ନୂଆଦିଲ୍ଲୀ: ନିର୍ବାଚନ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର କିଛି ଦିନ ତଳେ ବିହାରରେ ପ୍ରେସ କନଫରେନସ କରି ବିହାର ସରକାରର ମୁଖିଆ ନୀତୀଶ କୁମାରଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଆଗକୁ ବିହାରରେ ବିଧାନସଭା ନିର୍ବାଚନ ରହିଛି। ଏହି ସମୟରେ ପ୍ରଶାନ୍ତ ବିହାରରେ ଜେଡିୟୁ-ବିଜେପି ମେଣ୍ଟକୁ ଚେକ୍ ଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଏଥିପାଇଁ ବିହାରର କିଛି ପ୍ରମୁଖ ନେତାଙ୍କୁ ମଧ୍ୟ ଭେଟୁଥିବା ସୂଚନା ରହିଛି। ଜେଡିୟୁର ଉପସଭାପତି ଥିବା ବେଳେ ପ୍ରଶାନ୍ତ କିଶୋର ନାଗରିକତା ସଂଶୋଧନ ଆଇନକୁ ନେଇ ଦଳ ବିରୋଧୀ ମନ୍ତବ୍ୟ ଦେଇଥିଲେ। ଏହାପରେ ନୀତୀଶ କୁମାର ତାଙ୍କୁ ଦଳରୁ ବହିଷ୍କାର କରିଛନ୍ତି।
ବିହାରରେ ଜନ୍ମିତ ପ୍ରଶାନ୍ତ ଉତ୍ତର ପ୍ରଦେଶରେ ପାଠ ପଢ଼ି ସାରିବା ପରେ ଆଫ୍ରିକାରେ ହେଲଥ ପ୍ରଫେଶନାଲ ଭାବରେ କାମ କରୁଥିଲେ। ୨୦୧୧ରେ ଜଣେ ରିୟଲ ଇଷ୍ଟେଟ ବ୍ୟବସାୟୀ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପ୍ରଶାନ୍ତ କିଶୋରଙ୍କୁ ମିଶାଇଥିଲା। ଏହାପରେ ସେ ୨୦୧୨ରେ ମୋଦୀଙ୍କ ପ୍ରଚାର କ୍ୟାମ୍ପେନରେ ସାମିଲ୍ ହୋଇଥିଲେ।
୨୦୧୪ରେ ନରେନ୍ଦ୍ର ମୋଦୀ ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇଥିଲେ। ଏହି ସମୟରେ ପ୍ରଶାନ୍ତ କିଶୋର ନିର୍ବାଚନ ରଣନୀତି ପ୍ରସ୍ତୁତ କରିଥିଲେ। ଯେଉଁଥିରେ ଅବ୍ କି ବାର୍ ମୋଦୀ ସରକାର ନାରା ପାଖରୁ ଆରମ୍ଭ କରି ଅନେକ ସ୍ଲୋଗାନ ଓ ପ୍ରଚାର ଦାୟିତ୍ୱ ପ୍ରଶାନ୍ତ କିଶୋର ଏବଂ ତାଙ୍କ ଟିମ୍ ତିଆରି କରୁଥିଲା।
ଇଂରାଜୀ ଖବରକାଗଜ ‘ଦ ସଣ୍ଡେ ଇଣ୍ଡିଆନ୍ ଏକ୍ସପ୍ରେସ’ର ରିପୋର୍ଟ ଅନୁଯାୟୀ ୨୦୧୪ରେ ନରେନ୍ଦ୍ର ମୋଦୀ ବିଜୟୀ ହେବା ପରେ ପ୍ରଶାନ୍ତ କିଶୋର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ (ପିଏମଓ)ରେ ସାମିଲ୍ ହେବାକୁ ଚାହୁଁଥିଲେ। କିଶୋରଙ୍କ କମ୍ପାନୀ I-PAC ଟିମର ଜଣେ ସଦସ୍ୟ ଖବରକାଗଜକୁ ନିଜ ନାମ ଗୋପନୀୟ ରଖି କହିଛନ୍ତି, ପ୍ରଶାନ୍ତ କିଶୋର ସରକାରରେ ସାମିଲ ହେବା ପାଇଁ ଲେଟେରାଲ ଏଣ୍ଟ୍ରିକୁ ସମର୍ଥନ କରୁଥିଲେ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଉଥିଲେ। ପ୍ରଶାନ୍ତ କିଶୋର ଏବଂ ତାଙ୍କର ଏକ ଟିମ୍ ପିଏମଓରେ ଏକ ଟିମ ଭାବରେ ସାମିଲ୍ ହେବାକୁ ଚାହୁଁଥିଲେ। ହେଲେ ଏଭଳି ହୋଇପାରିଲା ନାହିଁ। ପ୍ରଧାନମନ୍ତ୍ରୀ ମୋଦୀ କିନ୍ତୁ ନିଜେ ପ୍ରଶାନ୍ତଙ୍କ ପ୍ରସ୍ତାବରେ ରାଜି ହୋଇଥିଲେ।
ସୂଚନାଯୋଗ୍ୟ, ୨୦୧୪ ପରେ ପ୍ରଶାନ୍ତ କିଶୋର ବିଜେପି ସହ ସମସ୍ତ ସମ୍ପର୍କ ଛିନ୍ନ କରିଥିଲେ। ଏହାପରେ ସେ କଂଗ୍ରେସ ଓ ଅନ୍ୟାନ୍ୟ ଦଳ ପାଇଁ କାମ କରୁଛନ୍ତି। ମୋଦୀ ସରକାରଙ୍କ ସମସ୍ତ ଆଇନ ଓ କାମକୁ ସେ ଏବେ ଖୁଲମଖୁଲା ବିରୋଧ କରୁଛନ୍ତି।
from Odisha Reporter https://ift.tt/2HL1fzh
No comments:
Post a Comment