ନୂଆଦିଲ୍ଲୀ: କର୍ଣ୍ଣାଟକରେ ହରେକଲା ଇଜବ୍ବା ନାମର ଜଣେ କମଳା ବ୍ୟବସାୟୀ ଅଛନ୍ତି। ଏଥର ସେ ପଦ୍ମଶ୍ରୀ ପାଇବେ। ନିକଟରେ ପଦ୍ମ ପୁରସ୍କାରର ଘୋଷଣା ହୋଇଛି। ଯେଉଁଥିରେ ହରେକଲାଙ୍କ ନାଁ ମଧ୍ୟ ସାମିଲ୍ ହୋଇଛି। ଯେତେବେଳେ ଏହି ପୁରସ୍କାର ଖବରରେ ହରେକଲାଙ୍କୁ ମିଳିଲା ସେତେବେଳେ ସେ ତେଜରାତି ଦୋକାନରେ ଜିନିଷ କିଣିବା ପାଇଁ ଧାଡ଼ିରେ ଠିଆ ହୋଇଥିଲେ। ପ୍ରଥମେ ତାଙ୍କ ମୋବାଇଲ୍କୁ କଲ୍ ଆସିଲା। ଫୋନ୍ରେ ଜଣେ ହିନ୍ଦିରେ କଥାବାର୍ତ୍ତା କରୁଥିଲେ। ହରେକଲା ସଠିକ୍ ଭାବରେ ହିନ୍ଦି ବୁଝିପାରୁନଥିଲେ, ତେଣୁ ସେ ଫୋନ୍ଟିକୁ ପାଖରେ ଥିବା ଏକ ଅଟୋବାଲାକୁ ଧରେଇଦେଲେ। ଉକ୍ତ ବ୍ୟକ୍ତି ଜଣଙ୍କ ଫୋନ୍ରେ କଥା ହେବାପରେ ଜାଣିଲେ ଯେ ହରେକଲାଙ୍କୁ ପଦ୍ମଶ୍ରୀ ମିଳିବ। ତା’ପରେ ସେ ହରେକଲାଙ୍କୁ ଏହି ଖୁସି ଖବରଟି ଜଣାଇଥିଲେ।
ଜଣେ କମଳା ବ୍ୟବସାୟୀଙ୍କୁ ପଦ୍ମଶ୍ରୀ ପୁରସ୍କାର କାହିଁକି ମିଳିଲା?
ବେଙ୍ଗଲୁରୁରୁ ୩୫୦ କିଲୋମିଟର ଦୂରରେ ରହିଛି ନ୍ୟୁପଡପୁ ଗାଁ। ସେଠାରେ କୌଣସି ସ୍କୁଲ୍ ନଥିଲା। ହରେକଲା ସେଠାକାର ପିଲାଙ୍କୁ ଶିକ୍ଷା ଦେବାକୁ ନିଜେ ଗୋଟେ ସ୍କୁଲ୍ ଗଢିବେ ବୋଲି ସ୍ଥିର କଲେ ଏବଂ କମଳା ବିକ୍ରି କରି ଯେତିକି ଟଙ୍କା ରୋଜଗାର କଲେ ସେଥିରେ ଗୋଟେ ସ୍କୁଲ୍ ଗଢିଲେ । ନିଜ ସଞ୍ଚିତ ଟଙ୍କା ସହ ଲୋନ୍ କରି ୨୦୦୦ ମସିହାରେ ହରେକଲା ସେହି ଗାଁରେ ଏକ ସ୍କୁଲ୍ ଠିଆ କଲେ। ପ୍ରଥମେ ଏହି ସ୍କୁଲ୍ରେ ୨୮ ଜଣ ଶିକ୍ଷାର୍ଥୀ ପାଠ ପଢୁଥିଲେ।
ହରେକଲା ନିଜେ ତାଙ୍କର ପ୍ରାଥମିକ ଶିକ୍ଷା ପୂରା କରିପାରିନଥିଲେ। ତାଙ୍କ କହିବା ଅନୁଯାୟୀ, ଜଣେ ବିଦେଶୀ ପର୍ଯ୍ୟଟକଙ୍କ ସହ ମିଶିବା ପରେ ସେ ସ୍କୁଲ୍ ଆରମ୍ଭ କରିବେ ବୋଲି ସ୍ଥିର କରିଥିଲେ। ଥରେ ସେ କମଳା ବିକୁଥିବା ସମୟରେ ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ଆସି ତାଙ୍କୁ କମଳା କିଲୋ ଦାମ୍ ପଚାରିଥିଲେ। ସେ ସମୟରେ ସେ କମଳା ଦାମ୍ ଇଂଲିଶ୍ରେ କହିପାରିଲେନି, କାରଣ ତାଙ୍କୁ ଟୁଲୁ ଏବଂ ବେରି ଭାଷା ଛଡ଼ା ଆଉ କେଉଁ ଭାଷାରେ କଥା ହୋଇଆସୁନଥିଲା। ସେ ବିଦେଶୀ ପର୍ଯ୍ୟଟକଙ୍କୁ ଦାମ୍ ଠିକ୍ ଭାବେ କହିପାରିଲେନି ବୋଲି ସେମାନେ କମଳା ନ କିଣି ଚାଲି ଯାଇଥିଲେ। ସେ ଘଟଣାଟି ହରେକଲାଙ୍କୁ ଖୁବ୍ ଆଘାତ ଦେଇଥିଲା। ସେବେଠୁ ହିଁ ସେ ସ୍ଥିର କରିଥିଲେ ଯେ, ଯେଉଁ ସମସ୍ୟା ତାଙ୍କ ସହ ହେଲା ସେହି ସମସ୍ୟା ସେ ତାଙ୍କ ଗାଁ ଛୁଆଙ୍କ ସହ ହେବାକୁ ଦେବେନି।
ହରେକଲାଙ୍କର ଆଶା ରହିଛି ଯେ, ସରକାର ତାଙ୍କ ଗାଁରେ ଗୋଟେ କଲେଜ୍ ଖୋଲିବେ।
from Odisha Reporter https://ift.tt/2t8WPig
No comments:
Post a Comment