ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଆଜି ସୁଦ୍ଧା ରାଉରକେଲା କଣ୍ଟେନମେଣ୍ଟ ଜୋନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ରେ ପହଞ୍ଚିଥିବା ବେଳେ ତାହା ପ୍ରଶାସନର ଚିନ୍ତା ବଢ଼ାଇ ଦେଇଛି। ଏହାକୁ ରୋକିବା ନିମନ୍ତେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି। ପୂର୍ବରୁ କଣ୍ଟେନମେଣ୍ଟ ଜୋନ ଭାବେ ଚିହ୍ନଟ ନାଲାରୋଡ଼ରେ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେଉଥିବାରୁ ଲକ୍ଡାଉନ୍ ଆଇନକୁ ଆହୁରି କଡାକଡି ପାଳନ କରିବାକୁ ପ୍ରଶାସନ ନିର୍ଦେଶ ଦେଇଛି ।
ଏହି ଅଞ୍ଚଳକୁ ଉଭୟ ପଟୁ ସିଲ କରାଯାଇ କମାଣ୍ଡୋ ମୁତୟନ କରାଯାଇଛି। ମେଡିକାଲ ଟିମ୍ ନିୟୋଜିତ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି। ସମ୍ପୂର୍ଣ୍ଣ ଅଞ୍ଚଳକୁ ସାନିଟାଇଜ କରାଯାଉଛି।
ଏହାବ୍ୟତୀତ ରାଉରକେଲା 18 ନମ୍ବର ସେକ୍ଟର ମାର୍କେଟ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲିଠୁ ମାଂସ , ମାଛ, କୁକୁଡ଼ା ଆଦି ବିକ୍ରି କରିବା ଓ କାଟିବା ଉପରେ ନିଷେଧାଦେଶ ଜାରି କରାଯାଇଛି। କୋଭିଡ 19 ସଂକ୍ରମିତଙ୍କ ସମ୍ପର୍କରେ ଏହି ଅଞ୍ଚଳରେ କେତେକ ଲୋକ ଆସିଥିବା ସୂଚନା ମିଳିବା ପରେ ପ୍ରଶାସନ ଏହି ପଦକ୍ଷେପ ନେଇଛି। ସେଠାରେ 20 ଜଣଙ୍କୁ ହୋମ କ୍ୱାରେଣ୍ଟାଇନରେ ରଖାଯିବାକୁ ନୋଟିସ ଦିଆଯିବା ସହ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଉଛି ।
ଆଜି ରାଉରକେଲା ପାନପୋଷ ବସ୍ତି, ଖରିଆବାହାଲ, ସେକ୍ଟର ୧୫, କୋଏଲ ବ୍ୟାଙ୍କ ଆଦି ଅଞ୍ଚଳରେ ମେଡିକାଲ ଟିମ୍ ପହଞ୍ଚି ସ୍ୱାସ୍ଥ୍ୟ ପରୀକ୍ଷା କରିବେ ବୋଲି ପ୍ରଶାସନ ପକ୍ଷରୁ ଜଣାପଡ଼ିଛି। କିଛି ଅଞ୍ଚଳରେ ଲୋକେ ଘରେ ନରହି ବାହାରେ ବୁଲୁଥିବାରୁ ପୁଲିସ ପକ୍ଷରୁ ସହରର ମୁଖ୍ୟ ମାର୍ଗରେ ଫ୍ଲାଗ ମାର୍ଚ୍ଚ କରାଯାଉଛି । ଏହା ଛଡା ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ପୁଲିସ ଫୋର୍ସ ମୁତୟନ କରାଯାଇଛି ।
ଉଲ୍ଲେଖଯୋଗ୍ୟ ଯେ, ସମଗ୍ର ରାଉରକେଲାକୁ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ବିଶ୍ରା ଓ ନାଲରୋଡ଼କୁ କଣ୍ଟେନମେଣ୍ଟ ଜୋନ କରାଯାଇଛି। ରାଉରକେଲା ଏସ ପି କେ ଶିବା ସୁବ୍ରମନୀଙ୍କ ନିର୍ଦେଶ କ୍ରମେ DSP ପ୍ରଦ୍ୟୁମ୍ନ କୁମାର ମିଶ୍ର, ପ୍ଲାଣ୍ଟସାଇଟ ଥାନା ଅଧିକାରୀ ଅନୀଲ କୁମାର ପ୍ରଧାନ ପ୍ରମୁଖ ପୁଲିସ ବାହିନୀକୁ କିପରି କଣ୍ଟେନମେଣ୍ଟ ଜୋନରେ ଦାୟିତ୍ୱ ନିର୍ବାହ କରାଯିବ ସେ ବାବଦରେ ସୂଚନା ଦେଇଥିବା ଜଣାଯାଇଛି।
from Odisha Reporter https://ift.tt/2KH9zSq
No comments:
Post a Comment