ଭୁଲ୍ ରହିଲା କେଉଁଠି, ନୂଆବର୍ଷରେ ସରକାର କରିବେ କି ଆତ୍ମସମୀକ୍ଷା? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 31, 2019

ଭୁଲ୍ ରହିଲା କେଉଁଠି, ନୂଆବର୍ଷରେ ସରକାର କରିବେ କି ଆତ୍ମସମୀକ୍ଷା?

  • ଶୁଭ୍ରାଂଶୁ ଶେଖର ଜେନା

ଓଡ଼ିଶାରେ ୨୦ ବର୍ଷର ସ୍ଥିର ସରକାର, କେନ୍ଦ୍ରରେ ୫ ବର୍ଷ ହେଲା ସଂଖ୍ୟାଗରିଷ୍ଠ ସରକାର। ବିକାଶର ବଡ଼ ବଡ଼ ପ୍ରତିଶ୍ରୁତି, ବଡ଼ ବଡ଼ ଯୋଜନା ପ୍ରଣୟନ। ହଜାର ହଜାର କୋଟି କୋଟି ଟଙ୍କା ଖର୍ଚ୍ଚ ହେବା ପରେ ବି କାହିଁକି ବେଗ ଧରୁନି ବିକାଶର ଗାଡ଼ି? କାହିଁକି ଲୋକଙ୍କୁ ଦେବାକୁ ପଡୁଛି ଟଙ୍କିକିଆ ଚାଉଳ, ୫ ଟଙ୍କିଆ ଡାଲମା ଭାତ। ବର୍ଷ ପରେ ବର୍ଷ ବିଦାୟ ନେଉଛି ହେଲେ ଆଜି ବି ଅବହେଳିତ ଚାଷୀ। ଧାରା ୩୭୦, ସଂଶୋଧିତ ନାଗରିକତା ଆଇନ, ଟଙ୍କିକିଆ ଚାଉଳ ଯୋଗାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାହା ବାହା ନେଉଛନ୍ତି। ହେଲେ ଆଜି ବି ଦେଶର ମୂଳ ପ୍ରସଙ୍ଗର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ନଥିବା ଜଣାପଡ଼ୁଛି।

ଉପରୋକ୍ତ ଚିତ୍ର ପ୍ରମାଣିତ କରୁଛି ସରକାରଙ୍କ ପ୍ରଚାର, ଯୋଜନା ଓ ପଦକ୍ଷେପ ଠିକ୍ ବାଟରେ ଚାଲୁନି। ଦେଶକୁ ବିକାଶ ବାଟରେ ଆଗେଇ ନେଉଛନ୍ତି ବୋଲି ସରକାର କହୁଛନ୍ତି ହେଲେ ଏବେ ମାନ୍ଦା ଆର୍ଥିକ ମାନ୍ଦାବସ୍ଥା, ବେକାରୀ ସମସ୍ୟା, ଆଉ ଗତ କିଛି ମାସ ହେଲା ଲାଗି ରହିଥିବା  ଅତ୍ୟାବଶ୍ୟକ ସାମଗ୍ରୀ (ପିଆଜ, ଆଳୁ ଆଦି)ର ଅହେତୁକ ଦର ବୃଦ୍ଧି ସବୁ ମିଶି ଲୋକଙ୍କ ଅର୍ଥନୀତିକୁ ଦୁର୍ବଳ କରିଦେଇଛି। ସବୁ ସରକାରୀ ଯୋଜନା ଗରିବଙ୍କ ପାଇଁ କରାଯାଉଥିବା କୁହାଯାଉଛି। କିନ୍ତୁ ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ପରେ ବି କାହିଁକି ଲୋକେ ନିଜର ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ନିଜେ ସକ୍ଷମ ହୋଇପାରୁ ନାହାନ୍ତି? ନିଜ ପେଟକୁ ଦାନା ମୁଠାଏ ମଧ୍ୟ ଯୋଗାଡ଼ କରିପାରୁ ନାହାନ୍ତି। ସେ ନେଇ ବିକାଶର ଡିଣ୍ଡିମ ପିଟୁଥିବା ରାଜ୍ୟରୁ କେନ୍ଦ୍ର ସରକାରଙ୍କ ଯାଏ ସମସ୍ତେ ଏବେ ନୂଆ ବର୍ଷରେ ଆତ୍ମସମୀକ୍ଷା କରିବା ଦରକାର। ଯଦି ବିକାଶ ନହେବା ଏକ ସମସ୍ୟା ତେବେ ଏହାର ସମାଧାନ ପାଇଁ ପ୍ରଥମେ ସମସ୍ୟାର କାରଣ ଖୋଜିବାକୁ ହେବ। ଆଉ ସରକାରଙ୍କୁ ଆତ୍ମସମୀକ୍ଷା କରିବାକୁ ହେବ, ଭୁଲ ରହୁଛି କେଉଁଠି? 

ସମାଧାନ ଖୋଜିବାକୁ ହେଲେ ପ୍ରଥମେ ବାସ୍ତବ ଚିତ୍ର ଓ ପରିସ୍ଥିତିର ବିଶ୍ଳେଷଣ କରିବା ଜରୁରୀ। ଡିଜିଟାଲ ବିପ୍ଲବରୁ ନେଇ ମହାକାଶ ବିଜ୍ଞାନ ଯାଏ ସବୁ ଉପରେ ବିଶେଷ ଧ୍ୟାନ ଦିଆଯାଉଥିବା ବେଳେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ମିଳୁନାହିଁ ଆବଶ୍ୟକ ଗୁରୁତ୍ୱ। ପରିସଂଖ୍ୟାନ ଅନୁସାରେ ଦେଶରେ ପ୍ରାଯ ୬୨ ପ୍ରତିଶତ ଏବଂ ଆମ ରାଜ୍ୟରେ ୭୦ ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ। କିନ୍ତୁ ଦୁର୍ଭାଗ୍ୟର କଥା ସେହି କ୍ଷେତ୍ର ହିଁ ସବୁଠାରୁ ଦୁସ୍ଥ ହୋଇ ପଡ଼ି ରହିଛି।

କୃଷି ଓ କୃଷକଙ୍କ ଉନ୍ନତି ନାଁରେ ଯୋଜନା ତ ହେଉଛି, ଚାଷୀଙ୍କ ଆୟ ଦୁଇ ଗୁଣ କରାଯିବା କଥା କୁହାଯାଉଛି, କିନ୍ତୁ ଅସଲ କଥା ସେତେବେଳେ ସାମ୍ନାକୁ ଆସୁଛି ଯେତେବେଳେ ମହାରାଷ୍ଟ୍ରର ବିଦର୍ଭରୁ ନେଇ ଓଡ଼ିଶାର ବରଗଡ଼ ଯାଏ ଚାଷୀଙ୍କ ଆତ୍ମହତ୍ୟାର ଖବର ଗଣମାଧ୍ୟମରେ ପ୍ରମୁଖ ଖବର ପାଲଟୁଛି।

ଏଥିରୁ କେତୋଟି ନିର୍ଯାସ ବାହାରିପାରେ, କୃଷିର ଉନ୍ନତି ପାଇଁ ସରକାରଙ୍କର ଆନ୍ତରିକତା ନାହିଁ ବୋଲି କହିବା ସମ୍ପୂର୍ଣ୍ଣ ଠିକ୍ ହେବ ନାହିଁ। କିନ୍ତୁ ଏ ଦିଗରେ ନିଆଯାଉଥିବା ପଦକ୍ଷେପ ଯଥେଷ୍ଚ ନୁହେଁ ବା ଏହି ସମସ୍ୟା ଉପରେ ଯେଉଁଭଳି ଧ୍ୟାନ ରହିବା କଥା ତାର ଅଭାବ ରହିଛି। ସମସ୍ୟାକୁ ଆହୁରି ବିଶ୍ଳେଷଣ କଲେ ବୁଝାପଡ଼େ ଚାଷ ପାଇଁ ଆବଶ୍ୟକ ଜମିରୁ ନେଇ ଫସଲ ବିକିବା ଯାଏ ଚାଷୀକୁ ପ୍ରତି ପାଦରେ ସାମ୍ନା କରିବାକୁ ପଡ଼େ ବିଭିନ୍ନ ସମସ୍ୟା।

କୃଷି କାର୍ଯ୍ୟ କରୁଥିବା ଲକ୍ଷ ଲକ୍ଷ ଚାଷୀ ଭୂମିହୀନ, ଭାଗ ଚାଷ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବା କଥା ସରକାର କହୁଥିଲେ ବି ବାସ୍ତବରେ ଏ ଦିଗରେ ବିଶେଷ କିଛି ଅଗ୍ରଗତି ହୋଇନାହିଁ। ଫଳରେ ନିଜ ନାମରେ ଜମି ନଥିବାରୁ ଭାଗ ଚାଷ କରି ଫସଲ ଉତ୍ପାଦନ କରୁଥିବା ଫସଲକୁ ସରକାରଙ୍କୁ ବିକି ନପାରି ଘରୋଇ ବେପାରୀଙ୍କୁ କମ୍ ଦରରେ ବିକିବାକୁ ବାଧ୍ୟ ହେଉଛନ୍ତି ଭାଗ ଚାଷୀ। ନିଜ ନାମରେ ଜମି ନଥିବା ଚାଷୀଙ୍କୁ ସମବାୟ ସମିତି କିମ୍ବା ବ୍ୟାଙ୍କରୁ ଋଣ ମିଳିବାର ପ୍ରଶ୍ନ ଉଠୁନି, ତେଣୁ ବାଧ୍ୟ ହୋଇ ସାହୁକାରଙ୍କ ପାଖରୁ ମୋଟା ସୁଧରେ ଟଙ୍କା ଆଣୁଛନ୍ତି ଚାଷୀ। ଋଣ ପ୍ରଦାନ ବ୍ୟବସ୍ଥାରେ ଥିବା ଜଟିଳତା ଯୋଗୁଁ ଜମି ଥିବା ବହୁ ଚାଷୀ ମଧ୍ୟ ପାରମ୍ପରିକ କୃଷି ଭିନ୍ନ ଅର୍ଥକାରୀ ଫସଲ କରିବା ଦିଗରେ ଆଗ୍ରହୀ ହେଉ ନାହାନ୍ତି।

ଶୀତଳ ଭଣ୍ଡାରର ଅଭାବ ଚାଷୀଙ୍କ ପାଇଁ ଆଉ ଏକ ବଡ଼ ସମସ୍ୟା ପାଲଟିଛି। ରାଜ୍ୟରେ ଥିବା ଶୀତଳ ଭଣ୍ଡାରଗୁଡ଼ିକ ପ୍ରାୟ ଅଚଳ। ଏବେ ମାତ୍ର ୮ଟି ଶୀତଳ ଭଣ୍ଡାର କାମ କରୁଥିବା ଜଣାପଡ଼ିଛି। ଯେଉଁଥିପାଇଁ କମ୍ ସମୟରେ ନଷ୍ଟ ହୋଇଯାଉଥବା ଫସଲକୁ ଚାଷ କରିବା ପାଇଁ ଚାଷୀ ଆଗ୍ରହ ପ୍ରକାଶ କରୁନି। ଯାହାର ପରିଣାମ ଏବେର ପିଆଜ ଏବଂ ଆଳୁ ଦର ବୃଦ୍ଧି। ଚାଷୀଙ୍କ ପାଇଁ ସବୁଠାରୁ ବଡ଼ ସମସ୍ୟା ହେଲା ବଜାର ବା ଉତ୍ପାଦିତ ଫସଲକୁ ବିକ୍ରି କରିବା। ଧାନ କିଣିବା ପାଇଁ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଉଥିଲେ ବି ଚାଷୀମାନେ ପ୍ରତିବର୍ଷ ଏଥିରେ ବି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତା’ର ପ୍ରମାଣ ହେଉଛି ଗତ ଦୁଇ ମାସ ହେଲା ରାଜ୍ୟର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଥିବା ଚାଷୀ ଆନ୍ଦୋଳନର ଚିତ୍ର। ଅନ୍ୟ କୌଣସି କୃଷିଜାତ ଦ୍ରବ୍ୟର ବିକ୍ରି ପାଇଁ ସରକାରଙ୍କ ପକ୍ଷରୁ ସେମିତି ବ୍ୟାପକ ଯୋଜନା ନାହିଁ। ଫଳରେ ବର୍ଷକୁ ୮ ମାସ ବିଲ ଖାଲି ପକାଉଛନ୍ତି ପଛେ ଧାନକୁ ଛାଡ଼ି ଅନ୍ୟ ଫସଲ କରିବା ପାଇଁ ଆଗ୍ରହୀ ହେଉ ନାହାନ୍ତି ଅଧିକାଂଶ ଚାଷୀ।

ଏହି ସବୁ ଗଲା ସମସ୍ୟାର କଥା ସମାଧାନର ସୂତ୍ର ଆରମ୍ଭ ହୁଏ କୃଷିକୁ ଏକ ପ୍ରମୁଖ କ୍ଷେତ୍ର ଭାବେ ବିଚାର କରି ଏହାର ଉନ୍ନତି ପାଇଁ ଲାଗିପାତି ବହୁବିଧ ଉଦ୍ୟମ କରିବା। ଆମ ଦେଶ ଏକ କୃଷି ପ୍ରଧାନ ଦେଶ। ହେଲେ ଅଧିକାଂଶ ଚାଷ କରିବାକୁ ଅନିଚ୍ଛା ପ୍ରକାଶ କରୁଛନ୍ତି। କାରଣ ଏହି ଚାଷ ଯିଏ କରୁଛି ସିଏ ସେତିକି ମର୍ଯ୍ୟଦା ପାଉନି, ଏଥିସହ ରୋଜଗାର ମଧ୍ୟ କରିପାରୁନି ସରକାରୀ ଚାକିରିଆଙ୍କ ଭଳି। ତେଣୁ ଯିଏ ପାଠ ପଢ଼ିଲା ସିଏ କହିଲା ମୁଁ ଡାକ୍ତର, ଇଞ୍ଜିନିୟର ନହେଲେ ବାରିଷ୍ଟର ହେବି। ତେଣୁ ୧୦ମ ଶ୍ରେଣୀ ପରୀକ୍ଷା ସରିବା ମାତ୍ରେ ରାଜଧାନୀ ଭୁବନେଶ୍ୱର, ଦିଲ୍ଲୀ ଆଦି ସହର ମୁହାଁ କରାଉଛନ୍ତି ଅଭିଭାବକମାନେ। ଆଉ ଯେଉଁମାନେ ଆସୁ ନାହାନ୍ତି ୫ ବର୍ଷ ପରେ ସିକ୍ୟୁରିଟି ଗାର୍ଡ ହେଉ ପଛେ ଚାକିରି ପାଇଁ ସହରମାନଙ୍କୁ ଦୌଡି ଆସୁଛନ୍ତି। ପରିଣାମ ସ୍ୱରୂପ ଜମି ପଡ଼ିଆ ପଡ଼ୁଛି। ସେଠାରେ ଏବେ କୋଠା ବାଡ଼ି ଆପାର୍ଟମେଣ୍ଟ ତିଆରି ହେଉଛି।

ତେଣୁ ପ୍ରଥମତଃ ସମସ୍ତ ଲୋକଙ୍କୁ କିଛି ନା କିଛି ଚାଷ କରିବାକୁ ହେବ। ଯାହାକୁ ଏକ ମୌଳିକ କାମ ବୋଲି ବିଚାର କରିବାକୁ ହେବ। ନିକଟରେ ପିଆଜ, ଆଳୁ ଦର ବୃଦ୍ଧି ପାଇଛି। ଏହାକୁ ନେଇ ରାଜନୀତିକ ଆରୋପ ପ୍ରତ୍ୟାରୋପ ହେଉଛି। ହେଲେ ପ୍ରମୁଖ ସମସ୍ୟା ହେଉଛି ଦେଶରେ ଆଳୁ, ପିଆଜ ଆଦି ଚାଷର ପରିଣାମ କମିବା ଏବଂ ଶୀତଳ ଭଣ୍ଡାରର ଅଭାବ। ନିକଟରେ ସୋଆ ବିଶ୍ୱବିଦ୍ୟାଳୟକୁ ଆସିଥିବା ବୈଜ୍ଞାନିକମାନେ ମଧ୍ୟ ଏଭଳି ମତ ରଖିଥିଲେ।

ଆଉ ଏକ ସମାଧାନ ଚାଷୀଙ୍କ ସମସ୍ୟାର ଅନୁଧ୍ୟାନ ପାଇଁ ପଞ୍ଚାୟତ ସ୍ତରରେ କମିଟି କରାଯାଇପାରିବ। ଯଦିଓ ସରକାରଙ୍କ ଦ୍ୱାରା ଭିଏଡବ୍ଲ୍ୟୁଙ୍କୁ ନିଯୁକ୍ତି ଦିଆଯାଇଛି, ହେଲେ ସେମାନେ କିଭଳି ସକ୍ରିୟ ହୋଇ କାମ କରିବେ, କେତେ ଚାଷୀଙ୍କୁ ପରାମର୍ଶ ଦେଉଛନ୍ତି ଇତ୍ୟାଦିର ରିପୋର୍ଟ ମାଗିବା ଆବଶ୍ୟକ। ଚାଷୀମାନେ କିଭଳି ସଚେତନ ଓ ଉପକୃତ ହୋଇପାରିବେ ସେ ଦିଗରେ ମଧ୍ୟ କୃଷି ଅଧିକାରୀଙ୍କୁ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେବା ଦରକାର।

ଆମ ଓଡ଼ିଶାରେ ୬୭୯୮ଟି ପଞ୍ଚାୟତ ଥିବା ବେଳେ ପ୍ରତି ପଞ୍ଚାୟତରେ ଗୋଟିଏ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା ନେଇ ସରକାର ଉଦ୍ୟମ କରୁ ନାହାନ୍ତି କାହିଁକି? କୃଷି କ୍ଷେତ୍ର ପାଇଁ ଜଳସେଚନ ଏବେ ବି ଏକ ପ୍ରମୁଖ ସମସ୍ୟା। ୨୦ ବର୍ଷର ସରକାରଙ୍କ ପକ୍ଷରେ ରାଜ୍ୟରେ ଏଯାବତ୍ ୫୦ ପ୍ରତିଶତ ଜଳସେଚନ ସୁବିଧା ନକରିପାରିବା ସରକାରଙ୍କ ବିଫଳତା ଓ ଆନ୍ତରିକତାର ଅଭାବକୁ ଦର୍ଶାଉଛି।

ସେହିପରି ସରକାର କର୍ପୋରେଟ କମ୍ପାନୀ, ବ୍ୟବସାୟୀଙ୍କ ଋଣ ଛାଡ଼ କରୁଛନ୍ତି। ହେଲେ ଯିଏ ଚାଷ କରୁଛି ସିଏ କିଭଳି କମ୍ ଦାମରେ ନିଜ ଘର ପାଖରେ କୃଷି ଉପକରଣ ଏବଂ ସରଞ୍ଜାମ ପାଇବ ସେ ଦିଗରେ ସରକାର ଆନ୍ତରିକତା ଦେଖାଉନାହାନ୍ତି। ଯିଏ ଚାଷ କରୁଛି ସେ କିଭଳି ବଜାରରେ ଭଲ ଦାମରେ ବିକ୍ରି କରିବ ସେ ଦିଗରେ ପଦକ୍ଷେପ ନେଉ ନାହାନ୍ତି ସରକାର। ଯାହା ବି ଅଛି ସେଠାରେ ଦୁର୍ନୀତି ଓ ମୁନାଫାଖୋର ଅଧିକାରୀ ଜଗି ବସିଛନ୍ତି।

ଏବେ ଅଧିକାଂଶ ଜମି ପଡ଼ିଆ ପଡ଼ୁଥିବା ଦେଖି ବିଭିନ୍ନ କମ୍ପାନୀ ବଡ଼ ବଡ଼ ଜମି ଲିଜରେ ନେଉଛନ୍ତି। ନିଜେ ପଇସା ଖର୍ଚ୍ଚ କରି ଚାଷୀଙ୍କୁ ଖଟାଇ ଫସଲ ଉତ୍ପାଦନ କରୁଛନ୍ତି। ଆଉ ଚାଷୀଙ୍କ ପାଖରୁ କିଣୁଛନ୍ତି ଫସଲ। ହେଲେ ବଜାରରେ ସେମାନେ ଚାଷୀଙ୍କ ପାଖରୁ କିଣୁଥିବା ଦାମରୁ ଦୁଇ ଗୁଣା ବିକ୍ରି କରୁଛନ୍ତି। ତେଣୁ ସରକାର ଏ ଦିଗ ପ୍ରତି ମଧ୍ୟ ଗୁରୁତ୍ୱ ଦେବା ଦରକାର।

ଏଥିସହ ଆଜି ଅଧିକାଂଶ ଲୋକ ଚାକିରି ପଛରେ ଗୋଡ଼ାଉଛନ୍ତି। ପ୍ରତିଦିନ ଯଦିଓ ଚାଷ କାମର ତଦାରଖ କରିବା ସମ୍ଭବ ନୁହେଁ। ହେଲେ ପ୍ରତି ସପ୍ତାହର ଛୁଟି ଦିନରେ କିଛି ନା କିଛି ଚାଷ କରିବାର ଆବଶ୍ୟକତା ରହିଛି। ଏହାଦ୍ୱାରା ଅଭାବୀ ଦୂର ହେବା ସହ ପରପିଢ଼ିକୁ ପ୍ରେରଣା ମିଳିବ। ଏଥିସହ ଚାଷ ଜମି ଉର୍ବର ହୋଇ ରହିବ ଏବଂ ଜଳବାୟୁରେ ସୁଧାର ଆସିବ।



from Odisha Reporter https://ift.tt/2ZHqcnJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages