ଭୋପାଲ: ଆଜି ଗ୍ୱାଲିଅର ମହାରାଜା ମାଧବରାଓ ସିନ୍ଧିଆଙ୍କ ଜନ୍ମଦିନ। ଆଜି ଏହି ତିଥିକୁ ୭୫ ବର୍ଷ ପୁରୁଥିବାବେଳେ ବାପାଙ୍କ ପୁରୁଣା ଦଳ ଜନ ସଂଘର ନୂଆ କଳେବର ବିଜେପିରେ ଯୋଗଦେଇପାରନ୍ତି ପୁଅ ଜ୍ୟୋତିରାଦିତ୍ୟ ସିନ୍ଧିଆ। ଯେଉଁ ଅଟଳ ବିହାରୀ ବାଜପେୟୀଙ୍କୁ ବାପା ହରାଇଥିଲେ ଆଜି ତାଙ୍କରି ପ୍ରତିଷ୍ଠିତ ଦଳରେ ସିନ୍ଧିଆ ଯୋଗଦେବା ସମ୍ଭାବନା ବଢ଼ିବାରେ ଲାଗିଛି। କଂଗ୍ରେସରୁ ଜ୍ୟୋତିରାଦିତ୍ୟ ଇସ୍ତଫା ଦେବାପରେ ଏହା ଆହୁରି ସ୍ପଷ୍ଟ ହୋଇଯାଇଛି। ଇସ୍ତଫା ନେଇ ନିଜେ ସିନ୍ଧିଆ ଘୋଷଣା କରିଛନ୍ତି। ଏଥିରେ ତାରିଖ ମାର୍ଚ୍ଚ ୯ ତାରିଖ ରହିଛି।
ବାପ-ପୁଅଙ୍କ ମଧ୍ୟରେ ରହିଥିବା ଅନ୍ୟ ଏକ ସମାନତା ହେଉଛି ଉଭୟ ମଧ୍ୟପ୍ରଦେଶ ରାଜନୀତିରେ ବହୁ ପରାକାଷ୍ଠା ଦେଖାଇଥିଲେ ମଧ୍ୟ ଦୁର୍ଭାଗ୍ୟବଶତଃ ମୁଖ୍ୟମନ୍ତ୍ରୀ ହୋଇପାରିନାହାନ୍ତି। ତେବେ ଆଜି ସେ ବିଜେପିରେ ଯୋଗଦେବାପରେ ଏଥିରେ ପରିବର୍ତ୍ତନ ଆସିବ ବୋଲି ଆଶଙ୍କା କରାଯାଉଛି। ପ୍ରଥମେ କେନ୍ଦ୍ରମନ୍ତ୍ରୀ ହେବାକୁ ଥିବା ସିନ୍ଧିଆ ପରେ ଯେ ମୁଖ୍ୟମନ୍ତ୍ରୀ ନହେବେ କିଏ କହିବ।
ନିର୍ବାଚନ ପୂର୍ବରୁ ବିଜେପିର ଗୋଟିଏ ନାରାକୁ ଆମେ ବିଚାରକୁ ନେଇ ପାରିବ।। “ମାଫ କରୋ ମହାରାଜ, ଅପନେ ତୋ ଶିବରାଜ”, ଏହି ନାରା ଦେଇ ସାରା ରାଜ୍ୟରେ ଗେରୁଆ ଦଳ ନିର୍ବାଚନ ପ୍ରଚାର କଲା। ରାଜ ପରିବାରକୁ ସଂଯୋଗ କରୁଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଉଦ୍ଦେଶ୍ୟରେ ଏହି ନାରା ଦିଆଯାଇଥିଲା। ସମ୍ଭବତଃ ରାଜ୍ୟବାସୀ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ଦେଖିବାକୁ ଚାହୁଁଥାଇ ପାରନ୍ତି ବୋଲି ଏହି ଆଧାରରେ ବିଜେପି ଏହି ନାରା ଦେଇଥିବା କୁହାଯାଇପାରେ।
କିନ୍ତୁ ସର୍ବଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କମଲନାଥ ହେଲେ ମୁଖ୍ୟମନ୍ତ୍ରୀ। ଦୀର୍ଘ ସମୟର ହାଇଡ୍ରାମା ପରେ ସିନ୍ଧିଆଙ୍କ ନାମକୁ ବାଦ୍ ଦେଇ କମଳନାଥଙ୍କୁ ମୁଖ୍ୟମନ୍ତ୍ରୀ କରିଦିଆଯାଇଥିଲା।
ଏହା ପୂର୍ବରୁ ମାଧବରାଓଙ୍କ କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟିଥିଲା। ଜାନୁୟାରୀ ୧୯୮୯। ଚୁରହଟ୍ ଲଟେରୀ କେଳେଙ୍କାରୀ ଘଟଣାରେ ମୁଖ୍ୟମନ୍ତ୍ରୀ ଅର୍ଜୁନ୍ ସିଂହଙ୍କୁ ଗାଦି ଛାଡ଼ିବାକୁ ପଡ଼ିଥିଲା। ଏହାପରେ ଚର୍ଚ୍ଚାକୁ ଆସିଲେ ସେ ସମୟରେ ସବୁଠାରୁ କ୍ଷମତାଶାଳୀ ରାଜନେତା ବୋଲାଉଥିବା ମାଧବରାୱ ସିନ୍ଧିଆ। ଏପରିକି ରାଜୀବ ଗାନ୍ଧୀ ମଧ୍ୟ ସିନ୍ଧିଆ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ଏ କଥା ଚାହୁଁଥିଲେ। ହେଲେ ଅର୍ଜୁନ୍ ସିଂହଙ୍କ ଚାପର ବଶବର୍ତ୍ତୀ ହୋଇ କଂଗ୍ରେସ ହାଇକମାଣ୍ଡ ସିନ୍ଧିଆଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ କ୍ଲିନ୍ ଚିଟ୍ ଦେଇ ନ ଥିଲେ।
ଅର୍ଜୁନ୍ ସିଂହଙ୍କ ସମର୍ଥକ ହରବଂଶ ସିଂହଙ୍କ ଭୋପାଲସ୍ଥିତ ବଙ୍ଗଳାରେ ଏ ନେଇ ବୈଠକ ବସିଲା। ଏହି ବୈଠକ ଜରିଆରେ ଅର୍ଜୁନ୍ ସିଂହ ତାଙ୍କ ପ୍ରତି ବିଧାୟକମାନେ ଯେ ଆନୁଗତ୍ୟ ରଖିଛନ୍ତି, ତାହା ଜଣାଇବାକୁ ଚାହୁଁଥିଲେ ଓ ଏଥିରେ ସେ ସଫଳ ମଧ୍ୟ ହୋଇଥିଲେ।
ଜନସମର୍ଥନ ଦୃଷ୍ଟିରୁ ଆପାତତଃ ମୁଖ୍ୟମନ୍ତ୍ରୀ ହେବାର ଆଶା ନେଇ ମାଧବରାୱ ଦିଲ୍ଲୀରୁ ତୁରନ୍ତ ଭୋପାଲ ଚାଲି ଆସିଲେ। ଏପରିକି ୨ ଦିନ ପର୍ଯ୍ୟନ୍ତ ସେ ଏଠାରେ ରହିଲେ। ଅର୍ଜୁନ୍ଙ୍କ ଇସ୍ତଫା ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସେ ହିଁ ପ୍ରଥମ ଓ ଶ୍ରେଷ୍ଠ ଦାବିଦାର ଥିଲେ ବୋଲି ଚର୍ଚ୍ଚା ହୋଇଥିଲା। ହେଲେ ଅର୍ଜୁନ୍ଙ୍କ ଚାପରେ ପଡ଼ି କଂଗ୍ରେସ ନେତୃତ୍ୱ ସିନ୍ଧିଆଙ୍କ ନାଁକୁ ବାଦ୍ ଦେଇ ମୋତିଲାଲ ଭୋରାଙ୍କ ନାଁକୁ ଆଗକୁ ଆଣିଥିଲେ ଓ ସେ ହିଁ ହେଲେ ମୁଖ୍ୟମନ୍ତ୍ରୀ।
from Odisha Reporter https://ift.tt/38BJfCz
No comments:
Post a Comment