ଆଗ ଓଡ଼ିଶା ନା ଆଗ ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 17, 2020

ଆଗ ଓଡ଼ିଶା ନା ଆଗ ବିଜେଡି

  • ସବ୍ୟସାଚୀ ଅମିତାଭ

ରାଜ୍ୟରେ ବିଗତ ଦୁଇ ଦଶନ୍ଧିରୁ ଅଧିକ ବର୍ଷ ଧରି ନିରଙ୍କୁଶ ଶାସନ କ୍ଷମତାରେ ରହିଆସିଛି ବିଜେଡି। ଲଗାତାର କୋଡ଼ିଏ ବର୍ଷରୁ ଅଧିକ ସମୟ କ୍ଷମତାରେ ରହିବା ଏକ ଛୋଟିଆ କଥା ନୁହେଁ। ଗୋଟିଏ ଦଳର ସରକାର। ଜଣେ ମୁଖ୍ୟମନ୍ତ୍ରୀ। ଲମ୍ୱା ସମୟର ନିରବଚ୍ଛିନ୍ନ ଶାସନ ବିକାଶର ଏକ ଦୀର୍ଘସୂତ୍ରୀ ଫର୍ମୁଲା ବୋଲି ରାଜନୀତି ବିଜ୍ଞାନର ସୂତ୍ର କହୁଛି। ହେଲେ ଯଦି ଆମେ ଓଡ଼ିଶାର ସାମଗ୍ରିକ ସ୍ଥିତିକୁ ଟିକେ ନିରିଖେଇକି ଦେଖିବା ତେବେ ବିକାଶ କେତେ ହୋଇଛି, ତାହା ସବୁଠାରୁ ବଡ଼ ପ୍ରଶ୍ନ। ନୀତି ନୈତିକତା, ସମର୍ଥନ ଓ ବିରୋଧ ରାଜନୀତିରେ ଚାଲିଛି ଓ ଚାଲିବ। ବିରୋଧୀ ଓ ଶାସକଙ୍କ ଲଢ଼େଇ, କାଦୁଅ ଫିଙ୍ଗାଫିଙ୍ଗି ତା ବାଟରେ ହେଉଥିବ। ହେଲେ ନିରନ୍ତର ପ୍ରକ୍ରିୟା କୁହାଯାଉଥିବା ବିକାଶର ଗ୍ରାଫ୍ କେତେ ଲମ୍ୱା ହୋଇଛି, ତାହା ବିଚାର କରିବା ପ୍ରତିଟି ଓଡ଼ିଆଙ୍କ କର୍ତ୍ତବ୍ୟ।

ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା, ନିଯୁକ୍ତି, ମହିଳା ସଶକ୍ତୀକରଣ ଆଦି ବିଭିନ୍ନ କ୍ଷେତ୍ରରେ ଯେଉଁଭଳି ପ୍ରଚାର ଚାଲିଛି, ବିକାଶ ସେ ଅନୁସାରେ ହେଇଛି କି, ଏହାର ଉତ୍ତର ଖୋଜିବା ଦରକାର। ବିରୋଧୀ କହୁଛନ୍ତି, ଦୀର୍ଘ ବର୍ଷ ଧରି ରାଜ୍ୟର କ୍ଷମତାରେ ବସିଥିବା ବିଜେଡି ନିଜର ଓ ନିଜ ଦଳୀୟ କର୍ମୀଙ୍କ ବିକାଶ କରିଥିଲେ ହେଁ ରାଜ୍ୟ ବିକାଶର ପକ୍ଷଭୁକ୍ତତାରୁ ଓହରି ଆସିଛି। ଏହାର ସତ୍ୟତା କେତେ ତାହା ଭିନ୍ନ କଥା, ହେଲେ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ପରି ମୌଳିକ କଥାଗୁଡ଼ିକ ଯେ ଏ ଯାଏ ଲକ୍ଷ୍ୟ ହାସଲ କରିପାରିନାହାନ୍ତି, ଏହା ସତ୍ୟ। ମୋ ସରକାର ଅବା ‘ଫାଇଭ୍ ଟି’ କଥା ସରକାର କହୁଛନ୍ତି । ଗଣତନ୍ତ୍ରରେ ଲୋକମାନେ ହିଁ ଆତ୍ମା ବୋଲି ମୁଖ୍ୟମନ୍ତ୍ରୀ ବାରମ୍ୱାର ଗୁରୁମନ୍ତ୍ର ଦେଉଛନ୍ତି। ହେଲେ ସାଧାରଣ ଲୋକଙ୍କ ଅବସ୍ଥାରେ କେତେ ସୁଧାର ଆସିଛି, ତାହା ତର୍ଜମାର ବିଷୟବସ୍ତୁ।

ରାଜ୍ୟରେ ସ୍ୱାସ୍ଥ୍ୟସେବାରୁ ଚର୍ଚ୍ଚା ଆରମ୍ଭ କଲେ ଭଲ ହେବ। ଓଡ଼ିଶା ପରି ରାଜ୍ୟରେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟସେବା ଏକ ପ୍ରମୁଖ ପ୍ରସଙ୍ଗ। ପ୍ରତି ଗାଁରେ ଡାକ୍ତରଖାନା ଓ ପ୍ରତି ଡାକ୍ତରଖାନାରେ ଡାକ୍ତର ଏଠି ଏକ ଆବଶ୍ୟକତା। ହେଲେ ଆଜି ବି ଏହି ଲକ୍ଷ୍ୟ ପୂରଣ ହୋଇପାରିନି। ଫିଦିନ୍ ଆମେ ଦେଖୁଛେ, କିପରି ଡାକ୍ତରଖାନାରେ ରୋଗୀ ବଢୁଛନ୍ତି ଓ ତା ତୁଳନାରେ ସେବା ମିଳିପାରୁନି। କେଉଁଠି ଭିତ୍ତିଭୂମି ନାହିଁ ତ କେଉଁଠି ଡାକ୍ତର ନାହାନ୍ତି। ଭଗବାନଙ୍କ ଭରସାରେ ଚାଲିଛି ପୂରା ବ୍ୟବସ୍ଥା। ଉପାନ୍ତ ଅଞ୍ଚଳ ଅବା ଆଦିବାସୀ ଇଲାକା କଥା ତ ନ କହିବା ଭଲ। କେଉଁଠି ଖଟିଆରେ ତ କେଉଁଠି ଭାରାରେ ରୋଗୀ, ପ୍ରସୂତୀ ବୁହା ହେଉଛନ୍ତି। ତଥ୍ୟ ଅନୁସାରେ, ୧୧୦ଟି ପିଏଚ୍‌ସି ଓ ସିଏଚ୍‌ସି ଡାକ୍ତର ନାହାନ୍ତି। ଅନେକ ସରକାରୀ ଏପରିକି ଜିଲ୍ଲା ଡାକ୍ତରଖାନାରେ ବି ଭିତ୍ତିଭୂମି ନାହିଁ କହିଲେ ଚଳେ। ରାଜ୍ୟ ସରକାରଙ୍କ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ କେନ୍ଦ୍ରର “ଆୟୁଷ୍ମାନ ଭାରତ’ ଯୋଜନା ଠାରୁ ବେଶ୍‌ ଭଲ ବୋଲି ଦାବି ହେଉଥିଲେ ବି ତାହା ବାସ୍ତବରେ କେତେଜଣ ହିତାଧିକାରୀଙ୍କୁ ଉପଲବ୍ଧ ହୋଇଛି, ତାହା ଏକ ବଡ଼ ପ୍ରଶ୍ନ ?

ଏବେ ଆସିବା କୃଷି ପ୍ରସଙ୍ଗକୁ। ଓଡ଼ିଶାରେ ଦାରିଦ୍ର୍ୟ ଉତ୍କଟ ହେବାର ମୁଖ୍ୟ କାରଣ ହେଲା- ଏଠି ବେଶି ଲୋକଙ୍କର ଜୀବିକା ପାଇଁ କୃଷି ଉପରେ ନିର୍ଭରଶୀଳ। ସରକାର ବି ଏଇ କଥାଟିକୁ ଭଲ ଭାବେ ବୁଝିଛନ୍ତି। ଚାଷୀ ଓ ଚାଷକୁ ଗୁରୁତ୍ୱ ଦିଆଯାଉଛି ବୋଲି ସରକାର ଘୋଷି ହେଉଛନ୍ତି । ନିର୍ବାଚନ ପୂର୍ବରୁ “କାଳିଆ ଯୋଜନା’ ଆସିଥିଲା। ଭଲ ଥୋପ ଭାବେ କାମରେ ବି ଆସିଲା । ହେଲେ ଭୋଟ୍ ପାଇ ଜିତିଲା ପରେ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। କାଳିଆର ପ୍ରଥମ କିସ୍ତି ପାଇ ନ ଥିବା ଆଉ ୨୪ ଲକ୍ଷ ଚାଷୀଙ୍କୁ ସରକାର ଏକପ୍ରକାର ଠକି ଦେଇଛନ୍ତି କହିଲେ ଭୁଲ୍ ହେବନି । ଦୀର୍ଘ ୨୦ ବର୍ଷ ଶାସନ ପରେ ବି ରାଜ୍ୟର ସମସ୍ତ ଚାଷ ଜମିକୁ ରାଜ୍ୟ ସରକାର ପାଣି ଯୋଗାଇ ପାରିନାହାନ୍ତି। ଚାଷ ପାଇଁ ଯେଉଁ ଭିତ୍ତିଭୂମି ଦରକାର ତାହା ଏବେ ବି ଚାଷୀଙ୍କ ପାଇଁ ଅପହଞ୍ଚ ଅବସ୍ଥାରେ। ଜମିକୁ ପାଣି, ଚାଷ ପାଇଁ ବିହନ, ସାର ଓ ଫସଲ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ଏବେ ବି ସ୍ୱପ୍ନ କହିଲେ ଭୁଲ୍ ହେବନି। ଆଉ କେତେଦିନ ଶାସନ କଲେ ସବୁ ଚାଷ ଜମିକୁ ପାଣି ପହଞ୍ଚି ପାରିବ? ଗଙ୍ଗାଧର ସେଚ ପ୍ରକଳ୍ପ ସହ ଅନ୍ୟ ୧୬୮ଟି ସେଚ ପ୍ରକଳ୍ପର କାର୍ଯ୍ୟ କେବେ ସରିବ, ସେ ପ୍ରଶ୍ନ ଚାଷୀ ପଚାରୁଛି। ପାଞ୍ଚ ଛଅଟା କୃଷି କର୍ମଣ ପୁରସ୍କାରକୁ ଦେଖାଇ ସରକାର କହୁଛନ୍ତି କୃଷିକ୍ଷେତ୍ରରେ କାୟା ବଦଳିଛି, ହେଲେ ବାସ୍ତବରେ ଏହି ପୁରସ୍କାର ଓଡ଼ିଶାର ଚାଷ ଓ ଚାଷୀଙ୍କ ଭାଗ୍ୟ କେତେ ପରିବର୍ତ୍ତନ କରିପାରିଛି, ତାହା ସମସ୍ତେ ଭଲ ଭାବେ ଜାଣିଛନ୍ତି।

ପ୍ରତିଦିନ ରାଜ୍ୟରେ ନାରୀ ନିର୍ଯାତନା, ଗଣଦୁଷ୍କର୍ମ ଆଦି ଘଟଣା ଘଟିଚାଲିଛି। ନବୀନ ବାବୁ ନାରୀ ସୁରକ୍ଷା କଥା କହୁଥିବା ବେଳେ କେବେ ମହିଳା ବିରୋଧୀ ଆଇନ ରାଜ୍ୟରେ ଲାଗୁ କରିବେ, କେବେ ସବୁ ଜିଲ୍ଲାରେ ମହିଳା ଥାନା ପ୍ରତିଷ୍ଠା କରିବେ, ତାହାର ଉତ୍ତର କାହା ପାଖେ ନାହିଁ। ମାତୃମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର ଏବଂ ଦୁଷ୍କର୍ମ ଘଟଣାରେ ଓଡ଼ିଶା ରେକର୍ଡ କରିବା କ’ଣ ରାଜ୍ୟ ପାଇଁ ଲଜ୍ଜାର ବିଷୟ ନୁହେଁ।

ଆଜି ବି ଗ୍ରାମୀଣ ଓଡ଼ିଶାରେ ବିଶୁଦ୍ଧ ଜଳ ମୁନ୍ଦାଏ ପାଇବାରୁ ଲକ୍ଷ ଲକ୍ଷ ଲୋକ ବଞ୍ଚିତ। ଅନେକ ସ୍ଥାନରେ ଲୋକମାନେ ପୋଖରୀ ପାଣି ଏବଂ ନଦୀ ପାଣିକୁ ପାନୀୟ ଜଳ ଭାବେ ବ୍ୟବହାର କରୁଛନ୍ତି। ଅନେକ ପଞ୍ଚାୟତରେ ନଳକୂପ ଗୁଡ଼ିକ ମାସ ମାସ ଧରି ଅସଜଡ଼ା ହୋଇ ପଡ଼ିରହିଛି। ପାଣି ପାଇଁ ମହିଳାମାନଙ୍କୁ ମାଇଲ ମାଇଲ ବାଟ ଚାଲିକି ଯିବାକୁ ପଡୁଛି। ଆଉ କେତେ ଦିନ ଲାଗିବ ରାଜ୍ୟବାସୀଙ୍କ ପାଖରେ ପାଇପ ଯୋଗେ ପାନୀୟ ଜଳ ପହଞ୍ଚାଇବା ପାଇଁ ? କେନ୍ଦ୍ର ସରକାରଙ୍କ ପୂର୍ଣ୍ଣ ସହଯୋଗ ସେତ୍ତ୍ୱ ପାଇଖାନା ନିର୍ମାଣରେ ରାଜ୍ୟ ଦେଶରେ ସବୁଠୁ ପଛରେ କାହିଁକି ପଡ଼ିଛି, ସେ ଉତ୍ତର ସରକାରଙ୍କୁ ମାଗିବାର ସମୟ ଆସିଯାଇଛି।

ବିଜୁ ପକ୍କାଘର ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯାଏ ସବୁଠି ଲମ୍ୱିଛି ଦୁର୍ନୀତିର ଚେର। ଥିଲା ବାଲା ପାଉଛନ୍ତି। ପ୍ରକୃତ ହିତାଧିକାରୀ ବର୍ଷ ବର୍ଷ ଧରି ଅନେଇ ବସୁଛି କେବେ ଛାତ ଥିବା ଘର ଖଣ୍ଡିଏ ପାଇବ ବୋଲି। ଦୁର୍ନୀତି ନେଇ ସରକାର ଜିରୋ ଟଲେରାନ୍ସର ଥିଓରି ଶୁଣାଉଛନ୍ତି, ହେଲେ ବ୍ଲକ ଅବା ପଂଚାୟତ ଅଫିସ ଯାଇଦେଖନ୍ତୁ, କିପରି ପିସି ନଦେଲେ ପତ୍ର ଘୁଞ୍ଚିବା ମୁସ୍କିଲ୍। ସହରୀ ଆବାସ ଯୋଜନା କଥା ବି ନ କହିବା ଭଲ। ଏଥିପାଇଁ କେନ୍ଦ୍ରୀୟ ସହାୟତା ମିଳୁଥିଲେ ବି କେତେଜଣ ବସ୍ତିବାସିନ୍ଦାଙ୍କୁ ରାଜ୍ୟ ସରକାର ଘର ଯୋଗାଇସାରିଲେଣି ? ଜାଗା ମିଶନ ପାଇଁ ପୁରସ୍କାର ପାଇଥିବା ରାଜ୍ୟ ସରକାର ପ୍ରକୃତରେ କେତେ ଲୋକଙ୍କୁ ଜାଗା ଅଧିକାର ଦେଇ ପାରିଛନ୍ତି ? ଏକ ନମ୍ୱର ସ୍ମାର୍ଟ ସିଟି ଘୋଷଣା ହୋଇଥିବା ଭୁବନେଶ୍ୱର ସ୍ମାର୍ଟସିଟି ନା ସ୍ଲମ ସିଟି, ତାର ଉତ୍ତର କାହା ପାଖେ ନାହିଁ। ବର୍ଷ ବର୍ଷର ଯୋଜନା ଓ ପରିକଳ୍ପନା ପରେ ବି ଆଳୁ, ପିଆଜ, ଅଣ୍ଡା, ମାଛ ଉତ୍ପାଦନରେ ରାଜ୍ୟ ସ୍ୱୟଂସମ୍ପୂର୍ଣ୍ଣ ହୋଇ ପାରିନାହିଁ। ପଡ଼ୋଶୀ ରାଜ୍ୟ ହିଁ ଏକମାତ୍ର ଭରସା ଆମ ପାଇଁ।

ସେହିପରି ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ କରୁଥିବା ରାଜ୍ୟ ସରକାର ୪୧୦୦ କୋଟିରୁ ଅଧିକ ଟଙ୍କାର ସେସୁକୁ ଶାଗ ମାଛ ଦରରେ ମାତ୍ର ୩୦୦ କୋଟି ଟଙ୍କାରେ ଟାଟା ପାୱାର ହାତକୁ ଟେକି ସାରିଲେଣି। ଅତୀତରେ ବିଜୁବାବୁଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଡିଣ୍ଡିମ ପିଟୁଥିବା ଦଳ ଓ ସରକାର ଏବେ ନବୀନ ବାବୁଙ୍କ ସ୍ୱପ୍ନ ସାକାର କରିବାକୁ ଅଣ୍ଟା ଭିଡ଼ିଛି। ଆର୍ଥିକ ଅଭିବୃଦ୍ଧି କ୍ଷେତ୍ରରେ ଚାଷୀଙ୍କ ହିତ ପାଇଁ ରାଜ୍ୟ ସରକାର ଚିନ୍ତା କରୁନାହାନ୍ତି । କୃଷି ସମବାୟ ବ୍ୟାଙ୍କ, ସହରୀ ସମବାୟ ବ୍ୟାଙ୍କ ଗୁଡ଼ିକ ବନ୍ଦ ହେବା ପଛରେ ସରକାରଙ୍କ ଅପାରଗତା ଓ ଦୁର୍ନୀତି ମୁଖ୍ୟ କାରଣ ନୁହେଁ କି ?

ଶିଳ୍ପଭିତ୍ତିକ ପୁଞ୍ଜି ବିନିଯୋଗ ପାଇଁ ଶତାଧିକ ଏମ୍ଓୟୁ ସ୍ୱାକ୍ଷର ହୋଇଥିବାବେଳେ ସେଥି ମଧ୍ୟରୁ କେତେ କାର୍ଯ୍ୟକାରୀ ହୋଇଛି, ତାହାର ଉତ୍ତର କିଏ ଦେବ ? ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଓ ସମୟ ଭିତ୍ତିକ ପ୍ରଦର୍ଶନ ଆଦି ଉପରେ ସରକାର ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ବୋଲି ବାରମ୍ୱାର କୁହାଯାଉଛି। ଏମିତି ଯେ ଲୋକେ ଯେମିତି ଅନୁଭବ କରିବେ ରାଜ୍ୟରେ “ମୋ ସରକାର’ ଚାଲିଛି। ମନ୍ତ୍ରୀଙ୍କଠାରୁ ଅଫିସରଙ୍କ ଯାଏ ସମସ୍ତଙ୍କୁ ନୀତି ନୈତିକତାର ଗୁରୁମନ୍ତ୍ର ବି ଦିଆଯାଉଛି। ହେଲେ ସମସ୍ତେ ଜାଣନ୍ତି ବାଣୀ ଅବା ଠାଣିରେ ବିକାଶ ହୁଏନି ଏହା ହିଁ ଏକ ସତ୍ୟ। ଲୋକେ ସରକାରଙ୍କୁ ଭୋଟ ଦେଇଛନ୍ତି, କ୍ଷମତା ଦେଇଛନ୍ତି, ସରକାରଙ୍କୁ ବାସ୍ତବମୂଖୀ ହେବାକୁ ପଡ଼ିବ। ତୃଣମୂଳସ୍ତରର ସମସ୍ୟା ଓ ଲୋକଙ୍କ ଆବଶ୍ୟକତାକୁ ବୁଝିପାରିଲେ ହିଁ ସମାଧାନର ବାଟ ବାହାରିପାରେ।

ଭୁବନେଶ୍ୱର
ମୋ- ୯୪୩୮୨୯୬୫୧୯



from Odisha Reporter https://ift.tt/2SFakjL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages