କୋରାପୁଟ(ସୂର୍ଯ୍ୟ ପଣ୍ଡା): ମୃତଦେହ ବ୍ୟବଚ୍ଛେଦ କରିବାକୁ ଟଙ୍କା ମାଗି ଗିରଫ ହେଲେ ଡାକ୍ତର। କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଡାକ୍ତର ମନୋଜ ଜେନାଙ୍କୁ ଏହି ଅଭିଯୋଗରେ ପୁଲିସ୍ ଗତକାଲି ଗିରଫ କରି କୋର୍ଟଚାଲାଣ କରିଛି।
ସୂଚନା ଅନୁଯାୟୀ, ଗତ ଡିସେମ୍ବର ୨୪ ତାରିଖରେ ଜୟପୁର ସଦର ଥାନା ଅଞ୍ଚଳରେ ଏକ ବାଇକ୍ ଓ ଅଟୋ ମଧ୍ୟରେ ଧକ୍କା ହୋଇଥିଲା। ଉକ୍ତ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ପରେ ଉଭୟ ଗାଡ଼ିକୁ ପୁଲିସ୍ ଜବତ କରିଥିବା ବେଳେ ଏହାକୁ ଛାଡ଼ିବାକୁ ଆମ୍ବାଗୁଡ଼ା ଫାଣ୍ଡି ଅଧିକାରୀ ନାରାୟଣ ପଟ୍ଟନାୟକ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ପରେ ମୂଲଚାଲ ହୋଇ ୬ ହଜାରରେ କଥା ଛିଣ୍ଡିଥିଲା। ଏହି ଘଟଣାରେ ପୂର୍ବରୁ ନାରାୟଣଙ୍କୁ ପୁଲିସ୍ ଗିରଫ କରିଥିଲା। ଏହାପରେ ସେ ଏବେ ଜେଲ୍ରେ ଅଛନ୍ତି। ଏହି ଘଟଣାରେ ସେ ନିଲମ୍ବିତ ମଧ୍ୟ ହୋଇଛନ୍ତି।
ଏହି ଦୁର୍ଘଟଣାରେ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ନିଆଯାଇଥିଲା। ସେଠାରେ ବ୍ୟବଚ୍ଛେଦ ନିମନ୍ତେ ମୃତକଙ୍କ ସମ୍ପର୍କୀୟଙ୍କୁ ଡାକ୍ତର ମନୋଜ ଜେନା ୩ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହାପରେ କଥା ୨,୫୦୦ରେ ଛିଣ୍ଡିଥିଲା। ଏନେଇ ଅଭିଯୋଗ ହେବା ପରେ ଘଟଣାର ଛାନଭିନ ଆରମ୍ଭ କରିଥିଲା ପୁଲିସ୍। ଏହାପରେ ଗତକାଲି ପୁଲିସ୍ ଡାକ୍ତର ମନୋଜ ଜେନାଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ।
5T ଅଧୀନରେ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ୍ ବିଭାଗ ଆସୁଥିବା ବେଳେ ଏହା ଅଧୀନରେ ଉଭୟଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।
from Odisha Reporter https://ift.tt/2wegyOw
No comments:
Post a Comment