ନୀଳଗିରି(ବିଶ୍ୱମ୍ୱର ଦାସ): ଜନ୍ମ କଲା ମା’ର ସବୁ ବେଳେ ଆଶା ଥାଏ ପୁଅଟି ତାକୁ ନିଆଁ ଦେବ। ହେଲେ ସେହି ପୁଅ ଯଦି ମା’ ଥାଉ ଥାଉ ଚାଲିଯାଏ, ମା’ ପକ୍ଷେ ଧୈର୍ଯ୍ୟ ଧରିବା ଅସମ୍ଭବ। ଏପରି ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ବରହମପୁର ଥାନା ଅନ୍ତର୍ଗତ ବାଲିଚୁଆ ଗାଁରେ ଘଟିଛି।
ନିଜ ଆଖି ଆଗରେ ପୁଅର ମୃତ୍ୟୁ ଦେଖି ଟଳି ପଡ଼ିଲା ମାଆ। ଫଳରେ ଶୋକାକୂଳ ପରିବେଶରେ ଏକାଥରେ ଗୋଟିଏ ଘରୁ ମା’ ପୁଅଙ୍କ ଶବ ଉଠିଛି। ମୃତକଦ୍ୱୟ ହେଲେ ରବୀନ୍ଦ୍ର ସିଂ (୩୫) ଓ ତାଙ୍କ ବୃଦ୍ଧା ମା’ ବେଲମଣି ସିଂ (୭୨)।
ସୂଚନାଅନୁସାରେ, କିଛି ଦିନ ତଳେ ରବୀନ୍ଦ୍ର ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ସେ ପ୍ରଥମେ ବରହମପୁର ଡାକ୍ତରଖାନାକୁ ଯାଇଥିଲେ। ହେଲେ ତାଙ୍କ ସ୍ୱାସ୍ଥ୍ୟ ଭଲ ନହେବାରୁ ସେ ନୀଳଗିରି ଓ ପରେ ବାଲେଶ୍ୱର ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କ କିଡନୀ ଖରାପ ହୋଇଯାଇଥିବା କହିଥିଲେ।
ତେବେ ଟଙ୍କା ଯୋଗାଡ଼ କରିବା ପରେ କଟକ ବଡ଼ ଡାକ୍ତରଖାନା ଯିବେ ଭାବି ସେ ଘରକୁ ପଳାଇ ଆସିଥିଲେ। କିନ୍ତୁ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ଆଖି ଆଗରେ ପୁଅର ମୃତ୍ୟୁକୁ ସହ୍ୟ କରି ନ ପାରି ତାଙ୍କ ବୃଦ୍ଧା ମାଆ ବେଲମଣି ବି ଆଖି ବୁଜିଥିଲେ। ଗୋଟିଏ ପରିବାରରେ ଦୁଇ ଜଣଙ୍କ ମୃତ୍ୟୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ଶେଷରେ ଏକ ସଙ୍ଗେ ଜଳିଛି ମା’ ପୁଅଙ୍କ ଜୁଇ।
from Odisha Reporter https://ift.tt/2yIC7bt
No comments:
Post a Comment