୯ ବର୍ଷ ହେଲାଣି ସରିପାରୁନି ନିର୍ମାଣ, ବାରଣ୍ଡାରେ ଓ ଗଛ ତଳେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 16, 2020

୯ ବର୍ଷ ହେଲାଣି ସରିପାରୁନି ନିର୍ମାଣ, ବାରଣ୍ଡାରେ ଓ ଗଛ ତଳେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ

କଣ୍ଟାବାଞ୍ଜି (ଅନ୍ତିମ ପାଣିଗ୍ରାହୀ): ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ୍‌ରେ ରହିଛି ବରକାନି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।  ୧୯୯୪ ମସିହାରେ ଏହା ସ୍ଥାପିତ ହୋଇଥିଲା। ଏହି ସ୍କୁଲ୍‌ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଅଛି ଓ ଏବେ ଏଠାରେ ୧୧୮ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। ସ୍କୁଲରେ ୫ ଜଣ ଶିକ୍ଷକ ଅଛନ୍ତି। ତେବେ ସ୍କୁଲ୍‌ରେ ଆବଶ୍ୟକ ସଂଖ୍ୟକ ଶ୍ରେଣୀ ଗୃହ ନାହିଁ।

୧୯୯୪ରେ ଏହି ସ୍କୁଲ୍‌ ଦୁଇଟି ଶ୍ରେଣୀ ଗୃହରୁ ଆରମ୍ଭ ହୋଇଥିଲା। ହେଲେ ସେହି ଦୁଇ ଶ୍ରେଣୀ ଗୃହ ଭାଙ୍ଗି ଯିବାରୁ ୨୦୦୭-୨୦୦୮ ମସିହାରେ ଆଉ ଦୁଇଟି ଶ୍ରେଣୀ ଗୃହ ନିର୍ମାଣ କରାଯାଇଥିଲା। ଏବେ ଉକ୍ତ ଦୁଇ ଶ୍ରେଣୀ ଗୃହରେ ବସି ଛାତ୍ରଛାତ୍ରୀମାନେ ପାଠ ପଢ଼ୁଛନ୍ତି। ହେଲେ ୮ଟି ଶ୍ରେଣୀ ପାଇଁ ତଥା ଶହେରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଦୁଇଟି କଠୋରୀ ରହିଥିବାରୁ ପାଠପଢ଼ାରେ ଭାରି ସମସ୍ୟା ସୃଷ୍ଟି ହେଉଛି। ଆବଶ୍ୟକୀୟ ଶ୍ରେଣୀ ଗୃହ ନଥିବାରୁ କିଛି ଛାତ୍ରଛାତ୍ରୀ ବାରଣ୍ଡାରେ ପାଠ ପଢ଼ୁଛନ୍ତି। ଏମିତିକି ‌ଆଉ କିଛି ଛାତ୍ରଛାତ୍ରୀ ଗଛ ତଳେ ବସି ପାଠ ପଢ଼ୁଛନ୍ତି। ଏଥିସହ ଏଠାରେ ମଧ୍ୟାହ୍ନଭୋଜନ ରୋଷେଇ ପାଇଁ ଘର ନାହିଁ। ଏଣୁ ସ୍କୁଲ୍‌ର ପୁରୁଣା ଭଙ୍ଗା କୋଠାର ବାରଣ୍ଡାରେ ଖାଦ୍ୟ ପ୍ରସ୍ତୁତ କରାଯାଇ ଛାତ୍ରଛାତ୍ରୀଙ୍କୁ ଖାଇବାକୁ ଦିଆଯାଉଛି।

ସ୍କୁଲର ଶ୍ରେଣୀ ଗୃହ ସମସ୍ୟାକୁ ଦେଖି ୨୦୧୧ ମସିହାରେ ଆଉ ଦୁଇଟି ନୂତନ କୋଠରୀ ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ୯ ବର୍ଷ ବିତି ଯାଇଥିଲେ ବି ତାହା ଶେଷ ହୋଇପାରିନି। ଏନେଇ ସ୍ଥାନୀୟ ସରପଞ୍ଚ, ବ୍ଳକ୍ ଶିକ୍ଷା ଅଧିକାରୀ, ବିଧାୟକ ଓ ସାଂସଦଙ୍କୁ ବାରମ୍ୱାର ଅବଗତ କରାଯାଇଥିଲେ ମଧ୍ୟ  କୌଣସି ସୁଫଳ ମିଳି ନଥିବା ଗାଁ ଲୋକେ କହିଛନ୍ତି।

ସ୍କୁଲ୍‌ର ଅଷ୍ଟମ ଶ୍ରେଣୀର ଛାତ୍ରୀ ଲକ୍ଷ୍ମୀକାନ୍ତ ମାଝୀ କହିଛନ୍ତି, “ଆମ ସ୍କୁଲରେ ବହୁତ ପିଲା ଥିବାରୁ ଆମେ ଗଛ ତଳେ ବସି ପାଠ ପଢ଼ୁଛୁ। ଅଧା ନିର୍ମାଣ ହୋଇ ପଡ଼ିଥିବା ବିଲ୍ଡିଂକୁ ସଂପୂର୍ଣ୍ଣ କରାଗଲେ ସେଠି ବସି ଆମେ ଭଲରେ ପାଠ ପଢ଼ି ପାରନ୍ତୁ। ଆଉ ଗଛ ତଳେ ବସି ପାଠ ପଢ଼ିବାକୁ ପଡ଼ନ୍ତାନି।”

ବରକାନି ଗାଁର ବାସିନ୍ଦା ନକୁଳ ମାଝି କହିଛନ୍ତି, “ସ୍କୁଲରେ ଶ୍ରେଣୀ ଗୃହ ଅଭାବ ଥିବାରୁ ପିଲାମାନେ ବସି ପାଠ ପଢ଼ିବାରେ ଅସୁବିଧା ହେଉଛି। ଏନେଇ ଆମେ ସରପଞ୍ଚ, ବିଡିଓ ଓ ବିଧାୟକଙ୍କୁ ଜଣାଇଛୁ। ହେଲେ ଖାଲି ହଁ ଦେଖିବା ଓ କରିବା ବୋଲି କହୁଛନ୍ତି।”

ସ୍କୁଲର ଶିକ୍ଷକ ଚନ୍ଦ୍ର ଶେଖର ବେହେରା କହିଛନ୍ତି, “ସ୍କୁଲ୍‌ରେ ଦୁଇଟି କୋଠରୀ ରହିଛି। ଯେଉଁ ଦିନ ଅଧିକ ପିଲା ହେଉଛନ୍ତି ଗଛ ତଳେ ବସି ପଢ଼ୁଛନ୍ତି। ନୂଆ କୋଠା ତିଆରି ହୋଇଗଲେ ପିଲାମାନେ ସୁବିଧାରେ ବସି ପାଠ ପଢ଼ି ପାରନ୍ତେ। ଏଥିସହ ସ୍କୁଲ ପାଇଁ ପାଚେରିର ଆବଶ୍ୟକତା ମଧ୍ୟ ରହିଛି।”

ବଙ୍ଗୋମୁଣ୍ଡା ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ ଜୟନ୍ତ କୁମାର ପ୍ରଧାନ କହିଛନ୍ତି, “ବରକାନି ସ୍କୁଲ ବିଷୟରେ ଆମେ ଅବଗତ ଅଛୁ। ବିଲ୍ଡିଂ କାମ କେମିତି ଶୀଘ୍ର ଶେଷ ହୋଇ ପାରିବ ସେ ନେଇ ଚେଷ୍ଟା କରାଯିବ। ଅତିଶୀଘ୍ର ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିବୁ।”



from Odisha Reporter https://ift.tt/38XRcC8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages