ପିପିଲି(ଦ୍ୱିତିକୃଷ୍ଣ ପଟ୍ଟନାୟକ): ପିପିଲି ଥାନା ଦାଣ୍ଡମୁକୁନ୍ଦପୁର ନିକଟରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଅଟୋ ସହ ସ୍କୁଟିର ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୨ ସ୍କୁଲ ଶିକ୍ଷୟିତ୍ରୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି। ମୃତ ୨ ଜଣ ସ୍ଥାନୀୟ ପୀତବାସ ୟୁଜି ଏମ୍ଇ ସ୍କୁଲର ଶିକ୍ଷୟିତ୍ରୀ ବୋଲି ସୂଚନା ମିଳିଛି।
ସେମାନେ ହେଲେ ସ୍ନେହଲତା ସାହୁ (୪୨) ଓ ଶୁଭଲକ୍ଷ୍ମୀ ପରିଡ଼ା(୨୩)।
ଆଜି ଶନିବାର ସକାଳୁଆ ସ୍କୁଲ ଥିବାରୁ ଉଭୟ ସ୍କୁଟି ଯୋଗେ ଆସୁଥିଲେ। ଆଉ ଅଳ୍ପ ସମୟରେ ସ୍କୁଲରେ ପହଞ୍ଚି ଯାଇଥାନ୍ତେ। ହେଲେ ବିଧିର ନିୟମ ଥିଲା ଅଲଗା। ଦାଣ୍ଡମୁକୁନ୍ଦପୁର କେନ୍ଦ୍ରୀୟ ପ୍ରାଥମିକ ସ୍କୁଲ ସମମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହ ସେମାନଙ୍କର ମୁହାଁମୁହିଁ ଦୁର୍ଘଟଣା ହୋଇଥିଲା।
ଗୁରୁତର ଅବସ୍ଥାରେ ଉଭୟଙ୍କୁ ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ ଯେ, ଉଭୟ ସ୍ନେହଲତା ଓ ଶୁଭଲକ୍ଷ୍ମୀଙ୍କ ବାପଘର ଦାଣ୍ଡମୁକୁନ୍ଦପୁରରେ ହୋଇଥିବା ବେଳେ ସେମାନେ ପିପିଲିରେ ରହୁଥିଲେ। ସେଠାରୁ ସ୍କୁଟି ଯୋଗେ ପ୍ରତିଦିନ ସାଙ୍ଗ ହୋଇ ସ୍କୁଲ ଯିବା ଆସିବା କରୁଥିଲେ। ଦୁର୍ଘଟଣାରେ ପିଇସୀ-ଝିଆରୀଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
from Odisha Reporter https://ift.tt/36kKViI
No comments:
Post a Comment