କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଟଙ୍କା ରୋଜଗାର ଆଶାରେ ଦାଦନ ଖଟିବାକୁ ଘରୁ ଗୋଡ଼ କାଢ଼ିଥିଲେ ଘାସିରାମ ବରିହା। ହେଲେ କିଛି ଦିନ ପରେ ଘରକୁ ଫେରିଲା ମୃତଦେହ। ଏପରି ହୃଦୟ ବିଦାରକ ଦୃଶ୍ୟ ଗତକାଲି ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ। ସ୍ୱାମୀର ମୃତଦେହ ନେଇ ସ୍ତ୍ରୀ ଟ୍ରେନ୍ରେ ଘରକୁ ଫେରିଥିବା ବେଳେ ପୁଅଝିଅ କୁଆଡ଼େ ଗଲେ ଜାଣି ନ ଥିବା କହିଛନ୍ତି।
ମୃତକଙ୍କ ଘର ବେଲପଡ଼ା ଥାନା ଅନ୍ତର୍ଗତ ବେହେରାମୁଣ୍ଡା ଗାଁରେ। କିଛି ଦିନ ପୂର୍ବେ ଘାସିରାମ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ହେଲେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ଗତକାଲି ରାତିରେ ଶବକୁ ଧରି ଘାସିରାମଙ୍କର ସ୍ତ୍ରୀ ଟ୍ରେନରେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ପହଞ୍ଚିଥିଲେ। ହେଲେ କେଉଁ କାରଣରୁ ସ୍ୱାମୀଙ୍କର ମୃତ୍ୟୁ ଘଟିଛି ସେ କିଛି କହିନାହାନ୍ତି। ଏଥିସହ ମୃତଦେହକୁ କେମିତି ଆଣିଲେ ସେକଥା କିଛି ବି କହିନାହାନ୍ତି। ଘାସିରାମଙ୍କର ପୁଅ ଓ ଝିଅ ହାଇଦ୍ରାବାଦରେ ରହିଯାଇଥିବା ସନ୍ଦେହ କରାଯାଉଛି। ଏ ନେଇ ସ୍ଥାନୀୟ ପୁଲିସ୍ କିମ୍ବା ଶ୍ରମ ବିଭାଗର ମତାମତ ମିଳିପାରିନାହିଁ।
from Odisha Reporter https://ift.tt/37Lq49Y
No comments:
Post a Comment