ମୁମ୍ବାଇ: ବଲିଉଡ୍ରେ ଏଭଳି ବହୁତ ଷ୍ଟାର୍କପଲ୍ ଅଛନ୍ତି ଯେଉଁମାନଙ୍କ ମଧ୍ୟରେ ବୟସର ବହୁତ ପାର୍ଥକ୍ୟ ରହିଛି। ଆଉ ଏଥିପାଇଁ ସେମାନେ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି କରୀନା କପୁର-ସୈଫ୍ ଅଲୀ ଖାନ୍, ମିଲିନ୍ଦ ସୋମନ-ଅଙ୍କିତା, ପ୍ରିୟଙ୍କା ଚୋପ୍ରା-ନିକ୍ ଜୋନସ୍ ଓ ଶାହିଦ୍ କପୁର-ମୀରା ରାଜପୁତ୍। ସେହିଭଳି ବାହା ହୋଇ ନଥିଲେ ମଧ୍ୟ ନିଜ ସଂପର୍କକୁ ନେଇ ଚର୍ଚ୍ଚାରେ ରହିଛନ୍ତି ମଲାଇକା ଅରୋରା-ଅର୍ଜୁନ କପୁର ଓ ସୁସ୍ମିତା ସେନ୍-ରୋହମନ୍ ସଲ୍। ଆଉ ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ଯୋଡ଼ିଙ୍କ ନାଁ। ସେମାନେ ହେଉଛନ୍ତି ରାହୁଲ୍ ଦେବ ଓ ମୁଗ୍ଧା ଗୋଡ଼ସେ।
ସୂଚନା ଅନୁଯାୟୀ, ରାହୁଲ୍ ଓ ମୁଗ୍ଧା ପରସ୍ପରକୁ ୨୦୧୫ରୁ ଡେଟ୍ କରୁଛନ୍ତି। ଉଭୟଙ୍କ ବୟସରେ ୧୮ ବର୍ଷର ପାର୍ଥକ୍ୟ ରହିଛି। ନିକଟରେ ଏକ ସାକ୍ଷାତ୍କାରରେ ଏ ନେଇ ରାହୁଲ୍ ନିଜର ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ, “ଆମ ଭିତରେ ୧୮ ବର୍ଷର ପାର୍ଥକ୍ୟ ଅଛି। ଏଥିପାଇଁ ମୋତେ ଆରମ୍ଭରେ ଟିକେ ସମସ୍ୟା ହୋଇଥିଲା। ମୋ ବାପାମା’ଙ୍କ ମଧ୍ୟରେ ୧୦ ବର୍ଷର ପାର୍ଥକ୍ୟ ଥିଲା। ତେଣୁ ଦେଖିବାକୁ ଗଲେ ଏହା ଏକ ବହୁତ ବଡ଼ ବ୍ୟବଧାନ ନୁହେଁ। ମୋ ମତରେ ଯଦି ଆପଣ ଖୁସି ଅଛନ୍ତି, ତା’ହେଲେ ବୟସର ପାର୍ଥକ୍ୟ କୌଣସି ମହତ୍ତ୍ୱ ରଖେନାହିଁ।”
୨୦୧୩ରେ ମୁଗ୍ଧା ଓ ରାହୁଲ୍ଙ୍କ ମଧ୍ୟରେ ପ୍ରଥମେ ଦେଖା ହୋଇଥିଲା ଏକ ବାହାଘର ଉତ୍ସବରେ। ସେଠାରେ ସେମାନଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା, ଯାହା ପରବର୍ତ୍ତୀ ସମୟରେ ପ୍ରେମରେ ବଦଳିଗଲା। ଆପଣମାନେ ଜାଣିଥିବେ ଯେ ୨୦୦୯ରେ ରାହୁଲଙ୍କ ପତ୍ନୀ ରୀନା ଦେବଙ୍କର କ୍ୟାନସର୍ରେ ମୃତ୍ୟୁ ହୋଇଥିଲା। ରାହୁଲ୍ ଓ ରୀନାଙ୍କର ସିଦ୍ଧାର୍ଥ ନାମରେ ଏକ ପୁଅ ମଧ୍ୟ ଅଛି।
ସୂଚନାଯୋଗ୍ୟ, ରାହୁଲ୍ ଦେବ ଜଣେ ମଡେଲ୍ ଓ ଅଭିନେତା ମଧ୍ୟ। ସେ ହିନ୍ଦୀ, ତମିଲ୍, ତେଲୁଗୁ, ମାଲାୟଲମ୍, ପଞ୍ଜାବୀ, କନ୍ନଡ଼, ଓଡ଼ିଆ ଓ ବଙ୍ଗଳା ଭାଷାରେ ଅନେକ ଫିଲ୍ମରେ କାମ କରିଛନ୍ତି। ବଲିଉଡ୍ରେ ସେ ‘ଚାମ୍ପିୟନ୍’ ଫିଲ୍ମରେ ଡେବ୍ୟୁ କରିଥିଲେ। ଏଥିରେ ସେ ନେଗେଟିଭ୍ ଚରିତ୍ରରେ ଅଭିନୟ କରିଥିଲେ। ଏଥିରେ ତାଙ୍କ ଅଭିନୟ ବେଶ୍ ଚମତ୍କାର ଥିଲା। ଏହା ପରଠୁ ପ୍ରାୟ ଫିଲ୍ମରେ ସେ ନେଗେଟିଭ୍ ଚରିତ୍ରରେ ଅଭିନୟ କରିଥିଲେ। ସେ ଓଡ଼ିଆ ଫିଲ୍ମ ‘ମହାନାୟକ’, ‘ପ୍ରେମୀ ନମ୍ବର ୱାନ୍’ ଓ ‘ଶତ୍ରୁ ସଂହାର’ରେ ଅଭିନୟ କରିଛନ୍ତି। ଶେଷଥର ପାଇଁ ତାଙ୍କୁ ୨୦୧୯ରେ ମଲ୍ଟିଷ୍ଟାରର୍ କମେଡ଼ି ଫିଲ୍ମ ‘ପାଗଲପନ୍ତି’ରେ ଦେଖିବାକୁ ମିଳିଥିଲା।
ଅନ୍ୟପକ୍ଷରେ ମୁଗ୍ଧା ଫିଲ୍ମ ‘ଫ୍ୟାଶନ୍’ରୁ ବଲିଉଡ୍ରେ ଡେବ୍ୟୁ କରିଥିଲେ। ସେ ପାଖାପାଖି ୨୦ଟି ଫିଲ୍ମରେ କାମ କରିଛନ୍ତି। ଶେଷଥର ପାଇଁ ତାଙ୍କୁ ଗତବର୍ଷ ଆସିଥିବା ଫିଲ୍ମ ‘ଶର୍ମାଜୀ କୀ ଲଗ୍ ଗେୟି’ରେ ଦେଖିବାକୁ ମିଳିଥିଲା। ଆଗକୁ ସେ ‘ଫୌଜି କଲିଂ’ରେ ଲିଡ୍ ନାୟିକା ଭାବେ ନଜର ଆସିବେ। ଏଥିରେ ତାଙ୍କ ସହ ଶରମନ୍ ଜୋଶୀ ମୁଖ୍ୟ ଭୂମିକାରେ ଅଭିନୟ କରିବେ।
from Odisha Reporter https://ift.tt/33544Fd
No comments:
Post a Comment