ନୂଆଦିଲ୍ଲୀ: ରାଜନୀତିରେ ବଢ଼ୁଥିବା ଅପରାଧକୁ ନଜରରେ ରଖି ସୁପ୍ରିମକୋର୍ଟ ଆଜି ଏକ ଆବେଦନର ଶୁଣାଣି କରିଛନ୍ତି। କୋର୍ଟ ଏହି ପ୍ରସଙ୍ଗରେ ସମସ୍ତ ରାଜନୀତିକ ଦଳକୁ ନିର୍ଦ୍ଦେଶ ଦେଇ ଜବାବ ତଲବ କରିଛନ୍ତି। କେଉଁ ଆଧାରରେ ଜଣେ ଅପରାଧ ପୃଷ୍ଠଭୂମିରେ ସାମିଲ ଥିବା ବ୍ୟକ୍ତିଙ୍କୁ ନିର୍ବାଚନରେ ଟିକେଟ ଦିଆଯାଇଛି ସେ ବାବଦରେ ଉତ୍ତର ରଖିବାକୁ ରାଜନୀତିକ ଦଳଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ଆର ଏଫ ନରିମନ ଏବଂ ଏସ ରବୀନ୍ଦ୍ର ଭଟ୍ଟଙ୍କ ଖଣ୍ଡପୀଠ ଏବେ ସମସ୍ତ ରାଜନୀତିକ ଦଳଙ୍କୁ ନିର୍ବାଚନରେ ଅଂଶ ଗ୍ରହଣ କରିଥିବା ପ୍ରାର୍ଥୀଙ୍କ ଅପରାଧିକ ରେକର୍ଡ ୪୮ ଘଣ୍ଚା ମଧ୍ୟରେ ନିଜ ନିଜ ଦଳର ଓ୍ୱେବସାଇଟରେ ଅପଲୋଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୭୨ ଘଣ୍ଟା ମଧ୍ୟରେ ନିର୍ବାଚନ କମିଶନଙ୍କ ନିକଟରେ ସମସ୍ତ ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ କୋର୍ଟ। ଯଦି ରାଜନୀତିକ ଦଳମାନେ ଏହି ନିର୍ଦ୍ଦେଶ ନମାନିବେ ତା’ହେଲେ କୋର୍ଟ ଅବମାନନା ମାମଲା ରୁଜୁ କରିପାରନ୍ତି ବୋଲି ଖଣ୍ଡପୀଠ କହିଛନ୍ତି।
ରାଜନୀତିରୁ ଅପରାଧୀ ମୁକ୍ତ ନେତା ପ୍ରସଙ୍ଗରେ ହୋଇଥିବା ଆବେଦନରୁ ଅନ୍ୟତମ ଆବେଦନକାରୀ ତଥା ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ସୁପ୍ରମକୋର୍ଟଙ୍କୁ ଏହି ପ୍ରସଙ୍ଗରେ ନିଜର ମତ ରଖିଛନ୍ତି। ରାଜନୀତିରୁ ଅପରାଧୀ ନେତା ମୁକ୍ତ ହେବା ପାଇଁ କୋର୍ଟ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ଦରକାର ବୋଲି ସେ କହିଛନ୍ତି। ନିର୍ବାଚନ ଆୟୋଗ ନିୟମ କଡ଼ାକଡ଼ି କଲେ ଅପରାଧୀ ନେତା ଆଉ ଟିକେଟ ପାଇପାରିବେ ନାହିଁ ବୋଲି ସେ କହିଛନ୍ତି।
ତେବେ କୋର୍ଟ କହିଥିଲେ, ଏହି ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କୁ ରିପୋର୍ଟ ତଲବ କରି ଏକ ଫ୍ରେମଓ୍ୱାର୍କ ତିଆରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏବେ ଆବେଦନକାରୀ ବିଜେପି ନେତା ଅଶ୍ୱିନୀ ଉପାଧ୍ୟାୟ ଏବଂ ନିର୍ବାଚନ ଆୟୋଗ ମିଶି ପ୍ରସ୍ତାବ ଦେବା ଦରକାର। ଯାହାଦ୍ୱାରା ରାଜନୀତିରୁ ଦାଗି ବା ଅପରାଧୀ ନେତାଙ୍କ ଉପରେ ରୋକ ଲଗାଇବାକୁ ସୁଯୋଗ ମିଳିବ।
ଆଇନ ରେ କ’ଣ ବ୍ୟବସ୍ଥା ରହିଛି?
ଜନ ପ୍ରତିନିଧି ଅଧିନିୟମ, ୧୯୫୧ ଆଧାରରେ ଦୋଷୀ ରାଜନେତାଙ୍କୁ ନିର୍ବାଚନ ଲଢ଼ିବାରୁ ରୋକା ଯାଇପାରିବ। କିନ୍ତୁ ଯେଉଁ ନେତାଙ୍କ ବିରୋଧରେ କେବଳ ମାମଲା ଚାଲିଛି ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି ସେମାନେ ନିର୍ବାଚନରେ ଅଂଶ ଗ୍ରହଣ କରିପାରିବେ।
ସେହିପରି ଜନ ପ୍ରତିନିଧି ଅଧିନିୟମ ଧାରା ୮(୩) ପ୍ରାବଧାନ ଅନୁଯାୟୀ, ଜଣେ ନିର୍ବାଚିତ ପ୍ରତିନିଧି ଯଦି ଦୁଇ ବର୍ଷରୁ ଅଧିକ ସମୟ ଜେଲ ଦଣ୍ଡାଦେଶ ଭୋଗିବେ ତାହେଲେ ତାଙ୍କୁ ଅଯୋଗ୍ୟ ବୋଲି ମାନିବାକୁ ହେବ। ସେ ଦଣ୍ଡମୁକ୍ତ ହେବାର ୬ ବର୍ଷ ପରେ ଯାଇ ନିର୍ବାଚନ ଲଢ଼ିପାରିବେ।
from Odisha Reporter https://ift.tt/38oE1uI
No comments:
Post a Comment