ମାଲକାନଗିରି (ଜିତେନ୍ଦ୍ର ବେଉରା ): ପାହାଡ଼ ପର୍ବତ ଘେରା ମାଲକାନଗିରି ଜିଲ୍ଲାର ଏକ ନିପଟ ମଫସଲ ଗାଁ ଗୋଡ଼ିଗଣ୍ଡିରେ ପ୍ରସବ ବେଦନାରେ ଛଟପଟ ହେଉଥିବା ଜଣେ ଗର୍ଭବତୀଙ୍କ ପାଇଁ ଦେବଦୂତ ସାଜିଲେ ଜଣେ ଡାକ୍ତର ଓ ତାଙ୍କ ଟିମ୍। ସେମାନଙ୍କ ଯୋଗୁ ତାଙ୍କ ଜୀବନ ବଞ୍ଚିବା ସହିତ ତାଙ୍କର ଗୋଟିଏ ଛୁଆ ସୁସ୍ଥ ଅଛି। ତେବେ ଆଉ ଗୋଟିଏ ଛୁଆ ନଷ୍ଟ ହୋଇଯାଇଛି।
ଘଟଣାଟି ଗତ ରବିବାରର। ଗାଁର ରୀନା ମାଡ଼ି ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ସାହାଯ୍ୟ କରିବାକୁ କେହି ବି ନ ଥିଲେ। ଗାଁର ପୁରୁଷମାନେ ନିକଟସ୍ଥ ଗାଁକୁ ଏକ ପର୍ବରେ ସାମିଲ ହେବାକୁ ଚାଲିଯାଇଥିଲେ। ଏପରି ସମୟରେ ସାହି ପଡ଼ିଶା ମହିଳାମାନେ ତାଙ୍କୁ ଡାକ୍ତରଖାନା ନେବାକୁ ସାହସ ଜୁଟାଇ ପାରି ନଥିଲେ। କାରଣ ଡାକ୍ତରଖାନା ଯିବାକୁ ହେଲେ ୩୦ କିଲୋମିଟରର ପାହାଡ଼ିଆ ରାସ୍ତା ଅତିକ୍ରମ କରିବାକୁ ହେବ। ତେବେ ସୌଭାଗ୍ୟ ବଶତଃ ସେଦିନ ସେହି ଗାଁକୁ ଡାକ୍ତର ରାଧେଶ୍ୟାମ ଜେନା ଓ ତାଙ୍କ ଟିମ୍ ପଲ୍ସ ପୋଲିଓ କାର୍ଯ୍ୟକ୍ରମ ପାଇଁ ଆସିଥିଲା। ରୀନାଙ୍କ ସଂପର୍କରେ ଖବର ପାଇ ସେମାନେ ତାଙ୍କ ଘରେ ପହଞ୍ଚିଥିଲେ।
ଡାକ୍ତର ଜେନା ନିଜ୍ ଟିମ୍ ସଦସ୍ୟଙ୍କ ସହାୟତାରେ ରୀନାଙ୍କ ପ୍ରସବ କରାଇଥିଲେ। ତେବେ ପ୍ରସବ ପରେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇଯାଇଥିଲା। ଡାକ୍ତର ଜେନା ଜାଣିବାକୁ ପାଇଲେ ଯେ ରୀନାଙ୍କ ଗର୍ଭରେ ଆଉ ଏକ ଛୁଆ ଅଛି। ଏହା ପରେ ସେ ତାଙ୍କୁ କାଲିମେଳା ଡାକ୍ତରଖାନା ନେବାକୁ ନିଷ୍ପତ୍ତି ନେଲେ। ତେବେ ଏହା ଏତେ ସହଜ ନଥିଲା। କାରଣ ଗାଁରେ କେହି ପୁରୁଷ ନଥିବା ବେଳେ ଡାକ୍ତରଖାନା ନେବାକୁ ହେଲେ ରୀନାଙ୍କୁ ୩୦ କିଲୋମିଟର ବାଟ ବୋହିକି ନେବାକୁ ହେବ। ତେବେ ଡାକ୍ତର ଜେନା ଓ ତାଙ୍କ ଟିମ୍ ଆଉ କାହାକୁ ଅପେକ୍ଷା ନ କରି ସେମାନେ ନିଜେ ରୀନାଙ୍କୁ ବୋହି ଡାକ୍ତରଖାନା ନେବାକୁ ସ୍ଥିର କଲେ।
ଦିନ ପ୍ରାୟ ୧୨ଟା ବେଳକୁ ସେମାନେ ଏହି କଷ୍ଟସାଧ୍ୟ ଯାତ୍ରା ଆରମ୍ଭ କରିଥିଲେ। ଦୁର୍ଗମ ପାହାଡ଼ିଆ ରାସ୍ତା ଅତିକ୍ରମ କରି ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ରାତି ୮ଟା ହୋଇଯାଇଥିଲା। ସେଠାରେ ରୀନାଙ୍କର ପୁଣି ଥରେ ପ୍ରସବ କରାଯାଇଥିଲା। ତେବେ ଛୁଆଟି ମରି ଯାଇଥିଲା। କିନ୍ତୁ ସୁଖର କଥାରେ ଡାକ୍ତର ଓ ତାଙ୍କ ଟିମ୍ର ଉଦ୍ୟମ ଯୋଗୁ ରୀନାଙ୍କ ଜୀବନ ବଞ୍ଚି ଯାଇଥିଲା। ତା’ସହିତ ସେ ପ୍ରଥମେ ପ୍ରସବ କରିଥିବା ଛୁଆଟି ମଧ୍ୟ ସୁସ୍ଥ ଅଛି।
ସ୍ଥାନୀୟ ଲୋକେ ଡାକ୍ତର ଜେନା ଓ ତାଙ୍କ ଟିମ୍ର ଏତାଦୃଶ୍ୟ କାର୍ଯ୍ୟକୁ ବହୁତ ପ୍ରଶଂସା କରୁଛନ୍ତି। ହୁଏତ ସେମାନେ ସେଦିନ ସେଠାକୁ ଯାଇ ନଥିଲେ ଓ ରୀନାଙ୍କୁ ଡାକ୍ତରଖାନା ଆଣି ନଥିଲେ ଆଉ ଦୁଇଟି ଜୀବନ ବି ଲିଭିଯାଇଥା’ନ୍ତା।
from Odisha Reporter https://ift.tt/38mVXFF
No comments:
Post a Comment