ରତ୍ନାକରଙ୍କ ଦୁଇ ରତ୍ନ ତପନ ଓ ଗଗନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 16, 2020

ରତ୍ନାକରଙ୍କ ଦୁଇ ରତ୍ନ ତପନ ଓ ଗଗନ

ଆନନ୍ଦପୁର (ମୁନା ସିଂହ): କଥାରେ ଅଛି, ‘ଚାଷ ଅଛି ଯାହାର କି ଆନନ୍ଦ ତାହାର’। ଆଉ ଏହି ଉକ୍ତିକୁ ପ୍ରମାଣ କରି ଦେଖାଇଛନ୍ତି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଖାଲପାଳ ଗାଁର ଦୁଇ ଭାଇ ତପନ ଓ ଗଗନ। ନିଜକୁ ଆତ୍ମନିର୍ଭରଶୀଳ କରିବା ସହିତ ଅନ୍ୟମାନଙ୍କୁ ରୋଜଗାର ଦେବାର ନିଶା ସେମାନଙ୍କୁ ସଫଳ ଚାଷୀ ଭାବେ ପରିଚୟ ଦେଇଛି।

ଗାଁର ରତ୍ନାକର ଜେନାଙ୍କ ଦୁଇ ପୁଅ ହେଉଛନ୍ତି ତପନ ଓ ଗଗନ। ରତ୍ନାକର ମଧ୍ୟ ଜଣେ ଚାଷୀ। ତେବେ ସେ ଖାଲି ଧାନ ଚାଷ କରୁଥିଲେ। ତପନ ବିଏ ପାସ୍‌ କରିବା ପରେ ଚାକିରି ପଛରେ ନ ଦୌଡ଼ି ବାପାଙ୍କୁ ଚାଷ କାମରେ ସାହାଯ୍ୟ କରିବାକୁ ଆଗେଇ ଆସିଲେ। ହେଲେ ସେ ପାରମ୍ପରିକ ଚାଷ ଠାରୁ କିଛି ଭିନ୍ନ କରିବାକୁ ଚାହିଁଲେ। ଏଥିପାଇଁ ସେ ଧାନ ସହିତ ଅନ୍ୟାନ୍ୟ ଚାଷ ବି କରୁଛନ୍ତି ଏବଂ ଏଥିପାଇଁ ଆଧୁନିକ ଚାଷ ପ୍ରଣାଳୀ ବି ଆପଣାଇଛନ୍ତି।

ଏନେଇ ତପନ କହିଛନ୍ତି, “ଆମେ ପ୍ରଥମେ ବିଲରେ ଧାନ ଚାଷ କରୁଥିଲୁ। ହେଲେ ଖର୍ଚ୍ଚ ଅନୁସାରେ ଲାଭ ହେଉ ନଥିଲା। ତେଣୁ ଗୋଟିଏ ପ୍ରକାର ଚାଷ ନକରି ଗାଈ, ମାଛ ଓ ବତକ ଚାଷ କଲୁ। ଏବେ ୧୦୦ ବତକ ମଧ୍ୟ ରଖିଛୁ। ପ୍ରତିଦିନ ୩୦ରୁ ୪୦ଟି ଅଣ୍ଡା ବାହାରୁଛି। ଏଥିସହ ୭୦ଟି ଗାଈରୁ ୨୫୦ରୁ ୩୦୦ ଲିଟର କ୍ଷୀର ହେଉଛି। ମାସକୁ ଆମର ପ୍ରାୟ ଦେଢ଼ ଲକ୍ଷ ଟଙ୍କା ରୋଜଗାର ହେଉଛି।”

ତପନ ନିଜସ୍ୱ ଜ୍ଞାନକୌଶଳରେ ଉନ୍ନତମାନର ଧାନ ବିହନ ଉତ୍ପାଦନ କରି ଚାଷ କରୁଛନ୍ତି। ତାଙ୍କର ଏକ ବିହନ ପ୍ରକ୍ରିୟାକରଣ କେନ୍ଦ୍ର ମଧ୍ୟ ରହିଛି।

ସେହିପରି ତପନଙ୍କ ସାନ ଭାଇ ଗଗନ ଏମ୍‌ବିଏ ପଢ଼ିବା ପରେ ଏକ ଘରୋଇ କମ୍ପାନୀରେ ଚାକିରି କରିଥିଲେ। ମାସିକ ଷାଠିଏ ହଜାରରୁ ଅଧିକ ଟଙ୍କା ଦରମା ମଧ୍ୟ ପାଉଥିଲେ। କିନ୍ତୁ ବଡ଼ ଭାଇଙ୍କୁ ଦେଖି ସେ ଚାଷ କାର୍ଯ୍ୟ ପ୍ରତି ଆକୃଷ୍ଟ ହେଲେ ଓ ଆତ୍ମନିର୍ଭରଶୀଳ ହେବା ପାଇଁ ଆଗ୍ରହ ପ୍ରକାଶ କଲେ। ତେଣୁ ଚାକିରି ଛାଡ଼ି ବଡ଼ ଭାଇଙ୍କ ସହିତ ଚାଷ କରୁଛନ୍ତି। ଦୁଇ ଭାଇ ମିଶି ୧୫ ଏକର ଜମିରେ ଧାନ, ବାଦାମ, ହରଡ଼, କଦଳୀ ଓ ବିଭିନ୍ନ ପ୍ରକାର ପନିପରିବା ଚାଷ କରୁଛନ୍ତି। ତା’ସହିତ କୁକୁଡ଼ା, ବତକ ଓ ବାୟୋପ୍ଲଗ ପ୍ରଣାଳୀରେ ମାଛ ଚାଷ କରୁଛନ୍ତି। ଏ କାମରେ ସେମାନଙ୍କ ବାପା ମଧ୍ୟ ସେମାନଙ୍କୁ ସାହାଯ୍ୟ କରୁଛନ୍ତି।

ଗଗନ କହିଛନ୍ତି, “ଜଣେ ପାଠ ପଢ଼ିଲେ ଚାକିରି କରିବା ଜରୁରୀ ନୁହେଁ। ଯାହାର ଯୋଗ୍ୟତା ଥିବ ସେ ବିଭିନ୍ନ ମାଧ୍ୟମରେ ରୋଜଗାର କରିପାରିବ। ଆମେ ଚାଷ କାମ କରି ୨୫ରୁ ୩୦ ଜଣ ପିଲାଙ୍କୁ ନିଯୁକ୍ତି ଦେଇଛୁ। ଚାଷ କରି ଆମେ ଆତ୍ମନିର୍ଭରଶୀଳ ହୋଇପାରିଛୁ ଓ ବେଶ୍‌ ଖୁସିରେ ଅଛୁ।”

ଗଗନଙ୍କ ଶିକ୍ଷକ ଶରତ ଚନ୍ଦ୍ର ଜେନା କହିଛନ୍ତି, “ଗଗନ ଜଣେ ଆଦର୍ଶ କୃଷକ ଭାବେ ପରିଗଣିତ ହୋଇଥିବାରୁ ମୁଁ ଗର୍ବ ଅନୁଭବ କରୁଛି। ଗଗନଙ୍କୁ ମୁଁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ାଇଛି। କୃଷକ ହେବାକୁ ହେଲେ ପାଠ ପଢ଼ିବା ନିହାତି ଆବଶ୍ୟକ। ସେ ଚାକିରି କରିଥିଲେ। ହେଲେ ତାଙ୍କର ଲକ୍ଷ୍ୟ ଥିଲା ଭଲ ଚାଷୀଟିଏ ହେବା ପାଇଁ। ତେଣୁ ସେ ଚାକିରି ଛାଡ଼ି କୃଷିରେ ମନୋନିବେଶ କରି ଆମ ଅଞ୍ଚଳର ଜଣେ ଶ୍ରେଷ୍ଠ କୃଷକ ଭାବେ ପରିଗଣିତ ହୋଇଛନ୍ତି।”

ତପନ ଓ ଗଗନଙ୍କ କାହାଣୀ ଏହା ପୁଣି ଥରେ ପ୍ରମାଣିତ କରିଛି ଯେ ଆଜିର ଯୁବ ସମାଜ ଚାକିରି ପଛରେ ନଗୋଡ଼ାଇ ନିଜସ୍ୱ ଉଦ୍ୟମରେ ଆତ୍ମନିର୍ଭରଶୀଳ ହେଲେ ବେକାରୀ ସମସ୍ୟା ଦୂର ହୋଇପାରିବ।

 



from Odisha Reporter https://ift.tt/30tZ6AB

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages