ନୂଆଦିଲ୍ଲୀ: ବିଜେପି ତଣ୍ଟିରେ କଣ୍ଟା ହୋଇ ଲାଗିଥିବା ଶାହୀନ ବାଗ ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଦଳର ନେତାମାନେ ନାନା ପ୍ରକାରର ବୟାନ ଦେବାରେ ଲାଗିଛନ୍ତି। କେତେବେଳେ ଏଠାରେ ସିଏଏ ବିରୋଧରେ ଆନ୍ଦୋଳନ କରୁଥିବା ଲୋକଙ୍କୁ ବିଜେପି ନେତାମାନେ ଦୁଷ୍କର୍ମକାରୀ, ହତ୍ୟାକାରୀ ଓ ପାକିସ୍ତାନୀ କହୁଥିବା ବେଳେ ଏବେ କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସର ସହଯୋଗୀ କହିବା ଆରମ୍ଭ କରିଛନ୍ତି।
ସିଏଏକୁ ବିରୋଧ କରି ଦୀର୍ଘ ୪୦ରୁ ଅଧିକ ଦିନ ହେଲା ଶତାଧିକ ମହିଳା ଓ ଶିଶୁମାନେ ଶାହୀନ ବାଗରେ ବସି ରହିଛନ୍ତି। ଏବେ ବିଜେପି ନେତା ତରୁଣ ଛୁଗ ଶାହୀନ ବାଗରେ ଆଇଏସ ସଂଗଠନ ଭଳି କାର୍ଯ୍ୟ କରାଯାଉଛି ବୋଲି ଟ୍ୱିଟ କରିଛନ୍ତି।
ସେ କହିଛନ୍ତି, “ଆମେ କେବେ ହେଲେ ଦିଲ୍ଲୀକୁ ସିରିୟା କରିବାକୁ ଦେବୁନାହିଁ। ସେମାନେ ଏଠାରେ କେବେ ହେଲେ ଆଇଏସ ଭଳି ସଂଗଠନ ଚଳାଇପାରିବେ ନାହିଁ। ଆଇଏସ ଭଳି ସେମାନେ ମହିଳା ଓ ଶିଶୁଙ୍କୁ ବ୍ୟବହାର କରୁଛନ୍ତି। ସେମାନେ ଦିଲ୍ଲୀର ମୁଖ୍ୟ ରାସ୍ତାକୁ ବନ୍ଦ କରି ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି।
ଆମେ ଦିଲ୍ଲୀରେ ଏମିତି ହେବାକୁ ଦେବୁ ନାହିଁ। ଦିଲ୍ଲୀକୁ କେବେ ହେଲେ ଜଳିବାକୁ ଛାଡ଼ି ପାରିବୁ ନାହିଁ। ଦେଶ କେ ଗରଦାର କୋ ଗୁଲି ମାର ସା..କୋ ନାରା ଭୁଲ ନଥିଲା। ଭାରତର ଅଖଣ୍ଡତାକୁ ଭାଙ୍ଗିବାକୁ ଆମେ କେବେ ଦେବୁନାହିଁ।
ଆଇଏସ ମହିଳା ଓ ଶିଶୁଙ୍କୁ ବ୍ୟବହାର କରୁଥିଲା। ଏବେ ସେମାନେ ସେଭଳି ସଂଗଠନ ଏଠାରେ ସୃଷ୍ଟି କରିବାକୁ ଚାହୁଁଛନ୍ତି। ଭାରତରେ ହାଫିଜ ସୟିଦ ବିଚାରଧାରାକୁ କେବେ ହେଲେ ବରଦାସ୍ତ କରାଯିବ ନାହିଁ।”
ଏହାପୂର୍ବରୁ ବିଜେପି ନେତା କପିଲ ମିଶ୍ରା, ପରଭେଶ ବର୍ମା ଓ ଅନୁରାଗ ଠାକୁର ମଧ୍ୟ ଶାହୀନ ବାଗ ଆନ୍ଦୋଳନକାରୀଙ୍କ ବିରୋଧରେ ବିଷ ଓଗାଳିଥିଲେ। ଏଥିପାଇଁ ନିର୍ବାଚନ କମିଶନ ମଧ୍ୟ ଏମାନଙ୍କୁ ନୋଟିସ କରିଛନ୍ତି। ତଥାପି ବିଜେପି ନେତାମାନେ କ୍ରମାଗତ ଭାବେ ଶାହୀନ ବାଗ ଆନ୍ଦୋଳନକାରୀଙ୍କୁ ନିଜ ଇଚ୍ଛା ଅନୁସାରେ ସମାଲୋଚନା କରିବାରେ ଲାଗିଛନ୍ତି।
from Odisha Reporter https://ift.tt/3aSZKwv
No comments:
Post a Comment