ନୂଆଦିଲ୍ଲୀ: ଜେଏନୟୁରେ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଗୁଣ୍ଡାଗିରି ଓ ଆକ୍ରମଣ ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ରାଜନେତାଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ଏହାକୁ ଦୃଢ଼ ନିନ୍ଦା କରିଛନ୍ତି। ତେବେ ଆସନ୍ତୁ ଜାଣିବା କିଏ କ’ଣ କହିଲେ।
୧: ଶାନ୍ତି ପାଇଁ ଜେଏନୟୁ କୁଳପତିଙ୍କ ନିବେଦନ: ଜେଏନୟୁର କୁଳପତି ଜଗଦେଶ କୁମାର ଛାତ୍ରଛାତ୍ରୀଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ କହିଛନ୍ତି। ଏଥିସହ ଜେଏନୟୁର ସମସ୍ତ ଛାତ୍ରଛାତ୍ରୀଙ୍କ ସହ ବିଶ୍ୱବିଦ୍ୟାଳୟ ରହିଥିବା ସେ କହିଛନ୍ତି।
୨: ପି ଚିଦାମ୍ବରମ(କଂଗ୍ରେସ): ଆମେ ଲାଇଭ ଟିଭିରେ ଯାହା ଦେଖିଲୁ ତାହା ଅତନ୍ତ୍ୟ ଭୟଙ୍କର। ମୁଖା ପିନ୍ଧା ଦୁର୍ବୃତ୍ତ ଜେଏନୟୁ କ୍ୟାମ୍ପସରେ ପଶି ହଷ୍ଟେଲରେ ଥିବା ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଛନ୍ତି। ପୁଲିସ୍ ଏହି ସମୟରେ କ’ଣ କରୁଥିଲା? କୁଆଡ଼େ ଗଲେ ପୁଲିସ୍ କମିଶନର?
୩: ମମତା ବାନାର୍ଜୀ(ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ): ଜେଏନ୍ୟୁରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପରେ ହୋଇଥିବା ଆକ୍ରମଣକୁ ମୁଁ ନିନ୍ଦା କରୁଛି। ଏହା ସଭ୍ୟ ସମାଜରେ ଗ୍ରହଣୀୟ ନୁହେଁ।
୪: ଅରବିନ୍ଦ କେଜ୍ରିୱାଲ(ଦିଲ୍ଲୀ ମୁଖ୍ୟମନ୍ତ୍ରୀ): ଜେଏନୟୁ ହିଂସାକାଣ୍ଡ ଘଟଣା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଛି। ଛାତ୍ରଛାତ୍ରୀଙ୍କୁ ଭୟଙ୍କର ଢଙ୍ଗରେ ଆକ୍ରମଣ କରାଯାଇଛି। ପୁଲିସ୍ ହିଂସାକୁ ବନ୍ଦ କରିବା ସହ ଶାନ୍ତି ପ୍ରତିଷ୍ଠା ପାଇଁ ଉଦ୍ୟମ କରୁ। ଯଦି ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଶିକ୍ଷାର୍ଥୀ ସୁରକ୍ଷିତ ନାହାନ୍ତି, ତା’ହେଲେ ଦେଶ କେମିତି ଆଗକୁ ବଢ଼ିବ?
୫: ରାହୁଲ ଗାନ୍ଧି(କଂଗ୍ରେସ ସାଂସଦ): ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ଆହତ ହେବା ଏକ ଭୟଙ୍କର ଘଟଣା। ଦେଶକୁ ଶାସନ କରୁଥିବା ଫାଶୀବାଦୀ ଚିନ୍ତାଧାରାର ଲୋକମାନେ ଆମ ସାହସୀ ଶିକ୍ଷାର୍ଥୀଙ୍କ ସ୍ୱରକୁ ବନ୍ଦ କରିବା ପାଇଁ ଚାହୁଁଛନ୍ତି। ଜେଏନ୍ୟୁ ହିଂସାକାଣ୍ଡ ଭୟର ଏକ ପ୍ରତିଫଳନ।
୬: ଏସ ଜୟଶଙ୍କର(ବୈଦେଶିକ ମନ୍ତ୍ରୀ): ଜେଏନୟୁରେ ଘଟିଥିବା ଘଟଣାର ଫଟୋ ଦେଖିଲି। ସମସ୍ତେ ଏଭଳି ହିଂସାକାଣ୍ଡକୁ ନିନ୍ଦା କରିବା ଦରକାର। ଏହି ଘଟଣା ବିଶ୍ୱବିଦ୍ୟାଳୟର ସଂସ୍କୃତି ଓ ପରମ୍ପରା ବିରୋଧୀ।
୭: କହ୍ନୈୟା କୁମାର(ପୂର୍ବତନ ଜେଏନୟୁ ସଭାପତି): ଆପଣ ଆଜିର ଦ୍ରୋଣାଚାର୍ଯ୍ୟ ତ ହୋଇଯାଇଛନ୍ତି। ହେଲେ ଏବେ କାର ଏକଲବ୍ୟ ଆପଣଙ୍କୁ ତା’ର ଆଙ୍ଗୁଠି ଦେବନାହିଁ। ଆପଣ ହିଂସା ସୃଷ୍ଟି କରି ଜାମିଆ ଓ ଆଲିଗଡ଼ ଭଳି ଜେଏନୟୁକୁ ବନ୍ଦ କରିବାକୁ ଚାହୁଁଛନ୍ତି। ଆପଣଙ୍କ ଏଭଳି ଷଡ଼ଯନ୍ତ୍ରକୁ ବିଦ୍ୟାର୍ଥୀମାନେ ଭଲ ଭାବେ ବୁଝିଛନ୍ତି। ପୁଣି କହୁଛି, ଆପଣ ବିଦ୍ୟାର୍ଥୀମାନଙ୍କ ସ୍ୱରକୁ ଯେତେଥର ଦବାଇବାକୁ ଚେଷ୍ଟା କରିବେ, ସେମାନେ ସେତେ ଜୋରରେ ନିଜର ସ୍ୱର ଶାଣିତ କରିବେ। ସମ୍ବିଧାନ ଓ ଗରିବଙ୍କ ବିରୋଧରେ ଆପଣ କରୁଥିବା ସମସ୍ତ ଷଡ଼ଯନ୍ତ୍ରକୁ ଛାତ୍ରଛାତ୍ରୀମାନେ ଏକାଠି ହୋଇ ବିରୋଧ କରିବେ।
୮: ସ୍ମୃତି ଇରନୀ(କେନ୍ଦ୍ର ମନ୍ତ୍ରୀ): ଜେଏନୟୁରେ ଯାହା ଘଟିଲା ତା’ର ତଦନ୍ତ କରାଯାଉଛି। ଆମେ ଏବେ ବି କହୁଛୁ ଏହାକୁ ନେଇ ରାଜନୀତି କରା ନଯାଉ। ସେହିପରି ଛାତ୍ରଛାତ୍ରୀଙ୍କୁ ରାଜନୀତିକ ଅସ୍ତ୍ର ଭାବେ ବ୍ୟବହାର କରା ନଯାଉ।
from Odisha Reporter https://ift.tt/2QsxVTn
No comments:
Post a Comment