ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହୋଇଛି ବହୁ ଚର୍ଚ୍ଚିତ ସଂଶୋଧିତ ନାଗରିକତା ବିଧେୟକ। ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ବିଧେୟକ ଲୋକସଭାରେ ଆଗତ କରିଛନ୍ତି। ଏହି ବେଧୟକ ଦେଶରେ ଥିବା ଅଳ୍ପ ସଂଖ୍ୟକଙ୍କ ବିରୋଧରେ ନୁହେଁ ବୋଲି ଅମିତ ଶାହ ଗୃହରେ ସ୍ପଷ୍ଟ କରିଛନ୍ତି।
ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିଧେୟକ ଆଗତ କରିବା ବେଳେ ବିରୋଧୀ ସାଂସଦମାନେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ଶାହଙ୍କୁ ପଚାରିଛନ୍ତି। ଜବାବରେ ଶାହ କହିଥିଲେ ସମସ୍ତ ପ୍ରଶ୍ନର ଉତ୍ତର ଦେବି। ହେଲେ କେହି କକ୍ଷ ତ୍ୟାଗ କରନ୍ତୁ ନାହିଁ। ଯେତେବେଳେ ଗୃହରେ ମୁଁ ଏହି ପ୍ରସଙ୍ଗରେ ଆଲୋଚନା କରିବି ସେହି ସମୟରେ ମୋତେ ପ୍ରଶ୍ନ ପଚାରିବେ। ମୁଁ ସମସ୍ତଙ୍କ ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ଦେବି ବୋଲି ସେ କହିଛନ୍ତି।
ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି, କେନ୍ଦ୍ର ସରକାର ଏହି ବିଧେୟକ ଆଣି ଧାରା ୧୩ ଏବଂ ୧୪କୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ଏହି ବିଧେୟକ ସମ୍ୱିଧାନର ଅନୁଚ୍ଛେଦ ୫, ୧୪ ଏବଂ ୧୫ର ମୂଳ ବିଚାରଧାରାର ବିରୋଧ ଅଟେ।
ସେହିପରି ତୃଣମୂଳ କଂଗ୍ରେସ ସାଂସଦ ସୋଗତ ରାୟ ଶାହଙ୍କୁ ଛିଗୁଲେଇ କହିଛନ୍ତି, ସ୍ୱରାଷ୍ଟ୍ର ମନ୍ତ୍ରୀ ପ୍ରଥମ ଥର ପାଇଁ ହୋଇଛନ୍ତି। ବୋଧହୁଏ ତାଙ୍କୁ ସମ୍ୱିଧାନର ନିୟମ ବାବଦରେ ଜଣା ନାହିଁ। ଆଜି ସମ୍ୱିଧାନ ସଙ୍କଟରେ। ଟିଏମସି ସାଂସଦଙ୍କ ଏହି ଜବାବ ପରେ ବିଜେପି ସାଂସଦ ମାନେ ତାଙ୍କୁ ଘେରିଥିଲେ। ଏହାପରେ ଲୋକସଭାରେ ହଂଗାମା ହୋଇଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଲୋକସଭାରେ ଏହି ବିଧେୟକକୁ ପାରିତ କରିବାକୁ ହେଲେ ୩୦୩ ସାଂସଦଙ୍କ ସମର୍ଥନ ଆବଶ୍ୟକ ରହିଛି। ଲୋକସଭାରେ ଶାସକ ଦଳ ଏନଡିଏର ବହୁମତ ଥିବାରୁ ପାରିତ କରିବାରେ ଅସୁବିଧା ହେବ ନାହିଁ। ହେଲେ ରାଜ୍ୟସଭାରେ ଏହି ବିଲକୁ ପାରିତ କରିବା ପାଇଁ ହେଲେ ରାଜନୀତିକ ଅଙ୍କ କଷିବାକୁ ପଡ଼ିବ।
from Odisha Reporter https://ift.tt/2LC9mR6
No comments:
Post a Comment