ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ମହାଶିବରାତ୍ରୀ। ଜାଗର ଯାତ୍ରା ପାଇଁ ଏକାମ୍ର କ୍ଷେତ୍ର ସମେତ ରାଜ୍ୟର ପ୍ରମୁଖ ଶୈବପୀଠ ଚଳଚଞ୍ଚଳ ହୋଇପଡ଼ିଛି। ଆଜି ଭୋର ୩ଟାରୁ ଲିଙ୍ଗରାଜଙ୍କ ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଛି। ଏହାପରେ ମହାଦେବଙ୍କ ବିଭିନ୍ନ ନୀତିକାନ୍ତି ଜାରି ରହିଛି।
ପ୍ରଥମ ଥର ପାଇଁ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାର ସହ ମନ୍ଦିର ବେଢାକୁ ବିଭିନ୍ନ ଫୁଲରେ ସଜାଯାଇଛି। ଏଥିପାଇଁ ପ୍ରାୟ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସିଂହଦ୍ୱାର ସମ୍ମୁଖରୁ ୨୦୦ ମିଟର ଯାଏ ବ୍ୟାରିକେଡ୍ କରାଯାଇଛି। ଛାଇ ପାଇଁ ଅସ୍ଥାୟୀ ସେଡ୍ ବି ନିର୍ମାଣ ହୋଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ ଆଜି ରାତି ୧୦ଟାରେ ମହାପ୍ରଭୁଙ୍କ ମହାଦୀପ ଉଠିବ। ଏଥର ମନ୍ଦିର ବାହାରେ ମଧ୍ୟ ଶ୍ରଦ୍ଧାଳୁ ଦୀପ ଜାଳିପାରିବେ। ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି। ଶୃଙ୍ଖଳିତ ଟ୍ରାଫିକ୍ ବ୍ୟବସ୍ଥା ପାଇଁ ୧୪ଟି ପାର୍କିଂ ପ୍ଲେସ୍ର ବ୍ୟବସ୍ଥା କରାଯାଇଛି।
ସେହପରି ମହାଶିବରାତ୍ରୀ ପାଇଁ ପୁରୀର ଶ୍ରୀଲୋକନାଥଙ୍କ ପୀଠରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜାଗର ପାଇଁ ରାତି ୧୨ଟାରୁ ଶ୍ରୀଲୋକନାଥଙ୍କ ଦ୍ୱାର ଫିଟା ଯାଇ ସମସ୍ତ ନୀତିକାନ୍ତି ଚାଲିଛି। ବିଳମ୍ବିତ ରାତିରୁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗିଛି। ପ୍ରଶାସନ ପକ୍ଷରୁ ସାଧାରଣ ଦର୍ଶନ ବ୍ୟବସ୍ଥା କରାଯାଇଛି। ଆଜି ହରିହର ପୂଜା ଭୋଗ, ଚତୁର୍ଦ୍ଦଶୀ ଭୋଗ, ବଡ଼ସିଂହାର ଭୋଗ ପରେ ରାତି ୩ଟାରେ ମହାଦୀପ ପ୍ରଜ୍ଜଳନ କରାଯିବ। ଶ୍ରୀଲୋକନାଥଙ୍କ ଦର୍ଶନ ପାଇଁ ଦୂରଦୂରନ୍ତାରୁ ଭକ୍ତ ପୁରୀ ଆସିଛନ୍ତି।
କଟକର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ମଧ୍ୟ ଭୋର ୪ଟାରୁ ଦ୍ୱାର ଫିଟାଯାଇଛି। ଏହାପରେ ମହାସ୍ନାନ କରାଯାଇ କେତକୀ ଫୁଲରେ ବାବା ଧବଳେଶ୍ୱରଙ୍କୁ ସଜାଯାଇଛି। ଏଠାରେ ରାତି ଗୋଟାଏରେ ମହାଦୀପ ଉଠି ଧବଳେଶ୍ୱରଙ୍କ ପ୍ରସିଦ୍ଧ ମାଣ୍ଡୁଅ ଭୋଗ ଲାଗି କରାଯିବ। ମହାଶିବରାତ୍ରୀ ଅବସରରେ ଆଜି ଧବଳେଶ୍ୱରଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଝୁଲାପୋଲ ଏବଂ ବିଭିନ୍ନ ସ୍ଥାନରେ ପୁଲିସ ମୁତୟନ କରାଯାଇଛି।
from Odisha Reporter https://ift.tt/32oeHTz
No comments:
Post a Comment