ନୂଆଦିଲ୍ଲୀ: ଇଟାଲୀରେ ଫଶିଥିବା ୨୬୩ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି। କେନ୍ଦ୍ର ସରକାରଙ୍କ ସହଯୋଗ କ୍ରମେ ଏୟାର ଇଣ୍ଡିଆ ବିମାନ ଯୋଗେ ଆଜି ଏହି ସମସ୍ତ ଭାରତୀୟ ଫେରିଛନ୍ତି। ଶନିବାର ଇଟାଲୀର ରାଜଧାନୀ ରୋମ ସ୍ଥିତ ଫିମିସିନୋ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ଏୟାର ଇଣ୍ଡିଆ ବୋଇଙ୍ଗ ୭୭୭ ବିମାନ ପଠାଇଥିଲା। ଆଜି ସମସ୍ତ ଭାରତୀୟ ଯାତ୍ରୀଙ୍କୁ ନେଇ ବିମାନଟି ସକାଳ ପ୍ରାୟ ୯.୧୫ରେ ଦିଲ୍ଲୀରେ ଅବତରଣ କରିଛି। ଏବେ ଏହି ଭାରତୀୟଙ୍କର ସ୍କ୍ରିନିଂ ଟେଷ୍ଟ ହେବ। ଏହାପରେ ସମସ୍ତଙ୍କୁ ଆଇସୋଲେସନ ଓ୍ୱାର୍ଡରେ ରଖାଯିବ।
ଏହାପୂର୍ବରୁ ଗତ ସପ୍ତାହରେ ଏୟାର ଇଣ୍ଡିଆ ମିଲାନକୁ ଏକ ବିମାନ ପଠାଇ ସେଠାରେ ୨୩୦ରୁ ଅଧିକ ଭାରତୀୟଙ୍କୁ ଫେରାଇ ଆଣିଥିଲା। ଏହି ବିମାନ କମ୍ପାନୀ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ ଦିଲ୍ଲୀ-ରୋମ ଏବଂ ଦିଲ୍ଲୀ-ମିଲାନ ରୁଟରେ କାର୍ଯ୍ୟ ସ୍ଥଗିତ କରିସାରିଛି।
ସୂଚନାଯୋଗ୍ୟ, କିଲର କରୋନା ଭାଇରସର କେନ୍ଦ୍ର କୁହାଯାଉଥିବା ଚୀନରେ ସ୍ଥିତି ଏବେ ସୁଧୁରୁଛି। ଶୁକ୍ରବାର ପାଖରୁ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି। ହେଲେ ଏହାରି ଭିତରେ ଇଟାଲୀରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିଚାଲିଛି। ଏଯାବତ ଇଟାଲୀରେ ୫୩,୫୭୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୪,୮୨୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୬,୦୭୨ ଜଣ ସୁସ୍ଥ ହୋଇଛନ୍ତି। ୧୭୦ରୁ ଅଧିକ ଦେଶକୁ ବ୍ୟାପିଛି ଏହି ମହାମାରୀ। ଏଯାବତ ଇଟାଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଦ୍ୱିତୀଯରେ ଚୀନ ରହିଛି।
from Odisha Reporter https://ift.tt/33CMhWg
No comments:
Post a Comment