ପାଠପଢ଼ାରେ ବାଧା ସୃଷ୍ଟି କରୁଛି ଧୂଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 12, 2019

ପାଠପଢ଼ାରେ ବାଧା ସୃଷ୍ଟି କରୁଛି ଧୂଳି

କେନ୍ଦୁଝର (ପ୍ରଣୟ ପାଣି): କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ୍‌ର ବାମେବାରୀ ମୁଖ୍ୟ ରାସ୍ତା କଡ଼ରେ ରହିଛି ଜରିବାହାଳ ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୫୩ ଜଣ ଛାତ୍ରଛାତ୍ରୀ ଅଛନ୍ତି। ସେହିଭଳି ଏମାନଙ୍କୁ ପଢ଼ାଇବା ପାଇଁ ଦୁଇ ଜଣ ଶିକ୍ଷକ ଅଛନ୍ତି। ତେବେ ଏହି ସ୍କୁଲରେ ପିଲାଙ୍କ ପାଠପଢ଼ାରେ ବାଧା ଉପୁଜାଉଛି ଧୂଳି।

ଏହି ସ୍କୁଲ୍‌ ନିକଟରେ ବଡ଼ ବଡ଼ ନାମୀଦାମୀ କମ୍ପାନୀର ଖଣିଖାଦାନ ରହିଛି। ତେଣୁ ପ୍ରତିଦିନ ଏହି  ରାସ୍ତା ଦେଇ ଶହଶହ ଟ୍ରକ୍ ଯା’ଆସ କରନ୍ତି। ଫଳରେ ବହୁତ ଧୂଳି ଉଡୁଛି। ସ୍କୁଲର ଛାତଠାରୁ ଆରମ୍ଭ କରି  କାନ୍ଥ ବାଡ଼ ସବୁ କିଛି ନାଲି ଧୂଳିରେ ଭର୍ତ୍ତି ହୋଇଯାଇଛି। ଏଠାରେ ବସି ପାଠ ପଢ଼ିବା ତ’ ଦୂରର କଥା ନିଃଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି ଛାତ୍ରଛାତ୍ରୀ। ଧୂଳି ସମସ୍ୟା ଯୋଗୁ ସ୍କୁଲ୍‌ରେ ଉପସ୍ଥାନ ମଧ୍ୟ କମ୍ ରହୁଛି। ପିଲାମାନେ ଏଠାରେ ବସି ପାଠପଢ଼ିବାକୁ ଇଚ୍ଛା କରୁ ନାହାନ୍ତି। ତେଣୁ ଦିନେ ଦିନେ ସ୍କୁଲ୍‌କୁ ମାତ୍ର କୋଡ଼ିଏ/ପଚିଶ ଛାତ୍ରଛାତ୍ରୀ ଆସୁଛନ୍ତି। ଅଭିଭାବକମାନେ ମଧ୍ୟ ଧୂଳି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ମାର୍କସ ଟପ୍ନୋ ନାମକ ଜଣେ ଛାତ୍ର କହିଛନ୍ତି, “ଆମ ସ୍କୁଲ୍‌କୁ ଧୂଳି ପଶି ଯାଉଛି। ଫଳରେ ନିଃଶ୍ୱାସ ନେ‍ବାରେ କଷ୍ଟ ହେଉଛି। ସକାଳୁ ସଫା ଡ୍ରେସ୍‌ ପିନ୍ଧି ସ୍କୁଲ ଆସୁଛୁ। ହେଲେ ଘରକୁ ଗଲାବେଳେ ତାହା ମଇଳା ହୋଇଯାଉଛି। ବେଳେ ବେଳେ ଗାଡ଼ି ଗୁଡ଼ିକ ସ୍କୁଲ ଭିତରକୁ ପଶି ଆସୁଛନ୍ତି। ତେଣୁ ସ୍କୁଲକୁ ଆସିବା ସମୟରେ ଡର ଲାଗୁଛି।”

ଖାଲି ଧୂଳି ସମସ୍ୟା ନୁହେଁ, ରାସ୍ତା ବି ଏ ସ୍କୁଲ୍‌ର ଛାତ୍ରଛାତ୍ରୀଙ୍କ ପାଇଁ ବିପଦ ସାଜିଛି। ସ୍କୁଲ୍‌ ସମ୍ମୁଖରେ ଥିବା ରାସ୍ତାଟି ଏହାଠାରୁ ପ୍ରାୟ ୧୦/୧୫ ଫୁଟ୍ ଉଚ୍ଚରେ ରହିଛି। ରାସ୍ତା ନିର୍ମାଣ କରୁଥିବା କମ୍ପାନୀ ମାଟି ପକାଇ ରାସ୍ତାକୁ ଉଚ୍ଚ କରି ଦେଇଥିବା ବେଳେ ସ୍କୁଲ୍‌ଟି ତଳୁଆ ହୋଇଯାଇଛି ଓ ଏହାର ପ୍ରବେଶ ଦ୍ୱାର ଏକ ପ୍ରକାର ବନ୍ଦ ହୋଇଯାଇଛି କହିଲେ ଚଳେ। ଏହି ରାସ୍ତାରୁ ସ୍କୁଲ୍‌କୁ ଖସିବା ବେଳେ ପିଲାମାନେ ଟିକେ ଅନ୍ୟମନସ୍କ ହେଲେ ପଡ଼ି ଗଡ଼ି ଯିବାର ଆଶଙ୍କା ରହିଛି। ସେହିଭଳି ଟ୍ରକ୍‌ମାନଙ୍କ ଭିଡ଼ ଲାଗି ରହୁଥିବାରୁ ଏହି ରାସ୍ତା ସବୁବେଳେ ଜାମ୍ ହୋଇଥାଏ। ଏଣୁ ପିଲାମାନଙ୍କୁ ରାସ୍ତା ଅତିକ୍ରମ କରିବାରେ ବି ଅସୁବିଧା ହେଉଛି। ଏଥିଯୋଗୁ ସ୍କୁଲ୍‌ର ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସେମାନେ ପ୍ରତିଦିନ ଛିଡ଼ା ହୋଇ ପିଲାମାନଙ୍କୁ ରାସ୍ତା ଅତିକ୍ରମ କରାଉଛନ୍ତି।

ସୁମିତ୍ରା ଧର ନାମ୍ନୀ ଜଣେ ଅଭିଭାବକ କହିଛନ୍ତି, “ରାସ୍ତାରେ ଗାଡ଼ି ଜାମ୍ ହେଉଥିବାରୁ ପିଲାମାନେ ସ୍କୁଲ ଯିବାକୁ ଭୟ କରୁଛନ୍ତି। ଏହାସହ କ୍ଲାସ୍‌ ରୁମ୍‌କୁ ମଧ୍ୟ ଧୂଳି ପଶି ଯାଉଛି। ଆମେ ବହୁତ କଷ୍ଟରେ ପିଲାମାନଙ୍କୁ ସ୍କୁଲକୁ ଛାଡୁଛୁ।”

ଶିକ୍ଷୟିତ୍ରୀ ଅରୁଣା କୁଅଁର କହିଛନ୍ତି, “ପିଲାମାନେ ବିପଦସଙ୍କୁଳ ଅବସ୍ଥାରେ ସ୍କୁଲକୁ ଆସୁଛନ୍ତି। ରାସ୍ତା ଉଚ୍ଚା ହୋଇ ଯିବାରୁ ସ୍କୁଲ ତଳୁଆ ହୋଇ ଗଲାଣି।”

ଅନ୍ୟପକ୍ଷରେ ଏନେଇ ଜିଲ୍ଲା ଶିକ୍ଷାଧିକାରୀ କପିଳେନ୍ଦ୍ର ମିଶ୍ରଙ୍କ ସହ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, “ରାସ୍ତା କାମ ତିଆରି ଚାଲିଥିବାରୁ ସ୍ଥିତିରେ କିଛି ପରିବର୍ତ୍ତନ ଆସିଥିବ। ବିଇଓଙ୍କୁ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।”

ପିଲାମାନଙ୍କୁ ପାଠପଢ଼ା ପ୍ରତି ଆକୃଷ୍ଟ କରିବାକୁ ତଥା ସରକାରୀ ସ୍କୁଲ୍‌ରେ ଉପସ୍ଥାନ ବଢ଼ାଇବାକୁ ସରକାରଙ୍କର ବିଭିନ୍ନ ଯୋଜନା ରହିଥିବା ବେଳେ ଜରିବାହାଳ ସ୍କୁଲ୍‌ର ସମସ୍ୟା ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହିତ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

 



from Odisha Reporter https://ift.tt/2YNqzN4

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages