ନୂଆଦିଲ୍ଲୀ: ଜାନୁଆରୀ ୫ ଜେଏନୟୁ ହିଂସାକାଣ୍ଡରେ ଗୁରୁତର ଆହତ ହୋଇଥିବା ଛାତ୍ର ସଂସଦ ସଭାପତି ଆଈଶି ଘୋଷଙ୍କ ନାଁରେ ପୁଲିସ ଏଫଆଇଆର ରୁଜୁ କରିଛି। ଘୋଷଙ୍କ ସହ ଆଉ ୧୯ ଜଣଙ୍କ ନାଁରେ ମଧ୍ୟ ଏଫଆଇଆର ରୁଜୁ ହୋଇଛି। ଆଇଶି ଓ ତାଙ୍କ ସମର୍ଥକମାନେ ଜାନୁଆରୀ ୪ରେ ଜେଏନୟୁର ସର୍ଭର ରୁମରେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି।
ଜାନୁଆରୀ ୪ରେ ସର୍ଭର ରୁମ ଭଙ୍ଗାରୁଜା ହେବା ପରେ ୫ ତାରିଖରେ ମୁଖାପିନ୍ଧା ଦୁର୍ବୃତ୍ତମାନେ ଜେଏନୟୁ କ୍ୟାମ୍ପସରେ ପ୍ରବେଶରେ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିଲେ। ଏଥିରେ ଆଇଶିଙ୍କ ସମେତ ୩୪ ଜଣ ଆହତ ହୋଇଛନ୍ତି। ଲୁହା ରଡ଼ ମାଡ଼ରେ ଆଇଶି ଲହୁଲୁହାଣ ହୋଇଥିଲେ।
ଆଈଶି ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଜେଏନୟୁ କର୍ତ୍ତୃପକ୍ଷ ପ୍ରଥମେ ଏଫଆଇଆର ରୁଜୁ କରିଥିଲେ। ଏଥିରେ ସେମାନେ ଆଈଶି ଓ ତାଙ୍କ ସମର୍ଥକମାନେ କେଉଁଭଳି ଭାବେ ଫି’ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରୁଥିଲେ ସେ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।
ଏଥିସହ ଫି’ ବୃଦ୍ଧିକୁ ବିରୋଧ କରି ସେମାନେ ସେମିଷ୍ଟର ପଞ୍ଜୀକରଣକୁ ବନ୍ଦ କରିବା ସହ ସର୍ଭର ରୁମରେ ଭଙ୍ଗା ରୁଜା କରିଥିବା କର୍ତ୍ତୃପକ୍ଷ ଏଫଆଇଆରରେ ଲେଖିଛନ୍ତି।
ପ୍ରଥମେ ଜାନୁଆରୀ ୩ରେ ଏଫଆଇଆର ରୁଜୁ ହୋଇଥିଲା। ଏହାପରେ ୪ ତାରିଖରେ ଆଉ ଏକ ଏଫଆଇଆର ଦିଆଯାଇଥିଲା। ଏଥିରେ ଘୋଷ ଓ ଆଉ ୮ ଜଣଙ୍କ ନାଁ ଯୋଡ଼ା ଯାଇଥିଲା। ଘୋଷ ଓ ତାଙ୍କର ସମର୍ଥକ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
ଶନିବାର ସକାଳେ ସର୍ଭରକୁ କିଛି ଛାତ୍ରଛାତ୍ରୀ ଅଚଳ କରିଦେଇଥିଲେ। ଏହାପରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହାକୁ ଚାଲୁ କରିଥିଲେ। ତେବେ ପୁଣି ମଧ୍ୟାହ୍ଣ ୧ଟା ବେଳେ ସର୍ଭର ରୁମକୁ କିଛି ଛାତ୍ର ପ୍ରବେଶ କରି ଏହାକୁ ଭାଙ୍ଗି ଦେଇଥିଲେ। ଏହା ଦ୍ୱିତୀୟ ଥର ପାଇଁ ଅପରାହ୍ଣ ୪ଟାରେ କାର୍ଯ୍ୟକ୍ଷମ ହୋଇଥିଲେ। ଫି’ ବୃଦ୍ଧି ପ୍ରତିବାଦରେ ହିଁ ସେମାନେ ଏପରି କରିଥିବା କୁହାଯାଉଛି।
from Odisha Reporter https://ift.tt/2tAgU0N
No comments:
Post a Comment