ଭଦ୍ରକ(ପାର୍ଥସାରଥୀ ନାୟକ): ମରିଗଲାଣି ମାନବିକତା, ହଜିଗଲାଣି ବିବେକ। ଆଖି ସାମନାରେ ଜଣେ ଯୁବକଙ୍କ ଉପରେ ଟ୍ରକ୍ ଚଢ଼ି ଯାଇଥିବା ବେଳେ ରାସ୍ତାରେ ପଡ଼ି ସେ ଛଟପଟ ହେଉଥିଲେ। ହେଲେ ଆଖପାଖରେ ଥିବା ଲୋକେ ସାଜିଥିଲେ ଦେଖଣାହାରୀ।
କେବଳ ମୋବାଇଲରେ ଭିଡିଓ ରେକର୍ଡ କରି ନିଜ ଦାୟିତ୍ୱ ସମ୍ପାଦନ କରିଥିଲେ। ହୁଏତ ଏହି ସମୟ ମଧ୍ୟରେ ଗୁରୁତରଜଣକ ମେଡିକାଲରେ ପହଞ୍ଚିଥିଲେ ବଞ୍ଚି ଯାଇପାରିଥାନ୍ତା। କିନ୍ତୁ ପୁଲିସ୍ ପହଞ୍ଚି ଗୁରୁତର ବ୍ୟକ୍ତିଙ୍କୁ ମେଡିକାଲ ନେଇଥିବା ବେଳେ ସେଠାରେ ସେ ଆଖି ବୁଜିଦେଲେ। ଏପରି ଅଭାବନୀୟ ଘଟଣା ଆଜି ୧୬ନଂ ଜାତୀୟ ରାଜପଥ ଭଦ୍ରକର ସାହାପୁର ଛକ ନିକଟରେ ଘଟିଛି।
ସୂଚନା ଅନୁଯାୟୀ, ଦୁଇ ଜଣ ଯୁବକ ବାଇକ୍ରେ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ବାଇକ୍କୁ ପଛରୁ ଧକ୍କା ଦେଇଥିଲା । ବାଇକ୍ ଚଳାଉ ଥିବା ଯୁବକ ଡାହାଣ ପାଖକୁ ଛିଟିକି ପଡିଥିବା ବେଳେ ପଛରେ ବସିଥିବା ଯୁବକଜଣକ ଗାଡି ସମ୍ମୁଖରେ ପଡ଼ିଗଲେ । ଫଳରେ ଟ୍ରକ୍ଟି ତାଙ୍କ ଅଣ୍ଟା ଉପରେ ଚଢିଯାଇଥିଲା ।
ଘଟଣାସ୍ଥଳରେ ଥିବା ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଗୁରୁତର ଯୁବକଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକଙ୍କ ପରିଚୟ ମିଳିପାରିନାହିଁ ।
ମୃତକଜଣକ ଦୀର୍ଘ ସମୟ ଧରି ରାସ୍ତା ଉପରେ ପଡିରହିଥିଲେ । ଲୋକେ ଦେଖୁଥିଲେ ମଧ୍ୟ ତାଙ୍କୁ ମେଡିକାଲରେ ପହଞ୍ଚାଇବାକୁ କୌଣସି ଚେଷ୍ଟା କରି ନ ଥିଲେ ବରଂ ମୋବାଇଲରେ ଏହାକୁ ରେକର୍ଡିଂ କରିବାରେ ବ୍ୟସ୍ତ ଥିଲେ। ମୋବାଇଲ ନିଶାରେ ଅନ୍ଧ ଲୋକଙ୍କ ସମ୍ମୁଖରେ ଜୀବନର ମୂଲ୍ୟ କିଛି ନ ଥିବା ପରି ସ୍ପଷ୍ଟ ଜଣାପଡ଼ୁଛି। ସେଠାରେ ଉପସ୍ଥିତ ଲୋକେ ଏହା ବୁଝିପାରିଥିଲେ ହୁଏତ ଏକ ଅମୂଲ୍ୟ ଜୀବନ ବଞ୍ଚାଯାଇପାରିଥାନ୍ତା ବୋଲି ଆଲୋଚନା ହେଉଛି।
from Odisha Reporter https://ift.tt/2v0yhsq
No comments:
Post a Comment