ଓଡ଼ିଶୀନୃତ୍ୟ ଜଗତର ଅଦ୍ୱିତୀୟ ଗୁରୁ ପଦ୍ମବିଭୂଷଣ କେଳୁଚରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 7, 2020

ଓଡ଼ିଶୀନୃତ୍ୟ ଜଗତର ଅଦ୍ୱିତୀୟ ଗୁରୁ ପଦ୍ମବିଭୂଷଣ କେଳୁଚରଣ

  • ଦେବ ତ୍ରିପାଠୀ

ବିଂଶ ଶତାବ୍ଦୀରେ ଓଡ଼ିଶୀନୃତ୍ୟର ପ୍ରତିଷ୍ଠା, ପରିବ୍ୟାପ୍ତ ତଥା ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରାଇବାରେ ରହିଥିଲା ତାଙ୍କର ପ୍ରମୂଖ ଭୂମିକା। ଓଡ଼ିଶୀର ଆଦିଗୁରୁ ପଦ୍ମଶ୍ରୀ ପଙ୍କଜ ଚରଣ ଦାସଙ୍କ ରୋପିତ ମହାଦ୍ରୁମକୁ ସୁଦୃଢ଼, ସୁଦୃଶ୍ୟ, ପଲ୍ଲବିତ ଆଉ ବିକଶିତ କରାଇପାରିଥିଲେ ସେ। ଓଡ଼ିଶୀନୃତ୍ୟରେ ନବଜାଗରଣ ସୃଷ୍ଟି କରାଇ, ପ୍ରାୟ ୨୦୦ ଏକକ ପ୍ରଦର୍ଶନ ଓ ୫୦ଟି ନୃତ୍ୟ ନାଟିକାର ସଂଯୋଜନ ଯୋଗେ ସେ ଏହାକୁ କରାଇଥିଲେ ପରିପୁଷ୍ଟ। ସେ ହେଉଛନ୍ତି ଓଡ଼ିଶୀନୃତ୍ୟ ଜଗତର ଅଦ୍ୱିତୀୟ ଗୁରୁ ପଦ୍ମବିଭୂଷଣ ଡଃ କେଳୁଚରଣ ମହାପାତ୍ର।

ପୁରୀ ଜିଲ୍ଲାର ଶିଳ୍ପୀଗ୍ରାମ ରଘୁରାଜପୁରର ଏକ ଶିଳ୍ପୀ ପରିବାରରେ ଜନ୍ମିତ କେଳୁଚରଣ କଳାର ମାୟାରେ ପଡ଼ି କେବେ ଗୋଟିପୁଅ ନୃତ୍ୟ ତ କେବେ ରାସଲୀଳାରେ ଅଭିନୟ, କେବେ ପୁଣି ମଞ୍ଚସଜ୍ଜା, ମେକ୍ ଅପ୍, ନୃତ୍ୟ ସଂଯୋଜନା, କେବେ ଅବା ଗାଁ ଗାଁ ବୁଲି କୃଷ୍ଣଲୀଳା ଓ ପୁରାଣର ଅନ୍ୟ ଉପାଖ୍ୟାନ ନୃତ୍ୟ ସଙ୍ଗୀତ ମାଧ୍ୟମରେ ପରିବେଷଣ କରିଥିଲେ। ସଙ୍ଗୀତ ପ୍ରତି ଅହେତୁକ ଆଗ୍ରହରୁ ସେ ଗୁରୁ ଅଗାଧୁ ମହାରଣାଙ୍କଠାରୁ ମୃଦଙ୍ଗ ଓ କ୍ଷେତ୍ରମୋହନ କରଙ୍କଠାରୁ ତବଲା ବଜେଇବା ଶିଖିଥିଲେ। କେବେ ପୁଣି ଜୀବିକା ନିର୍ବାହ ପାଇଁ ମୂଲିଆ ଭାବରେ କାର୍ଯ୍ୟ କରିଥିଲେ ପାନବରଜରେ। ହେଲେ କଳାକାର ହେବାର ମୋହ, ପ୍ରେରଣା ଓ ବିବେକର ତାଗଡ଼ା ନିର୍ଦ୍ଦେଶରେ ସେ ଗାଁ ଛାଡ଼ି କଟକ ଚାଲି ଯାଇ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗ ଦେଇ ମଞ୍ଚସଜ୍ଜା, ମର୍ଦଳ, ତବଲା ବାଦନ ଆଦି କରୁ କରୁ “ଅନ୍ନପୂର୍ଣ୍ଣା ବି” ଦଳରେ ଯୋଗ ଦେଇଥିଲେ। ଏଠାରେ ଗୁରୁ ପଙ୍କଜ ଚରଣ ଦାସଙ୍କ ସଂସ୍ପର୍ଶରେ ଆସି ତାଙ୍କ ନୃତ୍ୟ ପ୍ରତିଭାର ବିକାଶ ଘଟିଥିଲା। ପଙ୍କଜ ଚରଣଙ୍କ ସଂଯୋଜନାରେ ନୃତ୍ୟ ନାଟିକା “ଦେବୀ ଭସ୍ମାସୁର”ରେ “ନଟରାଜ” ଭୂମିକାରେ ଅଭିନୟ କରି ବୃହତ୍ତର ନୃତ୍ୟ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ। “ଅନ୍ନପୂର୍ଣ୍ଣା ବି” ଦଳରେ ଥାଇ କେଳୁଚରଣ ଗୁରୁ ଦୁର୍ଲଭ ଚନ୍ଦ୍ର ସିଂ, ଗୁରୁ ଦୟାଳ ଶରଣ ଆଦିଙ୍କ ଠାରୁ ଅଭିନୟ ନୃତ୍ୟ ଓ ବ୍ୟାକରଣରେ ଆହରଣ କରିଥିଲେ ଅଧିକ ଜ୍ଞାନ ଓ ପରାକାଷ୍ଠା ଏବଂ ପ୍ରତିଷ୍ଠା କରିପାରିଥିଲେ ନିଜକୁ ଜଣେ ନର୍ତ୍ତକ, ବାଦକ ଓ ନୃତ୍ୟ ସଂଯୋଜକ ଭାବରେ।

ମାହାରୀ ଓ ଗୋଟିପୁଅ ନୃତ୍ୟ ଉପରେ ଗବେଷଣା ସହିତ କଟକ କଳା ବିକାଶ କେନ୍ଦ୍ରରେ ୧୫ ବର୍ଷ କାଳ ଓଡ଼ିଶୀନୃତ୍ୟ ଶିକ୍ଷାଦାନ କରି ସେ ସୃଷ୍ଟି କରିପାରିଥିଲେ ଅଗଣିତ ଶିଷ୍ୟଶିଷ୍ୟା। ତା’ସହିତ ଦେଶ ଏବଂ ବିଦେଶରେ ଓଡ଼ିଶୀନୃତ୍ୟକୁ ନେଇ କରିଥିଲେ ଓ କରାଇଥିଲେ ଅସଂଖ୍ୟ କାର୍ଯ୍ୟକ୍ରମ। ସଫଳତାର ପାହାଚମାନ ଅତିକ୍ରମ କରି ସେ ବନିଯାଇଥିଲେ ଓଡ଼ିଶୀର ସର୍ବକାଳୀନ ପ୍ରସିଦ୍ଧ ଓ ପ୍ରତିଷ୍ଠିତ ଗୁରୁ।

“ପଞ୍ଚପୁଷ୍ପା”, “କୃଷ୍ଣଗାଥା”, “ଗୀତଗୋବିନ୍ଦ”, “ଉର୍ବଶୀ”, “କୃଷ୍ଣଲୀଳା”, “ସାକ୍ଷୀଗୋପାଳ”, “କୋଣାର୍କ” ଆଦି ନୃତ୍ୟ ସଂଯୋଜନା କରି ସେ ମଧ୍ୟ ଓଡ଼ିଶୀକୁ କରିଥିଲେ ବିଭାସିତ। କଳା ବିକାଶ କେନ୍ଦ୍ର ସହଯୋଗରେ ସେ ଓଡ଼ିଶାର ବିଭିନ୍ନ ମନ୍ଦିରରେ ଖୋଦେଇ ହୋଇଥିବା ନର୍ତ୍ତକ/ନର୍ତ୍ତକୀ ମାନଙ୍କର ମୁଦ୍ରା ଉପରେ ଗବେଷଣା କରି, ସେଗୁଡ଼ିକୁ ନିଜ ନୃତ୍ୟ ମଧ୍ୟରେ କରିପାରିଥିଲେ ଆୟତ୍ତ। ଆଉ ବନିଯାଇଥିଲେ ଓଡ଼ିଶୀରେ ନୂତନ ଯୁଗପ୍ରବର୍ତ୍ତକ।

କଟକରେ ଶତ ଶତ ଦେଶୀବିଦେଶୀ ଆଗ୍ରହୀ ନୃତ୍ୟାଶୀଙ୍କୁ ନୃତ୍ୟଶିକ୍ଷା ଦେଇ ପରବର୍ତ୍ତୀ ସମୟରେ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଓଡ଼ିଶୀନୃତ୍ୟ ବାବଦରେ ବହୁ ପ୍ରଲେଖନ ଆଦି ପ୍ରସ୍ତୁତ କରି ସେ ହିଁ କରିଥିଲେ ଓଡ଼ିଶୀକୁ ପରପିଢ଼ି ପାଇଁ ସଂରକ୍ଷିତ କରିବା ପରି ମହାର୍ଘକାର୍ଯ୍ୟ।

ଓଡ଼ିଶୀନୃତ୍ୟର ଏଇ ଅପ୍ରତିଦ୍ଵନ୍ଦ୍ୱୀ ସମ୍ରାଟଙ୍କୁ ଦେଶବାସୀ ସମ୍ମାନିତ କରିଥିଲେ ପଦ୍ମବିଭୂଷଣରେ। ଏଇ ସମ୍ମାନରେ ସମ୍ମାନିତ ହେବାରେ ସେ ହେଉଛନ୍ତି ପ୍ରଥମ ଓଡ଼ିଆ। ଓଡିଶୀ ପ୍ରତି ନିଷ୍ଠାପର ଅବଦାନ ପାଇଁ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ସଙ୍ଗୀତ ନାଟକ ଏକାଡେ଼ମୀ ପୁରସ୍କାର, ସଙ୍ଗୀତ ନାଟକ ଏକାଡେମୀ ଫେଲୋସିପ, ମଧ୍ୟପ୍ରଦେଶ ସରକାରଙ୍କ ତରଫରୁ କାଳିଦାସ ସମ୍ମାନ, ଡକ୍ଟରେଟ ସମ୍ମାନ, ଆସାମ ସରକାରଙ୍କ ତରଫରୁ ଶଙ୍କର ଦେବ ସମ୍ମାନରେ ସମ୍ମାନିତ କରାଯାଇଛି ଏହି ମହାଗୁରୁଙ୍କୁ।

ଓଡ଼ିଶୀନୃତ୍ୟର ସେଇ ପ୍ରାତଃସ୍ମରଣୀୟ ଗୁରୁଙ୍କୁ ଆଜି ଜନ୍ମତିଥିରେ କଳାପ୍ରିୟ ଓଡ଼ିଆ ଜାତିର ଶତ ଶତ ନମନ।



from Odisha Reporter https://ift.tt/2QYsaf9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages