ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର କରୋନା ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ ୫ଟି ଜିଲ୍ଲା ଓ ୮ଟି ସହରରେ ଲକ୍ ଡାଉନ୍ ଘୋଷଣା କରିଥିବା ରାଜ୍ୟ ସରକାର ନିଜର ୨୫ଟି ବିଭାଗର କର୍ମଚାରୀଙ୍କୁ ଅଫିସ୍ ନଆସିବା ପାଇଁ ପରାମର୍ଶ ଦେଇଛନ୍ତି। ଏସବୁ ବିଭାଗର ଅଫିସର ଓ କର୍ମଚାରୀମାନେ ଅଫିସ୍ ଆସିବେ ନାହିଁ କିନ୍ତୁ ସ୍ୱଳ୍ପ ବ୍ୟବଧାନର ନୋଟିସ୍ ମଧ୍ୟରେ ଅଫିସ୍ ଆସିବା ପାଇଁ ସର୍ବଦା ପ୍ରସ୍ତୁତ ରହିଥିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଜାରି ସଂଶୋଧିତ ନିର୍ଦ୍ଦେଶାନାମାରେ କୁହାଯାଇଛି।
କରୋନା ମୁକାବିଲା ପାଇଁ ଗତକାଲି ୫ଟି ବିଭାଗକୁ ‘କ୍ରିଟିକାଲ’, ୧୬ଟି ବିଭାଗକୁ ‘ଆଂଶିକ କ୍ରିଟିକାଲ’ ଓ ୧୮ଟି ବିଭାଗକୁ ‘ଅଣକ୍ରିଟିକାଲ’ ଭାବେ ବର୍ଗୀକୃତ କରି ସେସବୁ ବିଭାଗର ଅଫିସର ଓ କର୍ମଚାରୀଙ୍କ ଦାୟିତ୍ୱ ବଣ୍ଟନ କରିଥିବା ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଆଜି ସଂଶୋଧିତ ନିର୍ଦ୍ଦେଶାନାମା ଜାରି କରି କିଟ୍ରିକାଲ ବର୍ଗରେ ୬ଟି ବିଭାଗକୁ ରଖିଥିବାବେଳେ ଆଂଶିକ କ୍ରିଟିକାଲ ବର୍ଗରେ ୯ଟି ବିଭାଗକୁ ସାମିଲ କରିଛି। ଅନ୍ୟ ୨୫ଟି ବିଭାଗକୁ ଅଣକ୍ରିଟିକାଲ ବର୍ଗରେ ରାଜ୍ୟ ସରକାର ସାମିଲ କରିଛନ୍ତି।
ସରକାରଙ୍କ ପକ୍ଷରୁ ଜାରି ସଂଶୋଧିତ ନିର୍ଦ୍ଦେଶନାମା ଅନୁସାରେ, କୋଭିଡ-୧୯ ସଂକ୍ରମଣ ବ୍ୟାପିବାକୁ ରୋକିବା ନିମନ୍ତେ ୨୨ତାରିଖ ସକାଳ ୭ଟାରୁ ମାର୍ଚ୍ଚ ୨୯ତାରିଖ ରାତି ୯ଟା ପର୍ଯ୍ୟନ୍ତ ଭୁବନେଶ୍ୱର ଓ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ତେଣୁ କ୍ରିଟିକାଲ ବର୍ଗରେ ଥିବା ୬ଟି ବିଭାଗ ଯଥା ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ, ସାଧାରଣ ପ୍ରଶାସନ, ଗୃହନିର୍ମାଣ ଓ ନଗର ଉନ୍ନୟନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଗୃହ, ଏସଆରସି ଓ ଓସଡମାର ସମସ୍ତ କର୍ମଚାରୀ ଓ ଅଫିସରମାନଙ୍କୁ ଅଫିସରେ ଉପସ୍ଥିତ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏସବୁ ବିଭାଗର ସଚିବମାନେ ସେମାନଙ୍କ ଅଧୀନରେ ଥିବା ନିର୍ଦ୍ଦେଶାଳୟ ଓ ଉଦ୍ୟୋଗ ସମ୍ପର୍କରେ ନିଷ୍ପତ୍ତି ନେବେ।
ସେହିପରି ବାଣିଜ୍ୟ ଓ ପରିବହନ, ଇଲୋକ୍ଟ୍ରୋନିକ୍ସ ଆଣ୍ଡ ଆଇଟି, ଶକ୍ତି, ଅର୍ଥ, ସୂଚନା ଓ ଲୋକସମ୍ପର୍କ, ପଞ୍ଚାୟତିରାଜ, ରାଜସ୍ୱ, ଅନୁସୂଚିତ ଜାତି ଓ ଜନଜାତି ଏବଂ ପୂର୍ତ୍ତ ବିଭାଗକୁ ‘ଆଂଶିକ କ୍ରିଟିକାଲ’ ଭାବେ ବର୍ଗୀକୃତ କରାଯାଇଛି । ଏସବୁ ବିଭାଗର ସଚିବମାନେ ନିଜର ପ୍ରମୁଖ ଅଧିକାରୀ ଓ କର୍ମଚାରୀମାନଙ୍କ ସହ ଅଫିସରେ ନିଶ୍ଚିତ ଭାବେ ଉପସ୍ଥିତ ରହିବେ। ତେବେ କେଉଁ ଅଫିସର ଓ କର୍ମଚାରୀ ଅଫିସ ଆସିବେ ତାହା ସମ୍ପୃକ୍ତ ବିଭାଗର ସଚିବ ସ୍ଥିର କରିବେ। ସେସବୁ ବିଭାଗର ନିର୍ଦ୍ଦେଶାଳୟଗୁଡ଼ିକ କିଭଳି ଚାଲିବ ଓ କେତେ ସଂଖ୍ୟକ କର୍ମଚାରୀ ରହିବେ ତା’ର ନିଷ୍ପତ୍ତି ସମ୍ପୃକ୍ତ ବିଭାଗର ସଚିବ ନେବେ । ସେହିପରି ଏସବୁ ବିଭାଗ ଅଧୀନରେ ଥିବା ସରକାରୀ ଉଦ୍ୟୋଗଗୁଡ଼ିକ ଯଥାସମ୍ଭବ କମ୍ ସଂଖ୍ୟକ କର୍ମଚାରୀରେ ପରିଚାଳିତ ହେବ।
ସେହିପରି ଅନ୍ୟ ୨୫ଟି ବିଭାଗର କର୍ମଚାରୀ ଓ ଅଫିସରମାନଙ୍କୁ ଅଫିସ ନଆସିବା ପାଇଁ କୁହାଯାଇଛି । ତେବେ ସାମାନ୍ୟ ନୋଟିସ ମଧ୍ୟରେ ସେମାନେ ଅଫିସ୍ ଆସିବା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାବ୍ୟତୀତ କ୍ଷେତ୍ରସ୍ତରରେ ସେମାନଙ୍କର ବିଭାଗ ସଂକ୍ରାନ୍ତୀୟ କାର୍ଯ୍ୟର ତଦାରଖ ଓ ପରିଚାଳନାକୁ ସେମାନେ ଫୋନ୍ ମାଧ୍ୟମରେ ସମ୍ପାଦନ କରିବାକୁ କୁହାଯାଇଛି । ଯେଉଁ ସବୁ ବିଭାଗର କର୍ମଚାରୀ ଓ ଅଫିସରମାନେ ମାର୍ଚ୍ଚ ୨୯ତାରିଖ ପର୍ଯ୍ୟନ୍ତ ଅଫିସ୍ ଆସିବେ ନାହିଁ ସେଗୁଡ଼ିକ ହେଲା, କୃଷି,ସମବାୟ, ଅବକାରୀ, ଜଙ୍ଗଲ ଓ ପରିବେଶ, ହସ୍ତତନ୍ତ ଓ ବୟନଶିଳ୍ପ, ଉଚ୍ଚଶିକ୍ଷା, ଆଇନ, ଶିଳ୍ପ, ଶ୍ରମ ଓ ଇଏସଆଇ, ଏମଏସଏମଇ, ସଂସ୍କୃତି , ପର୍ଯ୍ୟଟନ, ସଂସଦୀୟ ବ୍ୟାପାର, ଯୋଜନା ଓ ସଂଯୋଜନ, ସାଧାରଣ ଉଦ୍ୟୋଗ, ଗ୍ରାମ୍ୟ ଉନ୍ନୟନ, ସ୍କୁଲ ଓ ଗଣଶିକ୍ଷା, ଏସଏସଇପିଡି, ମହିଳା ଓ ଶିଶୁବିକାଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଦକ୍ଷତାବିକାଶ ଓ ବୈଷିୟକ ଶିକ୍ଷା, କ୍ରୀଡ଼ା ଓ ଯୁବବ୍ୟାପାର, ଇସ୍ପାତ ଓ ଖଣି, ଜଳସମ୍ପଦ ବିଭାଗ ବୋଲି ଆଜି ପ୍ରକାଶିତ ନିର୍ଦ୍ଦେଶନାମାରେ କୁହାଯାଇଛି।
from Odisha Reporter https://ift.tt/2xg0BIl
No comments:
Post a Comment