ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବର୍ତ୍ତମାନ ସାରା ବିଶ୍ୱରେ ୧୯୦ରୁ ଊର୍ଦ୍ଧ୍ୱ ଦେଶ ନୋଭେଲ କରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ। ବିକଶିତ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା ଥାଇ ସୁଦ୍ଧା ସେମାନେ ସର୍ବାଧିକ ଭୟଭୀତ। ତେବେ ଭାରତରେ କ’ଣ ସେହିପରି ଚିକିତ୍ସା ସେବା କ୍ଷେତ୍ରରେ ଆବଶ୍ୟକ ଭିତ୍ତିଭୂମି ରହିଛି ?
ଦେଶରେ ଲକ୍ଷାଧିକ ସଂଖ୍ୟାରେ ଲୋକ ଭାରତରେ ସଂକ୍ରମିତ ହେବାର ସମ୍ଭାବନା ରହିଛି। ମାନବସମ୍ବଳ ନଷ୍ଟ ହୋଇଗଲେ ଆମ ଦେଶର ଆର୍ଥିକ ତଥା ସାମାଜିକ ମାନଦଣ୍ଡ ସଜାଡ଼ୁ ସଜାଡ଼ୁ ଦଶନ୍ଧି ଉପରେ ସମୟ ଲାଗିଯାଇପାରେ। ତେବେ ଏହାର ମୁକାବିଲା ଲାଗି ଦେଶକୁ ଲକଡାଉନ୍ କରାଯାଇଛି। ଘରେ ରହିବା ସହ ବାରମ୍ବାର ହାତ ଧୋଇବା ଏବଂ ଆଖପାଖରେ ସ୍ୱଚ୍ଛତା ବଜାୟ ରଖିବାକୁ କୁହାଯାଇଛି। ଏହା ହିଁ ଏକମାତ୍ର ଉପାୟ। ହେଲେ ଭାରତୀୟ ସଂସ୍କାରରେ ସ୍ୱଚ୍ଛତା ବିଷୟ ତ ବହୁ ପୁରାତନ, ଯାହାକୁ ଓଲଡ୍ ଫ୍ୟାଶନ୍-ବା ଆଉଟ୍ ଡେଟେଡ୍ କଥା କହି ଆମେ ହୁଏତ ଭୁଲିଯାଇଛେ। ଆଜି ସାରା ବିଶ୍ୱ କହୁଛି ନମସ୍କାର କରନ୍ତୁ (ସଂକ୍ରମଣ ଭୟରେ), ଯାହା ଭାରତର ସଂସ୍କାରରେ ରହିଆସିଛି। କିନ୍ତୁ ପାଶ୍ଚାତ୍ୟ ସଭ୍ୟତା ପ୍ରେମରେ ପଡ଼ି ନମସ୍କାର କରିବାକୁ ଆମ ପିଲାମାନଙ୍କୁ ଆଉ ଆମକୁ ଲଜ୍ଜାବୋଧ ହେଉଥିଲା।ସମୟ ବଦଳିଗଲା ଆଉ ଆମେ ହେଲୋ, ହାଏ ଓ ହଗ୍ କରିବା ଶିଖିଗଲେ। ଆମ ସଂସ୍କାରରେ ହଗ୍ ବା ଆଲିଙ୍ଗନ କରି ଅଜଣା ଲୋକଙ୍କୁ ଆତିଥ୍ୟ ଦେବା କେବେ ବି ନ ଥିଲା।
ଭାରତ ଏକ ପରମ୍ପରା, ସଂସ୍କୃତି, ସଭ୍ୟତାରେ ପରିପୂର୍ଣ୍ଣ ଦେଶ। ଆମ ଦେଶର ସଂସ୍କାର ଅତି ପୁରାତନ। ଆମ ସଂସ୍କାରରେ ହାତ,ମୁହଁ ନ ଧୋଇ ବାହାରୁ ଆସି ଘରେ ପ୍ରବେଶ ନିଶିଦ୍ଧ। ଆଜିକୁ ତିନି ଦଶନ୍ଧି ପୂର୍ବରୁ ମାଆମାନେ ରୋଷେଇ ଘରଟିକୁ ଖୁବ୍ ଯତ୍ନର ସହ ସଫା କରୁଥିଲେ। ପାଉଁଶ, ଗୋବରରେ ଘର ଲିପା ହେଉଥିଲା। କହିବାକୁ ଗଲେ, ତାହା ଏକପ୍ରକାର ସାନିଟାଇଜ୍ ହିଁ କରାଯାଉଥିଲା। ସଫାସୁତୁରା ନ ହୋଇ ରୋଷେଇ ଘରକୁ ପ୍ରବେଶ କରିବାକୁ ଦିଆଯାଉ ନ ଥିଲା। ତେବେ ସମୟାନ୍ତରରେ ଏହି ସଂସ୍କାର ଆଉଟ୍ ଡେଟେଡ୍ ହୋଇ ରହିଗଲା। ସମୟ ବଦଳିଗଲା, ଲୋକେ ଅଗାଧୁଆରେ ରୋଷେଇ କଲେଣି, ଚା’-କଫି ପିଇବା ଆରମ୍ଭ କଲେ। ପିଜ୍ଜା, ବରଗର୍ ଖାଇ ଅଟ୍ଟକାଳି, କ୍ଷୀର ଗଇଁଠାକୁ ଭୁଲି ଯାଇଥିଲେ।
ପୁରୁଣା ସମୟରେ ରୋଷେଇ କରିବାକୁ ସାଧାରଣତଃ କଞ୍ଚା ନିର୍ମିତ ବାସନ ନ ହେଲେ ମାଟି ନିର୍ମିତ ବାସନ ବା ହାଣ୍ଡିକୁଣ୍ଡି ବ୍ୟବହାର କରାଯାଉଥିଲେ। ମାଟି ଡେକଚିରେ ଭାତ ରନ୍ଧା ହେଉଥିଲା। ମାଟି ତାଓ୍ୱାରେ ରୁଟି ସେକା ହେଉଥିଲା। କେହି କେହି ଲୁହାର କଢ଼େଇଆଦି ମଧ୍ୟ ବ୍ୟବହାର କରୁଥିଲେ। ସେମାନେ ଜାଣିଥିଲେ, ଏହି ସବୁ ଧାତୁ ନିର୍ମିତ କଂସାବାସନରେ ରୋଷେଇ କଲେ ଖାଦ୍ୟର ଯଥେଷ୍ଟ ମାତ୍ରାରେ ଗୁଣବତ୍ତା ନଷ୍ଟ ହେବ ନାହିଁ। ଫଳରେ ପୁଷ୍ଟିକର ଖାଦ୍ୟ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବ। ହେଲେ ଆଧୁନିକତାର ଯୁଗରେ ନନ୍-ଷ୍ଟିକ୍ ପ୍ୟାନ୍ ଓ କୁକ୍-ଓ୍ୱେୟାର ରୋଷେଇ ଘରେ ନିଜ ଆଡ୍ଡା ଜମାଇଛି, ଯାହାର ବ୍ୟବହାର ଶରୀର ପାଇଁ କେତେ କ୍ଷତିକାରକ ତାହା କହିଲେ ନ ସରେ। କିନ୍ତୁ ଚାକଚକ୍ୟ ପାଇଁ ଆମେ ମଡର୍ନ କୁକ୍ ଓ୍ୱେୟାର ବ୍ୟବହାର କରୁଛେ। ଆଉ ଆଜି ମାଟି ହାଣ୍ଡି ରୋଷେଇ ଆଜି କେବଳ ଢାବାର ‘ମାଟି ହାଣ୍ଡି ମାଉଁସ’ରେ ସୀମିତ ହୋଇଯାଇଛି।
ସେତେବେଳର କଥା, ଭୋଜନ ପରେ ସାଧାରଣତଃ ଗୁଡ଼ ମିଠା ଭାବେ ଖାଇବାକୁ ଦିଆଯାଉଥିଲା। ଏହା ପାଚନ କ୍ରିୟାରେ ତଥା ପେଟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରୁଥିଲା।ଏପରି କି, ଗଳା ଖରାପ ହେଲେ ଗୁଡ଼ ଓ ଉଷୁମ ପାଣି ଏକ ଲୋକପ୍ରିୟ ଘରୋଇ ଉପଚାର ଭାବେ ପରିଚିତ ଥିଲା। ହେଲେ ଆଜି ଗୁଡ଼ର ସ୍ଥାନ ଆଧୁନିକ ଡିଜର୍ଟ ନେଇସାରିଛି, ଯାହା କେତେ ସ୍ୱାସ୍ଥ୍ୟକର ନିଜେ ନିଜ ଡାକ୍ତରଙ୍କୁ ପଚାରନ୍ତୁ।
ଆପଣ ଏହାରି ଭିତରେ ବୁଝିସାରିବେଣି ଯେ, କରୋନା ଭୂତାଣୁର ବଡ଼ ଶତ୍ରୁ ହେଉଛି ରୋଗ ପ୍ରତିରୋଧକ ଶକ୍ତି। ଏଣୁ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ନ ଥିଲେ ଏହି ଭୂତାଣୁ ସହଜରେ ଆକ୍ରମଣ କରେ ଓ କାୟା ବିସ୍ତାର କରିଥାଏ। ଏବେ ସମୟ ଆସିଯାଇଛି ଆଧୁନିକ ପ୍ରଣାଳୀରେ ଖାଦ୍ୟ ପ୍ରସ୍ତୁତି ଓ ଖାଦ୍ୟସୂଚୀ ଉପରେ ପୁନଃବିଚାର କରିବାକୁ ହେବ।
କହିବାର ଉଦ୍ଦେଶ୍ୟ ଆଧୁନିକତାର ଚାକଚକ୍ୟରେ ତଥା କେବଳ ଯୁକ୍ତି ଭିତ୍ତିକ ସତ୍ୟାସତ୍ୟ ସହ କୌଣସି ଏକ ପରମ୍ପରାକୁ ଅଣଦେଖା କରି ଅହଂ ଭାବ ନେଇ ଆଗକୁ ବଢ଼ିଯିବା, ବେଳେ ବେଳେ ମହଙ୍ଗା ପଡ଼ିପାରେ। ସାମ୍ପ୍ରତିକ ପରିସ୍ଥିତି ଆମକୁ ନେଇ ବିତି ଯାଇଥିବା ଯୁଗରେ ଛାଡ଼ି ଆସିବା ପୂର୍ବରୁ ଟିକେ ସଜାଗ ହୋଇଗଲେ, ପରିସ୍କାର, ପରିଚ୍ଛନ୍ନ ତଥା ସ୍ୱଚ୍ଛତା ସାଙ୍ଗକୁ ପରମ୍ପରାକୁ ଆପଣାଇ ନେଲେ ଅସୁବିଧା କେଉଁଠି!
from Odisha Reporter https://ift.tt/3bEn0ha
No comments:
Post a Comment