ଜୟପୁର/ଉମରକୋଟ(ଓଡ଼ିଶା ରିପୋର୍ଟର): ନିଜ ପାଇଁ ତଥା ପରିବାର ପାଇଁ ୨ ଓଳି ଦୁଇ ମୁଠା ଖାଇବା ଯୋଗାଡ଼ କରିବା ଯାହା ପାଇଁ କାଠିକର ପାଠ, ତା’ ପାଖକୁ ଆସିଛି ଆୟକର ନୋଟିସ୍। ରାତି ପାହିଲେ ଯିଏ ପର ପାଖରେ ମୁଲ ଲାଗେ, ସେ ଦେବ ୨ ଲକ୍ଷ ୫୯ ହଜାର ୫୪୦ ଟିକସ। ଏ କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କୋରାପୁଟ୍ ଜିଲ୍ଲା ଉମରକୋଟସ୍ଥିତ ପୁଜାରୀଭରଣ୍ଡି ଗାଁରେ ଏପରି ଏକ ଘଟଣା ସାମନାକୁ ଆସିଛି। ଏହି ଗାଁର ସନଥର ଗଣ୍ଡଙ୍କ ନିକଟକୁ ଆସିଛି ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କାର ନୋଟିସ୍ । ଯାହାକି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ସନଥରଙ୍କ ଅଭିଯୋଗ ଅନୁସାରେ , ସେ ଲେଖାପଢ଼ା ଜାଣି ନ ଥିବା ବେଳେ କେବେ ବ୍ୟାଙ୍କରେ ପାଦ ଦେଇ ନାହାନ୍ତି। ହେଲେ ୭ ବର୍ଷ ହେବ ଉମରକୋଟର ଜଣେ ବ୍ୟବସାୟୀଙ୍କ ନିକଟରେ ସେ ଦିନ ମଜୁରିଆ ଭାବେ କାମ କରୁଥିଲେ। ସେଠାରେ ଉକ୍ତ ବ୍ୟବସାୟୀଜଣକ ତାଙ୍କ ଆଧାର କାର୍ଡ ଓ ବିଭିନ୍ନ ଡକ୍ୟୁମେଣ୍ଟ ହାତେଇ ନେଇଥିଲେ। ଏହାପରେ ସେ ତାକୁ କ’ଣ କଲେ ସେ ସମ୍ପର୍କରେ ସନଥରଙ୍କ ନିକଟରେ କିଛି ବି ସୂଚନା ନ ଥିଲା।
କିଛି ଦିନ ହେବ ସନଥରଙ୍କ ଘରକୁ ୬ଟି ନୋଟିସ୍ ଆସିଥିଲା। ତାହା କ’ଣ ସେ ଜାଣି ନ ଥିବା ବେଳେ ଉକ୍ତ ନୋଟିସ୍କୁ ନେଇ ସେ ନିକଟସ୍ଥ ସ୍କୁଲ ଶିକ୍ଷକଙ୍କ ନିକଟକୁ ଯାଇଥିଲେ। ସେଠାରେ ଯାହା ଶୁଣିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା। ସେ କେବେ ବ୍ୟାଙ୍କ ଦୁଆରମୁହଁରେ ପାଦ ଦେଇ ନ ଥିବା ପାସ୍ବୁକ୍ କ’ଣ ଜାଣି ନ ଥିବା ବେଳେ ତାଙ୍କ ନାଁରେ ୨ ଲକ୍ଷ ୫୯ ହଜାର ୫୪୦ ଟଙ୍କାର ଟିକସ ଆସିଥିବା ଘଟଣାକୁ ସେ ବିଶ୍ୱାସ କରିପାରୁ ନାହାନ୍ତି।
ଆୟକର ନୋଟିସ୍ ସୂଚନା ଅନୁସାରେ, ସନଧରଙ୍କ ନାଁରେ ICICI ବ୍ୟାଙ୍କରେ ଆକାଉଣ୍ଟ ଥିବା ବେଳେ ସେଥିରେ ୧ କୋଟି ୪୭ ଲକ୍ଷରୁ ଅଧିକ ଟଙ୍କା ରଖାଯାଇଥିଲା । ଏହାକୁ ପରେ ଉଠାଣ ବି ହୋଇଛି । ତେବେ ଆୟକର ନୋଟିସ୍କୁ ନେଇ ସନଧରଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ନିଜେ ଅପାଠୁଆ ହୋଇଥିବା ବେଳେ ଏପରି ସମସ୍ୟାରୁ କିପରି ମୁକୁଳିବେ, ତାଙ୍କୁ ବୁଦ୍ଧିବାଟ ଦିଶୁ ନ ଥିବା କହିଛନ୍ତି।
ସନଥର କେବେ ବ୍ୟାଙ୍କ ଯାଇ ନ ଥିବା ବେଳେ ତାଙ୍କ ନାଁରେ କିପରି ଆକାଉଣ୍ଟ ଖୋଲିଲା, ତାଙ୍କ ଦସ୍ତଖତ କିଏ କଲା, ଏଥିରେ ବ୍ୟାଙ୍କ ଅଧିକାରୀଙ୍କ ସମ୍ପୃକ୍ତିକୁ ନେଇ ନାନା ଆଲୋଚନା ହୋଇଛି। ଘଟଣାର ସମାଧାନ ପାଇଁ ସନଥର ପୁଲିସ୍ର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି।
from Odisha Reporter https://ift.tt/2uUqJaz
No comments:
Post a Comment