ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସମସ୍ତ ପଜିଟିଭ୍ ଯାଜପୁର ଜିଲ୍ଲାର ବୋଲି ସୂଚନା ମିଳିଛି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ରେ ପହଞ୍ଚିଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଯାଜପୁରରେ ସମୁଦାୟ ୨୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ସୁସ୍ଥ ହୋଇଥିବା ସୂଚନା ମିଳିଛି।
ରାଜ୍ୟରେ ଅଦ୍ୟାବଧି ୩୧, ୬୯୬ଟି ସାମ୍ପଲ୍ ପରୀକ୍ଷା ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ସର୍ବାଧିକ ୨୫୮୮ ନମୁନା ପରୀକ୍ଷା ହୋଇଛି। କରୋନା ଭୂତାଣୁ ସଂକ୍ରମଣରୁ ଏବେ ସୁଦ୍ଧା ୩୯ ଜଣ ଭଲ ହୋଇଥିବା ବେଳେ ୮୮ଟି ଆକ୍ଟିଭ କେସ୍ ରହିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍ ପକ୍ଷରୁ ସୂଚନା ମିଳିଛି।
ଗତକାଲି ସମୁଦାୟ ୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱରର ୭୭ ବର୍ଷୀୟ ବୃଦ୍ଧ ହୋଇଥିବା ବେଳେ କେନ୍ଦୁଝର, ଦେବଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରୁ ପ୍ରଥମ ଥର ପାଇଁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନେ ସମସ୍ତେ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ଦେଇଥିଲେ ରାଜ୍ୟ ସରକାର। ଏହାପରେ ବାଲେଶ୍ୱର ଜିଲ୍ଲାରୁ ଆଉ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନେ ମଧ୍ୟ କୋଲକତାରୁ ଫେରିଥିବା ଜଣାଯାଇଛି।
ଓଡ଼ିଶାରେ ୫୦ ପ୍ରତିଶତ ସଂକ୍ରମଣ ମାମଲା କେବଳ କରୋନା ସଂକ୍ରମିତଙ୍କ ସଂସ୍ପର୍ଶ(କଣ୍ଟାକ୍ଟ ଟ୍ରେସିଂ)ରେ ଆସୁଥିବା ଯୋଗୁ ହୋଇଛି ବୋଲି କହିଛନ୍ତି ରାଜ୍ୟ ଏନଏଚଏମ୍ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ। ସେ ଆହୁରି କହିଛନ୍ତି, ଓଡ଼ିଶାରେ ଆଜିସୁଦ୍ଧା ମୋଟ ୧୨୨ଜଣ ପଜେଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ମାତ୍ର ୧୮% ଅର୍ଥାତ୍ ୨୨ଜଣଙ୍କ ମଧ୍ୟରେ କୋଭିଡ-୧୯ର ଲକ୍ଷଣ ଦେଖାଦେଇଥିବାବେଳେ ୮୨% (୧୦୦ଜଣ) ରୋଗୀଙ୍କ ଦେହରେ ବିଲକୁଲ୍ ଲକ୍ଷଣ ନଥିଲା।
ସେହିପରି ଓଡ଼ିଶାରେ କରୋନା ସଂକ୍ରମଣ ବିଦେଶ ଫେରନ୍ତାଙ୍କ ମାଧ୍ୟମରେ ୫% ମାମଲା ଆସିଥିବାବେଳେ ବାହାର ରାଜ୍ୟ ଫେରନ୍ତାଙ୍କ ମାଧ୍ୟମରେ ୪୫% ସଂକ୍ରମିତ ହୋଇଛନ୍ତି। ବାକି ୫୦ ପ୍ରତିଶତ ମାମଲା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ଯୋଗୁ ହୋଇଛି। ତେଣୁ ଲକଡାଉନ୍ କୋହଳ ହେବାପରେ ମଧ୍ୟ ସମସ୍ତଙ୍କର ବ୍ୟକ୍ତିଗତ ଦାୟିତ୍ୱ ବଢ଼ିଛି। ଅତିକମରେ ୨ ମିଟର ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଶ୍ରୀମତୀ ପଣ୍ଡିତ କହିଛନ୍ତି।
from Odisha Reporter https://ift.tt/2SfwpVl
No comments:
Post a Comment