ବରଗଡ଼ (ଦୀପକ ଶର୍ମା): ବରଗଡ଼ ଜିଲ୍ଲାର ଦୁଇ ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟା ସୁଷମା ଭୁଏ ଓ ପାର୍ବତୀ ଭୋଇ ଏଗାର ଦିନ ହେଲାଣି ନିଖୋଜ ଥିବା ବେଳେ ସୋହେଲାରେ ସେମାନଙ୍କୁ ଲୁଚାଇ ରଖାଯାଇଥିବା ଅଭିଯୋଗ ହୋଇଛି। ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ନିର୍ଦ୍ଦେଶରେ ଏହି ଦୁଇ ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ବିଜେଡିରେ ମିଶାଇବା ଲାଗି ଲୁଚାଇ ରଖାଯାଇଛି ବୋଲି ବିଜେପି ଅଭିଯୋଗ କରିଛି। ଏନେଇ ଗତକାଲି ନିଖୋଜ ବିଜେପି ଜିଲ୍ଲା ପରିଷଦ ସଦସ୍ୟାଙ୍କ ସ୍ୱାମୀ, ଜିଲ୍ଲା ସଭାପତି ଅରୂପା ସାହୁ ଓ ବିଜେପି ରାଜ୍ୟ ଉପ-ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ ବରଗଡ଼ ଏସ୍ପି ପଦ୍ମିନୀ ସାହୁଙ୍କ ନିକଟରେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁସାରେ, ଗତ ୪ ତାରିଖରେ ଏହି ଦୁଇ ବିଜେପି ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ଅନ୍ୟ ଜଣେ ଜିଲ୍ଲା ପରିଷଦ ସଦସ୍ୟ ସୋହେଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଡାକି ନେଇଥିଲେ। ସେବେଠାରୁ ସେମାନେ ଆଉ ଘରକୁ ଫେରି ନାହାନ୍ତି। ପରିବାର ଲୋକଙ୍କ ସହ ମଧ୍ୟ ସେମାନେ କୌଣସି ଯୋଗାଯୋଗ ରଖିନାହାନ୍ତି।
ଏନେଇ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ କୌଣସି ପ୍ରତିକ୍ରିୟା ମିଳି ନଥିବା ବେଳେ ବିଜେପି ରାଜ୍ୟ ଉପ-ସଭାପତି ଅଶ୍ୱିନୀ ଷଡ଼ଙ୍ଗୀ କହିଛନ୍ତି, “ଭେଡେନ ୨ ନମ୍ବର ଜୋନ୍ର ଜିଲ୍ଲା ପରିଷଦ ସଦସ୍ୟା ସୁଷମା ଭୁଏ ଓ ଅତାବିରା ୧ ନମ୍ବର ଜୋନ୍ର ସଦସ୍ୟା ପାର୍ବତୀ ଭୋଇ ଗତ ଚାରି ତାରିଖଠାରୁ ନିଖୋଜ ଅଛନ୍ତି। ଏନେଇ ସେମାନଙ୍କ ସ୍ୱାମୀମାନେ ଗତକାଲି ଲିଖିତ ଭାବରେ ବରଗଡ଼ ଏସ୍ପିଙ୍କୁ ଜଣାଇଛନ୍ତି। ଆମର ଅନ୍ୟ ଜିଲ୍ଲାପରିଷଦ ସଦସ୍ୟଙ୍କୁ ମଧ୍ୟ ବିଜୁ ଜନତା ଦଳରେ ମିଶିବା ପାଇଁ ଫୋନ୍ରେ ଧମକ ଦିଆଯାଉଛି।”
ବରଗଡ଼ ଏସ୍ପି ପଦ୍ମିନୀ ସାହୁ କହିଛନ୍ତି, “ଏଥିରେ ରାଜନୀତିକ ଲିଙ୍କ୍ ଅଛି ବୋଲି ସନ୍ଦେହ ହେଉଛି। ଘଟଣାର ତଦନ୍ତ କରାଯାଉଛି। ଖୁବ୍ଶୀଘ୍ର ଏହି ଦୁଇ ଜିଲ୍ଲା ପରିଷଦ ସଦସ୍ୟାଙ୍କୁ ଉଦ୍ଧାର କରାଯିବ।”
from Odisha Reporter https://ift.tt/2EhoM9g
No comments:
Post a Comment