ଆସିକା (ମନୋଜ ମୁନି): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ର ସାମନ୍ତରାପୁର ଗାଁରେ ୨୫୦ ଲୋକେ ବସବାସ କରନ୍ତି। ଗାଁରେ ୩ଟି ନଳକୂପ ରହିଛି। ଏଥିମଧ୍ୟରୁ ଦୁଇଟି ନଳକୂପ ପ୍ରାୟ ବର୍ଷେ ହେବ ଅଚଳ ହୋଇ ପଡ଼ିଛି। ଆଉ ଗୋଟିଏ ନଳକୂପ ଉପରେ ଗାଁ ଲୋକେ ନିର୍ଭର କରନ୍ତି। ହେଲେ ଏହି ନଳକୂପରୁ ଲୁହାଳିଆ ପାଣି ବାହାରୁଛି। ଏଥିସହ ପାଣିକୁ କିଛି ସମୟ ରଖିବା ପରେ ତାହା ହଳଦିଆ ରଙ୍ଗ ହୋଇ ଯାଉଛି। ତେବେ ଏହି ପାଣି ପିଇ ଗାଁ ଲୋକେ କିଡ୍ନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି। ଦୁଇ ମାସ ତଳେ କିଡ୍ନୀ ରୋଗରେ ଗାଁର ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଗତ ବର୍ଷ ବି ଗାଁର ଜଣଙ୍କର କିଡ୍ନୀ ରୋଗରେ ମୃତ୍ୟୁ ଘଟିଥିଲା। ଏଥିସହ ଏବେ ବି କିଛି ଲୋକେ କିଡ୍ନୀ ସଂପର୍କିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି।
କିଡ୍ନୀ ରୋଗରେ ଆକ୍ରାନ୍ତ ଥିବା ଗାଁର କାଳୁ ଗୌଡ଼ କହିଛନ୍ତି, “ବ୍ରହ୍ମପୁର ବଡ଼ ମେଡିକାଲରେ ମୁଁ ଚିକିତ୍ସିତ ହେଉଛି। ମେଡିସିନ୍ ଖାଉଛି। ହେଲେ ରୋଗ ଭଲ ହେଉନି। ଏଥିପାଇ ପ୍ରାୟ ଲକ୍ଷେ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି।”
ସେହିପରି କିଡ୍ନୀ ରୋଗରେ ପଡ଼ିଥିବା ପାଣ୍ଡବ ନାୟକ କହିଛନ୍ତି,“ଦୁଇ ମାସ ହେଲାଣି ମୁଁ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇଛି। ପାଣି ଯୋଗୁ କିଡ୍ନୀ ରୋଗ ବ୍ୟାପୁଥିବା ଆମେ ସମସ୍ତେ ସନ୍ଦେହ କରୁଛୁ। ଏବେ ବି ଆମେ ଏହି ନଳକୂପରୁ ପାଣି ଆଣି ବ୍ୟବହାର କରୁଛୁ। ପାଣି ସମସ୍ୟା ଦୂର କରିବା ପାଇଁ ପ୍ରଶାସନକୁ ଜଣାଇଛୁ। କିନ୍ତୁ କେହି ଗୁରୁତ୍ୱ ଦେଉ ନାହାନ୍ତି।”
ଗାଁର କାଳୁ ଚରଣ ଗୌଡ଼ କହିଛନ୍ତି, “ ପୂର୍ବରୁ ଏହି ନଳକୂପ ପାଣି ଆମେ ବ୍ୟବହାର କରୁଥୁଲୁ। ହେଲେ ଏବେ କମ୍ ବୟସର ଦୁଇଟି ପିଲାଙ୍କ କିଡ୍ନୀ ରୋଗରେ ମୃତ୍ୟୁ ଘଟିଛି। ପାଣି ଯୋଗୁ କିଡ୍ନୀ ରୋଗ ହେଉଥିବା ଆମେ ସନ୍ଦେହ କରୁଛୁ। ନଳକୂପରୁ ଲୁହାଳିଆ ପାଣି ବାହାରୁଛି। ମହିଳାମାନେ କପଡ଼ାରେ ପାଣି ଛାଣି ଆଣୁଛନ୍ତି। ପାଣି ପରୀକ୍ଷା କରିବା ପାଇଁ ସ୍ଥାନୀୟ ବିଧାୟକଙ୍କୁ କୁହାଯାଇଥିଲା। ହେଲେ କେହି ଆସିଲେ ନାହିଁ। ସରକାରଙ୍କ ପକ୍ଷରୁ ପଦକ୍ଷେପ କରାଗଲେ ଗାଁ ଲୋକେ ରୋଗ ବ୍ୟାଧିରୁ ତ୍ରାହି ପାଇବେ।”
ଏନେଇ ଆଶା କର୍ମୀ ରୁନୁ ଦଳାଇ କହିଛନ୍ତି,“ପାଣିକୁ ପରୀକ୍ଷା କରାଗଲେ ଭଲ ହୁଅନ୍ତା। ତା’ହେଲେ ଆମେ ଜାଣି ପାରୁବୁ ଯେ ପାଣି ଯୋଗୁ କିଡ୍ନୀ ରୋଗ ବ୍ୟାପୁଛି ନା ଆଉ କିଛି କାରଣ ରହିଛି। ନିକଟରେ କିଡ୍ନୀ ରୋଗରେ ଆକ୍ରାନ୍ତ ହୋଇ କମ୍ ବୟସରେ ଦୁଇ ଜଣଙ୍କ ଯୁବକଙ୍କ ମୃତ୍ୟୁ ଘଟିଛି।”
ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି, “ପାଣିକୁ ପରୀକ୍ଷା କରାଗଲେ ସେଥିରେ କିଛି ସମସ୍ୟ ଅଛି କି ନାହିଁ ଜଣାପଡ଼ିବ। ତେବେ ସେଠାରେ ଆମେ ଲୋକଙ୍କୁ ଭଲ ପାଣି ଦେବାକୁ ଚେଷ୍ଟା କରୁଛୁ। ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଏଭଳି ପାଣି ସମସ୍ୟା ନେଇ ଅଭିଯୋଗ ଆସିଛି। ଆମେ ତା’ ଉପରେ ପଦକ୍ଷେପ ନେଉଛୁ।”
from Odisha Reporter https://ift.tt/3ahfjNk
No comments:
Post a Comment