ନୂଆଦିଲ୍ଲୀ: ଜାତିସଂଘ ସୁରକ୍ଷା ପରିଷଦରେ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ଘେରିବାକୁ ଚେଷ୍ଟା କରୁଥିବା ପାକିସ୍ତାନ ଓ ଚାଇନା ପୁଣିଥରେ ଅପଦସ୍ଥ ହୋଇଛନ୍ତି। ପାକିସ୍ତାନ କଥାରେ ତା’ର ପରମ ବନ୍ଧୁ ଚାଇନା ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ଉପରେ ଆଲୋଚନା କରିବାକୁ ଦାବି କରିଥିଲା।
ହେଲେ ଚାଇନା ବ୍ୟତୀତ କଶ୍ମୀର ଉପରେ ରୁଦ୍ଧଦ୍ୱାର ବୈଠକ କରିବାକୁ ଅନ୍ୟ କୌଣସି ରାଷ୍ଟ୍ର ସହମତି ହୋଇ ନଥିଲେ। ଫଳରେ ପାକିସ୍ତାନ ଓ ଚାଇନାର ସବୁ ଯୋଜନା ଫ୍ଲପ ହୋଇଯାଇଛି। ଜାତିସଂଘ ସୁରକ୍ଷା ପରିଷଦର ଅଧିକାଂଶ ସଦସ୍ୟ ରାଷ୍ଟ୍ର କଶ୍ମୀର ପ୍ରସଙ୍ଗ ଏଠାରେ ଆଲୋଚନା କରିବା ଉପଯୁକ୍ତ ନୁହେଁ ବୋଲି କହିଛନ୍ତି। ଏଥିସହ ସେମାନେ କଶ୍ମୀର ପ୍ରସଙ୍ଗକୁ ଭାରତ ଓ ପାକିସ୍ତାନ ଆଲୋଚନା ଦ୍ୱାରା ସମାଧାନ କରିବାକୁ କହିଥିବା ଜଣାପଡ଼ିଛି।
ଚାଇନା ଓ ପାକିସ୍ତାନର ଏଭଳି ଗୋଟିଏ ଚାଳନାକୁ ଭାରତ ନାପସନ୍ଦ କରିଛି। ଜାତିସଂଘରେ ଥିବା ଭାରତର ସ୍ଥାୟୀ ସଦସ୍ୟ ସୟଦ ଅକବାରୁଦ୍ଦିନ କହିଛନ୍ତି, “ଜାତିସଂଘରେ ଆମର ପତାକା ପୁଣିଥରେ ଉଚ୍ଚରେ ଉଡ଼ିଛି। ଯେଉଁମାନେ ମିଛ କଥା କହି ପ୍ରସଙ୍ଗ ଉଠାଇବାକୁ ଚାହୁଁଥିଲେ, ସେମାନଙ୍କୁ ଆମର ସବୁ ବନ୍ଧୁ ଉପଯୁକ୍ତ ଜବାବ ଦେଇଛନ୍ତି।
ପାକିସ୍ତାନ ଏସବୁ କଥା ଭୁଲି ପ୍ରଥମେ ନିଜ ଦେଶରେ ଆଶ୍ରୟ ଦେଇଥିବା ଆତଙ୍କବାଦୀ ପ୍ରସଙ୍ଗକୁ ବିଚାର କରିବା ଦରକାର। ପାକିସ୍ତାନର କଥା ଜାତିସଂଘର ଗୋଟିଏ ମାତ୍ର ଦେଶ ସମର୍ଥନ କରିଥିଲା। ହେଲେ ଅନ୍ୟମାନେ ଏହାକୁ ଗ୍ରହଣ କରିନାହାନ୍ତି। ପାକିସ୍ତାନର ମିଛ ପ୍ରଚାରରେ ବିଶ୍ୱାସ କରି ବାରମ୍ବାର ଏଭଳି ପ୍ରୟାସ କରିବା ଠିକ୍ ନୁହେଁ। ତେଣୁ ଆଗକୁ ସମସ୍ତେ ଏଥିପ୍ରତି ଧ୍ୟାନ ଦେବା ଦରକାର।”
ବୁଧବାର ନ୍ୟୁୟର୍କରେ ଥିବା ଜାତିସଂଘ ସୁରକ୍ଷା ପରିଷଦରେ ଗୋଟିଏ ଆଫ୍ରିକାନ ଦେଶର ସ୍ଥିତି ଉପରେ ଆଲୋଚନା କରିବାକୁ ଜାତିସଂଘ ପକ୍ଷରୁ ରୁଦ୍ଧଦ୍ୱାର ବୈଠକ ଡକା ଯାଇଥିଲା। ହେଲେ ଚାଇନା ଏହି ମଉକାରେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଯୋଜନା କକରିଥିଲା।
ଜାତିସଂଘର “Any Other Business Points” ଅନୁଯାୟୀ ଚାଇନା କଶ୍ମୀର ଗୋଟି ଚାଳନା କରିଥିଲା। ଫ୍ରାନ୍ସ ସମେତ ଏକାଧିକ ଦେଶ ପୂର୍ବଭଳି ଏଥର ମଧ୍ୟ କଶ୍ମୀରକୁ ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ କହିଛନ୍ତି। ଏଥିସହ ଚାଇନାର କଶ୍ମୀର ଗୋଟି ଚାଳନାକୁ ମଧ୍ୟ ଫ୍ରାନ୍ସ ବିରୋଧ କରିଥିଲା।
ରାତି ପ୍ରାୟ ୯.୩୦ରେ ନ୍ୟୁୟର୍କରେ କଶ୍ମୀର ପ୍ରସଙ୍ଗରେ ରୁଦ୍ଧଦ୍ୱାର ବୈଠକ ହେବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ପ୍ରସଙ୍ଗ ସମର୍ଥନରେ ଅଧିକାଂଶ ରାଷ୍ଟ୍ର ନଥିବାରୁ ଏହି ଯୋଜନା ଫ୍ଲପ ହୋଇଥିଲା।
ଗତମାସରେ ମଧ୍ୟ ଚାଇନା ଜାତିସଂଘ ସୁରକ୍ଷା ପରିଷଦର ରୁଦ୍ଧଦ୍ୱାର ବୈଠକରେ କଶ୍ମୀର ଉପରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଥିଲା। ହେଲେ ରୁଷ, ଫ୍ରାନ୍ସ, ଆମେରିକା ଓ ବ୍ରିଟେନ ଏହାକୁ ବିରୋଧ କରିବାରୁ ଏହା କାଟ ଖାଇଯାଇଥିଲା।
from Odisha Reporter https://ift.tt/2ssRbqK
No comments:
Post a Comment