ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ବିଜୟ ପରେ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଆପ୍ର ଦଳୀୟ କର୍ମୀ ଅଶୋକ ମନ୍ଙ୍କର ମୃତ୍ୟୁ ହୋଇଯାଇଛି। ତାଙ୍କ ସହିତ ଅନ୍ୟ ଜଣେ କର୍ମୀ ଆହତ ହୋଇଛନ୍ତି। ଏହି ଘଟଣାରେ ଦିଲ୍ଲୀ ପୁଲିସ ତିନି ଜଣଙ୍କ ନାମରେ ହତ୍ୟା ମାମଲା ରୁଜୁ କରିଛି।
ଦୁର୍ବୃତ୍ତଙ୍କ ନାମ କାଳୁ, ଧାମୀ ଓ ଦେବ ହୋଇଥିବା ବେଳେ ଏମାନେ ସମସ୍ତେ କିଷନଗଡ଼ ଗ୍ରାମରେ ରୁହନ୍ତି। ଗୁଳିମାଡ଼ରେ ମୃତ୍ୟୁ ଓ ଆହତ ହୋଇଥିବା ଆପ୍ କର୍ମୀ ମଧ୍ୟ କିଷନଗଡ଼ ଗ୍ରାମର ବୋଲି ଜଣାପଡ଼ିଛି। ଗିରଫ ହେବା ପରେ କାଳୁ ଏହି ଗୁଳିକାଣ୍ଡରେ ସାମିଲ ଥିବା କଥା ପୁଲିସ ଆଗରେ ସ୍ୱୀକାର କରିଛି।
ପୁଲିସର କହିବା ଅନୁସାରେ ଦୁର୍ବୃତ୍ତମାନେ ବିଧାୟକ ନରେଶ ଯାଦବଙ୍କ ଉପରେ ନୁହେଁ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଶୋକ ମନ ଓ ତାଙ୍କ ଭଣଜା ହରେନ୍ଦ୍ରଙ୍କୁ ମାରିବାକୁ ଆସିଥିଲେ। ଆକ୍ରମଣ ସମୟରେ ଦୁର୍ବୃତ୍ତମାନେ ଅଶୋକଙ୍କ ଅତି ନିକଟକୁ ଯାଇ ୬ ରାଉଣ୍ଡ ଗୁଳି ଚଳାଇଥିଲେ। ଯେଉଁଥିରୁ ଦୁଇଟି ଗୁଳି ହରେନ୍ଦ୍ରଙ୍କ ଦେହରେ ବାଜିଥିଲା।
ସୂଚନାଯୋଗ୍ୟ, ନିର୍ବାଚନରେ ବିଜୟ ପରେ ନରେଶ ଯାଦବ ଗତକାଲି ତାଙ୍କ ନିର୍ବାଚନ ମଣ୍ଡଳୀ ମେହରୌଲୀର ଏକ ମନ୍ଦିରରୁ ଦର୍ଶନ ସାରି ସମର୍ଥକଙ୍କ ସହିତ ଫେରୁଥିବା ବେଳେ ତାଙ୍କ କାଫଲା ଉପରକୁ କିଛି ଦୁର୍ବୃତ୍ତ ଗୁଳିମାଡ଼ କରିଥିଲେ। ଦୁର୍ବୃତ୍ତମାନେ ପାଖାପାଖି ୭ ରାଉଣ୍ଡ ଗୁଳି ଚଳାଇଥିଲେ। ଦକ୍ଷିଣ ଦିଲ୍ଲୀର କିଷନଗଡ଼ ଗାଁ ନିକଟରେ ଏହି ଘଟଣା ଘଟିଥିଲା ବେଳେ ବିଧାୟକଙ୍କ ଗାଡ଼ିରେ ବି ଗୁଳି ବାଜିଥିଲା। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।
from Odisha Reporter https://ift.tt/2vncfjA
No comments:
Post a Comment