିଉଡ୍‌

ଚଳିତ ବର୍ଷ ପପୁ ପମ୍‌ ପମ୍‌ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଚିର୍‌କୁଟ୍‌’ ରିଲିଜ୍‌ ହୋଇଥିଲା। ଅକ୍ଷୟ ପରିଜା ପ୍ରଡକ୍ସନ୍ ବ୍ୟାନରରେ ନିର୍ମାଣ ହୋଇଥିବା ଏହି ଫିଲ୍ମରେ ଥିଏଟର କଳାକାରମାନଙ୍କୁ ଗୁରୁତ୍ୱ ଦିଆଯାଇଥିଲା। ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନୟ କରଥିବା କଳାକାର ଅନନ୍ୟା ଏବଂ ଅରୋଜ୍ୟୋତି ଦୁହେଁ ନବାଗତ ଥିଲେ। ଅରୋଜ୍ୟୋତି ଜଣେ ଥିଏଟର୍‌ ଆର୍ଟିଷ୍ଟ ହୋଇଥିବା ବେଳେ ଅନନ୍ୟାଙ୍କୁ ପପୁ ଟିକ୍‌ଟକ୍‌ରୁ ଦେଖି ଫିଲ୍ମର ଅଫର୍‌ ଦେଇଥିଲେ।

ପୁରସ୍କାର

ଚଳିତ ବର୍ଷ ଉଭୟ ୨୦୧୭ ଓ ୨୦୧୮ ବର୍ଷ ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ମାର୍ଚ୍ଚ ମାସରେ ୨୦୧୭ ବର୍ଷ ପାଇଁ ଓ ଡିସେମ୍ବରରେ ୨୦୧୮ ବର୍ଷ ପାଇଁ ଏହି ପୁରସ୍କାର ଦିଆଯାଇଥିଲା। ୨୦୧୭ ବର୍ଷ ପାଇଁ ରବିଶଙ୍କର ପଟ୍ଟନାୟକଙ୍କୁ ‘ଜୟଦେବ’ ପୁରସ୍କାର ପ୍ରଦାନ କରାଯାଇଥିଲା। ସଂପାଦନା କ୍ଷେତ୍ରରେ ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଥିଲା। ସେହିଭଳି ୨୦୧୮ ବର୍ଷ ପାଇଁ ବିଶିଷ୍ଟ ନାଟ୍ୟକାର, ସଂଳାପକାର ବିଜୟ ମିଶ୍ରଙ୍କୁ ‘ଜୟଦେବ’ ପୁରସ୍କାର ପ୍ରଦାନ କରାଯାଇଥିଲା। ୨୦୧୮ ପାଇଁ ମିହିର ଦାସ ଓ ଅର୍ଚ୍ଚିତା ଯଥାକ୍ରମେ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

 



from Odisha Reporter https://ift.tt/35ZG8Uv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages